କନକ ବ୍ୟୁରୋ : ନୀତିଶ କୁମାରଙ୍କ ଜେଡିୟୁ ଦଳର ବରିଷ୍ଠ ନେତା ଥିବା ଉପେନ୍ଦ୍ର କୁଶବାହା ଦଳ ଛାଡିବା ପରେ ଏବେ ବିଜେପି କୁଶବାହାଙ୍କ ଉପରେ ପ୍ରଶନ୍ନ ହୋଇଛି । ନୀତିଶ କୁମାରଙ୍କ ଜେଡିୟୁ ଛାଡି କୁଶବାହା ରାଷ୍ଟ୍ରୀୟ ଲୋକ ଜନତା ଦଳ ନାମରେ ଏକ ନୂଆ ରାଜନୈତିକ ଦଳ ଗଢିବା ପରେ ଏବେ କେନ୍ଦ୍ର ଗୃହମନ୍ତ୍ରଣାଳୟ କୁଶବାହାଙ୍କୁ ୱାଇ ଯୁକ୍ତ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି  । ଏହି ସୁରକ୍ଷା ଗୁଇନ୍ଦା ରିପୋର୍ଟ ଆଧାରରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ଯୋଗାଇ ଦେଇଥିବା କଥା କୁହାଯାଇଛି ।

ୱାଇ ଯୁକ୍ତ କାଟାଗୋରୀ ସୁରକ୍ଷାରେ କୁଶବାହାଙ୍କ ସୁରକ୍ଷା ପାଇଁ ୧୧ ଜଣ କମାଣ୍ଡୋ ନିୟୋଜିତ ହେବେ । ଏଥିରେ ୫ଜଣ ପୋଲିସ ଭିଆଇପି ସୁରକ୍ଷା ପାଇଁ ତାଙ୍କ ଘର ଆଖ ପାଖରେ ରହିବେ । ଏହାସହ ୬ଜଣ ପିଏସଓ ୩ଟି ସିପ୍ଟରେ ସୁରକ୍ଷାରେ ରହିବେ । ଏହା ପୂର୍ବରୁ ଗୃହମନ୍ତ୍ରଣାଳୟ ଦ୍ୱାରା ଚିରାଗ ପାସୱାନଙ୍କୁ ଜେଡ୍ କାଟାଗୋରୀ ସୁରକ୍ଷା ଦେବା ସହ ଭିଆଇପି ପାର୍ଟିର ନେତା ମୁକେଶ ସାହାଣୀଙ୍କୁ ୱାଇ+ କାଟାଗୋରୀ ସୁରକ୍ଷା ଦିଆଯାଇଛି । ସେପଟେ କୁଶବାହାଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ୱାଇ + କାଟାଗୋରୀ ସୁରକ୍ଷା ଯୋଗାଇ ଦେବା ପରେ ବିହାର ରାଜନୀତି ସରଗରମ ହେବାରେ ଲାଗିଛି । ଆକଳନ କରାଯାଉଛି କି, କୁଶବାହାଙ୍କ ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କୁ ବି କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେଇପାରନ୍ତି ।

ସୂଚନା ଥାଉକି ଗତ ମାସରେ ନୀତିଶ କୁମାରଙ୍କ ସହ ମତଭେଦ ଭିତରେ ଉପେନ୍ଦ୍ର କୁଶବାହା ନିଜର ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ନୀତିଶ ସରକାରରେ କୁଶବାହାଙ୍କୁ ମନ୍ତ୍ରୀପଦ ନମିଳିବାରୁ କୁଶବାହା ଅସନ୍ତୁଷ୍ଟ ଥିଲେ । ହେଲେ କୁଶବାହା ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ଅନେକ ଦଳ ବଦଳ କରିସାରିଛନ୍ତି । ୨୦୦୫ରେ ସେ ଜେଡିୟୁ ଟିକେଟରୁ ନିର୍ବାଚନ ଲଢି ପରାଜିତ ହେବା ପରେ ରାଷ୍ଟ୍ରୀୟ ସମତା ପାର୍ଟି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ୨୦୧୪ ନିର୍ବାଚନରେ କୁଶବାହାଙ୍କ ପାର୍ଟି ଏନଡିଏକୁ ସମର୍ଥନ ଦେଇଥିଲା । ତାଙ୍କ ଦଳକୁ ମିଳିଥିବା ୩ଟି ଯାକ ସାଂସଦ ଆସନରେ କୁଶବାହାଙ୍କ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହାପରେ ତାଙ୍କୁ ମୋଦୀ କ୍ୟାବିନେଟରେ ମାନବ ସଂସାଧନ ରାଜ୍ୟମନ୍ତ୍ରୀ ପାହ୍ୟା ମିଳିଥିଲା ।