ଆଜି ଭାରତ ବନ୍ଦ ! ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ସୋସିଆଲ ମିଡ଼ିଆରେ ଭାରତ ବନ୍ଦ ଡାକରା

57

କନକ ବ୍ୟୁରୋ : ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ଆଜି କିଛି ଗୋଷ୍ଠୀ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଛି। ସୋସିଆଲ ମିଡିଆରେ କିଛି ଗୋଷ୍ଠୀ ବନ୍ଦ ଡାକରା ଦେଇଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ସୂଚନା ଜାରି କରି ହିଂସା ଓ ଉତ୍ତେଜନା ଏଡ଼ାଇବାପାଇଁ ତତ୍କାଳ ପଦକ୍ଷେପ ନେବାକୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଭାରତ ବନ୍ଦ ଡାକରା ପାଇଁ କେଉଁ ରାଜନୈତିକ ଦଳ କିମ୍ବା ସଂଗଠନ ଆହ୍ଵାନ ଦେଇଛି ସେ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ। ସୋସିଆଲ୍ ମିଡିଆ ମାଧ୍ୟମରେ କିଛି ଗୋଷ୍ଠୀ ଏହି ବନ୍ଦ ଡାକରା ଦେଇଥିବା ଦେଖିବାକୁ ମିଳିଛି ।

ଏପ୍ରିଲ୍ ୨ ତାରିଖରେ ଅନୁସୂଚିତ ଜାତି ଜନଜାତି ନିର୍ୟାତନା ନିବାରଣ ଆଇନରେ ସଂଶୋଧନ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ହୋଇଥିବା ବନ୍ଦର ପ୍ରତିବାଦରେ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ସବୁ ରାଜ୍ୟର ସ୍ପର୍ଶକାତର ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଏସପି ସେମାନଙ୍କ ନିଜ ନିଜ ଅଞ୍ଚଳରେ ଆଇନ ଶୃଙ୍ଖଳା ସ୍ଥିତି ପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବନ୍ଦ ଡାକରା ପଛରେ ଶତାଧିକ ସାଧାରଣ ବର୍ଗ ଏବଂ ଓବିସି ସଂଗଠନର ହାତ ଥିବା କୁହାଯାଉଛି । ତେବେ ବନ୍ଦ ଡାକରାର ପ୍ରଭାବ ଓଡ଼ିଶାରେ ସେତେଟା ଦେଖିବାକୁ ମିଳିନାହିଁ ।