ରାଜକୀୟ ପର୍ଯ୍ୟଟନ ପାଇଁ ଅଣ୍ଟା ଭିଡ଼ିଲେ ସରକାର : ସାମିଲ୍‌ ହେଲେ ୧୬ ରାଜପ୍ରାସାଦର ଦାୟାଦ

44

କନକ ବ୍ୟୁରୋ : ଏଣିକି ରାଜାଘରେ ମଉଜ କରିବାର ବାଟ ପ୍ରଶସ୍ତ ହେବ। ରାଜାଘର ନ’ଭଜା ଛଅ ତିଅଣ ସାଙ୍ଗକୁ ରାଜ ଉଆସର ଅନୁଭବ ନେବାର ବାଟ ଫିଟିବ। ନିକଟରେ ଇଆଟୋର ସର୍ବଭାରତୀୟ ସମ୍ମିଳନୀରେ ଏଇ ରାଜକୀୟ ପର୍ଯ୍ୟଟନର ପ୍ରସ୍ତାବ ଆସିଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାକୁ ନେଇ ଖସଡ଼ା ପ୍ରସ୍ତୁତ କରିଛି। ଆଜି ରାଜ୍ୟର ୧୬ଟି ରାଜପ୍ରାସାଦର ଦାୟାଦମାନଙ୍କୁ ଏକାଠି କରି ରାଜକୀୟ ପର୍ଯ୍ୟଟନର ମୂଳଦୁଆ ପକାଯାଇଛି। ପର୍ଯ୍ୟଟନ ବିଭାଗର କାର୍ୟ୍ୟାଳୟରେ ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି।

ସଂପ୍ରତି ରାଜକୀୟ ପର୍ଯ୍ୟଟନର ସୁବିଧା ଯୋଗାଇ ଦେଇ ଆସୁଥିବା ପର୍ଯ୍ୟଟନସ୍ଥଳୀର ୱେବ୍‌ସାଇଟ୍‌କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଓ୍ଵବ୍‌ସାଇଟ୍‌ରେ ଅନ୍ତର୍ଭୁକ୍ତ କରାଯିବ। ଫଳରେ ପର୍ଯ୍ୟଟକମାନେ ଓଟିଡିସି ସାଇଟ୍‌ରୁ ଏହି ରାଜ ଦରବାର ପର୍ୟ୍ୟଟନ ସମ୍ବନ୍ଧୀୟ ସବିଶେଷ ସୂଚନା ପାଇପାରିବେ। ପର୍ଯ୍ୟଟନ ବିଭାଗର ଶାସନ ସଚିବ ମୋନା ଶର୍ମା ଏହି ପ୍ରକ୍ରିୟାକୁ ତ୍ୱରିତ କରିବା ପାଇଁ ଓଟିଡିସିକୁ ନିର୍ଦେଶ ଦେଇଛନ୍ତି। ରାଜକୀୟ ପର୍ଯ୍ୟଟନର ଦାୟାଦମାନେ ମଧ୍ୟ ଏଥିରେ ସହଯୋଗ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି।

ଏଥିସହିତ ଓଡ଼ିଶାରେ ଏହି କ୍ଷେତ୍ରକୁ ବିଧିବଦ୍ଧ ଭାବେ ଆରମ୍ଭ କରିବା ପାଇଁ ସମସ୍ତ ରାଜକୀୟ ପର୍ଯ୍ୟଟନସ୍ଥଳୀ ସହ ସମ୍ବନ୍ଧିତ ଏବଂ ଇଚ୍ଛା ରଖିଥିବା ଦାୟାଦମାନଙ୍କୁ ନେଇ ଏକ ସଂଗଠନ ଗଠିତ ହେବ ଏବଂ ସଂଗଠନ ପକ୍ଷରୁ ରାଜକୀୟ ପର୍ଯ୍ୟଟନ ନେଇ ବିଭିନ୍ନ କାର୍ଯ୍ୟପନ୍ଥା ଓ ଆବଶ୍ୟକ ନୀତି ସମ୍ବନ୍ଧରେ ଆଲୋଚନା କରାଯିବ। ସଂଗଠନର ବିଚାର ବିମର୍ଶ ଏବଂ ପର୍ଯ୍ୟଟନ ବିଭାଗର ନିଷ୍ପତ୍ତି ପୂର୍ବକ ବିଭାଗ ପକ୍ଷରୁ ଏହି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ପ୍ରଣୟନ କରାଯିବ। ଯେଉଁମାନେ ଗାଇଡ୍‌ଲାଇନ୍‌ ଅଧୀନରେ ଆସୁଥିବେ ସେହି ରାଜ ଦରବାରର ଦାୟାଦମାନେ ନିଜକୁ ରାଜକୀୟ ପର୍ଯ୍ୟଟନ ବ୍ୟବସ୍ଥାରେ ପଂଜୀକୃତ କରିପାରିବେ। ଫଳରେ ପଂଜୀକୃତ ରାଜକୀୟ ପରିବାର ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକ ସୁବିଧା ସହଯୋଗ ପାଇପାରିବେ। ଆର୍ଥିକ ପ୍ରୋତ୍ସାହନଠୁ ଆରମ୍ଭ କରି ରାଜଘରର ପୁନରୁଦ୍ଧାର ପାଇଁ ସହଯୋଗ ମିଳିବ।

ବଡ଼ କଥା ହେଉଛି ରାଜକୀୟ ପର୍ଯ୍ୟଟନ କ୍ଷେତ୍ରକୁ କିଭଳି ଅଧିକରୁ ଅଧିକ ପର୍ୟ୍ୟଟକ ଆସିବେ ସେନେଇ ବି ଓଟିଡିସି ପୂର୍ଣ୍ଣ ସହାୟତା ଯୋଗାଇ ଦେବ। ୱେବ୍‌ସାଇଟ୍‌ରେ ପ୍ରଚାର ପ୍ରସାର ସହ ଏ ନେଇ ସ୍ୱତନ୍ତ୍ର ପ୍ୟାକେଜ୍‌ର ମଧ୍ୟ ବନ୍ଦୋବସ୍ତ କରାଯିବାର ସମ୍ଭାବନା ରହିଥିବା ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଯଦି ଏହି କାର୍ଯ୍ୟ ଠିକ୍‌ ଭାବେ ତ୍ୱରାନ୍ଵିତ ହୁଏ ତେବେ, ୧୮୬୦ରେ ଗଢ଼ା ଯାଇଥିବା ଢେଙ୍କାନାଳ ପ୍ୟାଲେସ୍‌ଠୁ ଆରମ୍ଭ କରି ୧୭୦୦ ଖ୍ରୀଷ୍ଟାବ୍ଦରେ ଗଢ଼ି ଉଠିଥିବା କେନ୍ଦ୍ରାପଡ଼ାର ଆଳି ରାଜପ୍ରାସାଦ, ତାଳଚେର ପ୍ୟାଲେସ୍‌, ଢେଙ୍କାନାଳ ବୋରପଡ଼ାର ଗଜଲକ୍ଷ୍ମୀ ପ୍ୟାଲେସ୍‌, କଳାହାଣ୍ଡି ପ୍ୟାଲେସ୍‌, ଡାଲିଯୋଡ଼ି ପ୍ୟାଲେସ୍‌ ଓ ନୀଳଗିରି ପ୍ୟାଲେସ୍‌ ଆଦିରେ ରହି କେଇ କ୍ଷଣ ରାଜକୀୟ ଜୀବନ ଜୀଇଁବା ସହ ପର୍ଯ୍ୟଟନସ୍ଥଳୀ ଉପଭୋଗ କରିବାର ସୁଯୋଗ ମିଳିବ। ପର୍ଯ୍ୟଟନ ବିଭାଗର ନିର୍ଦେଶକ ନିତିନ୍‌ ଭାନୁଦାସ ଜଓ୍ଵାଲେଙ୍କ ସୂଚନା ମୁତାବକ ଯେତେଦୂର ସମ୍ଭବ ଖୁବ୍‌ଶୀଘ୍ର ଏନେଇ ପ୍ରକ୍ରିୟା ଆରମ୍ଭ ହେବ। ହୋମ୍‌ଷ୍ଟେ ବ୍ୟବସ୍ଥା ପାଇଁ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏଇ ନୂଆ ଧରଣର ରାଜକୀୟ ପର୍ଯ୍ୟଟନ ନିଶ୍ଚିତ ପର୍ୟ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।