ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି, ‘ଉନ୍ନତ ଚିକିତ୍ସା ପାଇଁ ନବଙ୍କୁ ଆପୋଲୋ ଅଣାଯାଇଥିଲା’

3,301

କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହୁଲୁସ୍ତୁଲୁ ହୋଇଛି ବିଧାନସଭା । ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ତିନିଘଣ୍ଟା ଧରି ବିରୋଧୀ ବିଜେପି ଓ କଂଗ୍ରେସ ଆଣିଥିବା ମୋସନ ଉପରେ ସରଗରମ ଆଲୋଚନା ହୋଇଛି । ଆଲୋଚନାରେ ଭାଗ ନେଇ, ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଉ ଅଭିଯୋଗ ପରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ।

କହିଛନ୍ତି, ନବ ଦାସଙ୍କୁ ଗୁଳି ପରେ କାହିଁକି ଭୁବନେଶ୍ୱର ଅଣାଗଲା ବୋଲି ବିରୋଧୀ କହୁଛନ୍ତି । ହେଲେ, ନବ ଦାସଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ତାଙ୍କୁ ଭୁବନେଶ୍ୱର ଆପୋଲୋକୁ ଅଣାଯାଇଥିଲା । ଘଟଣାରେ ନବଙ୍କ ପରିବାର, ପିଏସଓ, ଡ୍ରାଇଭର, ପଡୋଶୀ, ସମସ୍ତଙ୍କୁ ପଚରାଉଚୁରା କରାଯାଇଛି । ଯାହାକି ବିରୋଧୀ ଦଳମାନେ ଜାଣି ନାହାନ୍ତି । ତଦନ୍ତ ସମୟର ସମସ୍ତ ଜୈବିକ, ଶାରୀରିକ ଏବଂ ବସ୍ତୁଗତ ପ୍ରମାଣ ଗୁଡିକୁ ସଂଗ୍ରହ କରାଯାଇ, ଫରେନସିକ୍ ଅନୁସନ୍ଧାନ ପାଇଁ ପଠାଯାଇଛି ।

ରିପୋର୍ଟ ଗୁଡିକ ହସ୍ତଗତ ହେଲେ, ତଦନ୍ତକାରୀ ଦଳ ପ୍ରମାଣ ଖୋଜିବାରେ ପୁନଃ ଯାଂଚ ପ୍ରକ୍ରିୟା ଆରମ୍ଭ କରିବେ । କ୍ରାଇମବ୍ରାଞ୍ଚ ଗୋପାଳକୁ ମାନସିକବିକାର ଗ୍ରସ୍ତ ବୋଲି ଅଭିହିତ କରିନାହିଁ । ଦୁଇଟି ଦିଗ ଉପରେ ତଦନ୍ତ ହେଉଛି । ଅପରାଧର ମୂଳରେ ପହଞ୍ଚିିବା ଓ ଦୋଷୀକୁ ଧରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିସହ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ଦାସଙ୍କୁ ହାଇକୋର୍ଟ ତଦନ୍ତର ତଦାରଖ କରିବା ପାଇଁ ସରକାର ଦେଇଥିବା ଚିଠିର ସଂଖ୍ୟା ଓ ତାରିଖ ଏବଂ ହାଇକୋର୍ଟ ଦେଇଥିବା ଚିଠିର ସଂଖ୍ୟା ଓ ତାରିଖ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ କଳ୍ପନା ଉପରେ ଆଧାର କରି ଅଯଥା ଭିତିହୀନ ଅଭିଯୋଗ କରିବାଠାରୁ ଦୂରେଇ ରହିବାକୁ ବିରୋଧୀଙ୍କୁ କହିଛନ୍ତି ମନ୍ତ୍ରୀ । .ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାଂଘାତିକ ଅଭିଯୋଗ ଆଣିିଥିଲେ ।