କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣିଥରେ ପିଓକେ ପ୍ରସଙ୍ଗ ଉଠିଛି । ଗତକାଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପରେ ନିଜର ଆଭିମୁଖ୍ୟ ରଖୁଥିଲେ । ଏହି ସମୟରେ ସେ କହିଥିଲେ

Advertisment

ନେହରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି ହୋଇଛି । କଂଗ୍ରେସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହରୁଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଦୁଇ ବିଲ୍ ପାରିତ ହେଲେ କାଶ୍ମୀରରେ ବିଧାନସଭା ଆସନ ୧୧୪କୁ ବୃଦ୍ଧି ପାଇବ । କିନ୍ତୁ ବଡ କଥା ହେଉଛି ପିଓକେ ପାଇଁ ୨୪ଟି ଆସନ ସଂରକ୍ଷିତ ରଖାଯାଇଛି । ପାକିସ୍ତାନ କବଜାରେ ପିଓକେ ଥିବା ଯାଏ ଏହି ଆସନ ଖାଲି ରହିବ । କେନ୍ଦ୍ରର ମୋଦୀ ସରକାର ସାଧାରଣ ନିର୍ବାଚନ ବେଳେ ସଂସଦରେ ଏପରି ଏକ ବିଲ୍ ରଖି ପିଓକେକୁ ଆଗାମୀ ଦିନରେ ଭାରତରେ ସାମିଲ କରାଇବାକୁ ଯୋଜନା ରହିଛି ବୋଲି ଏକ ବାର୍ତା ଦେବାକୁ ପ୍ରୟାସ କରିଛନ୍ତି ।

ଶାହା କହିଛନ୍ତି, ପିଓକେ ଆମର । ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀର ବର୍ଷ ବର୍ଷ ଧରି କ୍ଷତି ସହିଥିଲା । ଯେତେବେଳେ ଆମ ସେନା ବିଜୟୀ ହେଉଥିଲା, ସେତେବେଳେ ପଞ୍ଜାବ ଅଂଚଳ ଆସିବା ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଜନ୍ମ ହେବା ମାତ୍ରେ ଅସ୍ତ୍ରବିରତି ଲାଗୁ କରାଯାଇଥିଲା ବୋଲି ସେ କହିଛନ୍ତି । ଯଦି ଅସ୍ତ୍ରବିରତି ୩ ଦିନ ବିଳମ୍ବ ହୋଇଥାନ୍ତା, ତେବେ ପାକିସ୍ତାନ ଅଧିକୃତ କଶ୍ମୀର ଆଜି ଭାରତର ଅଂଶ ହୋଇଥାନ୍ତା । ଆମ ପ୍ରସଙ୍ଗକୁ ଜାତିସଂଘକୁ ନିଆଯାଇଥିଲା, ଯାହା ଏକ ବଡ଼ ଭୁଲ ବୋଲି ଶାହା କହିଥିଲେ । ତେବେ କଂଗ୍ରେସ ସାଂସଦମାନେ ଅମିତ ଶାହାଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିବା ସହ ଗୃହରେ ତୀବ୍ର ହଙ୍ଗାମା ହୋଇଥିଲା । ବିରୋଧୀ ଦଳ ନେତା କହିଲେ ତଥ୍ୟ ଠିକ୍ ଭାବେ ନରଖାଯାଇ କରାଯାଉଛି ବଦନାମ ।