କନକ ବ୍ୟୁରୋ : ବିଦେଶରୁ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଖଲିସ୍ତାନୀ ସଙ୍ଗଠନର ସଦସ୍ୟଙ୍କୁ ସାବାଡ କରିବାକୁ ଏବେ ଏନଆଇଏ ଆକ୍ଟିଭ ମୋଡକୁ ଆସିଛି । ଖଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ବ୍ୟକ୍ତିବିଶେଷଙ୍କ ଘରେ ରେଡ୍ କରି ଗିରଫ କରୁଛି ଏନଆଇଏ । ଏନଆଇଏର ଏଭଳି ଆକ୍ସନ ଦେଖି ଏବେ ଆତଙ୍କବାଦୀ ସଙ୍ଗଠନ ଓ ନକ୍ସଲଙ୍କ ପକ୍ଷରୁ ଏନଆଇଏ ଅଧିକାରୀଙ୍କୁ ଧମକ ମିଳିବା ଆରମ୍ଭ ହୋଇଛି । ଯାହାକୁ ଧ୍ୟାନରେ ରଖି ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ଏନଆଇଏ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ଚିଠି ଲେଖିଛି । ସେହିଭଳି ଅପହଞ୍ଚ ଇଲାକାରେ ରେଡ୍ ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଆତଙ୍କବାଦୀ ସଙ୍ଗଠନ ପିଏଫଆଇ ପାକିସ୍ତାନର ଆଇଏସଆଇ ସହ ମିଶି ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି । ମିଳିଥିବା ସୂଚନା ମୁତାବକ, ରେଡ୍ ସମୟରେ ଏନଆଇଏ ଅଧିକାରୀଙ୍କୁ ଟାର୍ଗେଟ କରାଯାଇପାରେ । କାରଣ ଗତ ୧୦ ଦିନ ହେବ ଦେଶର ନକ୍ସଲ ଓ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଏନଆଇଏ । ଏହାପୂର୍ବରୁ ୨୦୧୪ରେ ମଧ୍ୟ ଏନଆଇଏ ଅଧିକାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଚିଠି ଲେଖିଥିଲା ଗୃହ ମନ୍ତ୍ରାଳୟ । ଆଉ ଏବେ ଅଧିକ ବିପଦ କାରଣରୁ ରାଜ୍ୟ ଗୁଡିକୁ ପୁଣିଥରେ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଛି କେନ୍ଦ୍ର ।