ଆଗକୁ ଆସୁଛି ପାର୍ବଣ ଋତୁ : ବଢ଼ିପାରେ କରୋନା ସଂକ୍ରମଣ, ସତର୍କ କଲା କେନ୍ଦ୍ର

କଡ଼ା ନଜର ରଖିବାକୁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି; କୌଣସି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

135

କନକ ବ୍ୟୁରୋ : ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣରେ ସଂକ୍ରମଣ ବଢିବା ଭୟ ରହିଛି । ଧାର୍ମିକ ସ୍ଥଳୀ, ମେଳା ଆଦିରେ ବହୁ ଲୋକ ଏକାଠି ହେଲେ ସଂକ୍ରମଣ ବଢିପାରେ । ପାର୍ବଣ ସମୟରେ କୋଭିଡ୍ ନିୟମ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଅଜୟ ଭଲ୍ଲା କହିଛନ୍ତି, ଦେଶବ୍ୟାପୀ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ପରେ ବି ଅନେକ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଂଚଳରେ ସଂକ୍ରମଣ ଦେଖିବାକୁ ମିଳୁଛି ।

ତେଣୁ ରାଜ୍ୟମାନେ କରୋନା ସଂକ୍ରମଣ ହାର, ହସ୍ପିଟାଲ ଓ ଆଇସିୟୁରେ ରୋଗୀଙ୍କ ଆଡମିସନ୍ ଉପରେ କଡା ନଜର ରଖିବାକୁ କୁହାଯାଇଛି । ଯଦି କୌଣସି ଜିଲ୍ଲାରେ ଅଧିକ ସଂକ୍ରମଣ ଦେଖିବାକୁ ମିଳେ ତେବେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ପଦକ୍ଷେପ ନିଆଯିବ । କରୋନା ମୁକାବିଲାର ପ୍ରମୁ୍ଖ ଅସ୍ତ୍ର ହେଉଛି ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମାବଳୀକୁ ପାଳନ କରିବା । ପାର୍ବଣ ସମୟରେ ଏହି ୫ ରଣନୀତି ଯେପରି କାର୍ଯ୍ୟକାରୀ ହେବ, ସରକାର ତାହା ନିଶ୍ଚିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଗୃହ ସଚିବ କହିଛନ୍ତି । ରାଜ୍ୟ ସରକାର ଆଉ କିଛି ଦିନ ପରେ ଅକ୍ଟୋବର ଗାଇଡ୍ଲାଇନ୍ ଜାରି କରିବେ । କେନ୍ଦ୍ର ଗୃହ ସଚିବଙ୍କ ଚିଠି ରାଜ୍ୟ ସରକାରଙ୍କ ଗାଇଡଲାଇନରେ ବେଶ୍ ଗୁରୁତ୍ୱ ବହନ କରିପାରେ ।