ନଡିଆ ଖଡିକାରୁ ପ୍ରସ୍ତୁତ ହେଉଛି ଘରସଜା ସାମଗ୍ରୀ । ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି ସ୍ୱଂୟସହାୟକ ଗୋଷ୍ଠୀର ମହିଳା

198

କନକ ବ୍ୟୁରୋ : କୌଣସି ତାଲିମ ନନେଇ ମହିଳା ମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ନଡିଆ ଖଡିକାରେ ଫୁଲ ଚାଙ୍ଗୁଡ଼ି, ପାଛିଆ, ଟୋକେଇ, ଡାଲା ଭଳି ବିଭିନ୍ନ ପ୍ରକାରର ଗୃହ ଉପକରଣ ଜିନିଷ ତିଆରି କରି ନିଜେ ଉପାର୍ଜନକ୍ଷମ ହୋଇପାରୁଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ ଖଗେଶ୍ୱରପୁର ଗାଁର ପ୍ରାୟ ୭୦ ପ୍ରତିଶତ ମହିଳା ଏହି କାମ କରି କିଛି କିଛି ରୋଜଗାର କରନ୍ତି । ଦୀର୍ଘ ଦିନ ହେଲା ବିନା ତାଲିମରେ ଏଭଳି ଆକର୍ଷଣୀୟ ଜିନିଷ ତିଆରି କରି ଏମାନେ ଖୁବ୍ କମ୍ ମୂଲ୍ୟ ପାଉଥିଲେ । ଏବେ ମିଶନ ଶକ୍ତି ମାଧ୍ୟମରେ କିଛି ରୁଣ ନେଇ ଏହି କାମକୁ ଆଧିକ ମାତ୍ରାରେ କରୁଛନ୍ତି । ୨୦୧୪ ମସିହାରୁ ଗାଁର ୨୦ ଜଣ ମହିଳା ମିଶି ମା’ ଲକ୍ଷ୍ମ ଉତ୍ପାଦକ ଗୋଷ୍ଠୀ ଗଠନ କରି ମିଶନ ଶକ୍ତିରୁ ୫୦ ହଜାର ଟଙ୍କା ରୁଣ ନେଇ ଏହି କାମକୁ ବଢ଼ାଇଛନ୍ତି ।

ଘର କାମ ସାରିବା ପରେ ବଳକା ସମୟକୁ ଉପଯୋଗ କରି ଏମାନେ ଏହି କାମରେ ଲାଗିପଡ଼ନ୍ତି । ନିଜ ବାଡ଼ି ବଗିଚାରୁ ନଡ଼ିଆ ପତ୍ର ସଂଗ୍ରହ କରି ସେଥିରୁ ଖଡ଼ିକା ବାହାର କରି ଏହି ସବୁ ଜିନିଷ ତିଆରି କରନ୍ତି । ଅଧିକ ଉତ୍ପାଦନ ପାଇଁ ବ୍ୟବସାୟୀଙ୍କ ଠାରୁ ଖଡ଼ିକା କେଜି ପ୍ରତି ୩୫ ଟଙ୍କା ଲେଖାଏଁ ଦେଇ କିଣି ବିଭିନ୍ନ ଘର ଉପକରଣ ତିଆରି କରନ୍ତି । ସ୍ଥାନୀୟ ମିଶନ ଶକ୍ତି ବଜାର ଓ ବିଭିନ୍ନ ମେଳା ମହୋତ୍ସବ ଓ ପଶ୍ଚିମବଙ୍ଗର ବ୍ୟବସାୟୀ ମାନଙ୍କୁ ବିକ୍ରି କରନ୍ତି । ଏଥିରୁ ସେମାନଙ୍କୁ ମାସକୁ ୪ରୁ ୫ ହଜାର ଟଙ୍କା ରୋଜଗାର ମିଳିପାରୁଛି । ଫଳଳେ ନିଜର ଖର୍ଚ୍ଚ ପାଇଁ ସେମାନଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ ।

ନିଜସ୍ୱ ଉଦ୍ୟମରେ କିଛି ରୋଜଗାର କରିପାରୁଥିବାରୁ ମହିଳାମାନେ ମଧ୍ୟ ବେଶ ଖୁସି ଅଛନ୍ତି । ତେଣୁ ସରକାରୀ ସ୍ତରରେ ଏହି ମହିଳା ମାନଙ୍କୁ ସ୍ଥାୟୀ ଗୃହ କିମ୍ବା ଷ୍ଟଲ ଯୋଗାଇ ଦିଆଗଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।