ନାଗାଲାଣ୍ଡ ଗୁଳିକାଣ୍ଡ ପ୍ରସଙ୍ଗ : ସଂସଦରେ ଗୃହମନ୍ତ୍ରୀ ରଖିଲେ ଏମିତି ବିବୃତ୍ତି, ବିରୋଧୀ ଖପ୍ପା

115

କନକ ବ୍ୟୁରୋ : ନାଗାଲାଣ୍ଡରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସୋମବାର ଦିନ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବୟାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଗୃହମନ୍ତ୍ରୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଗୃହମନ୍ତ୍ରୀ କହିଛନ୍ତି କି “ଓଟିଂ ଓ ସୋମ ପାଖରେ ଚରମପନ୍ଥୀମାନେ ଥିବାର ସୂଚନା ସେନାକୁ ମିଳିଥିଲା,ଏହି ଆଧାରରେ ୨୧ ଜଣ କମାଣ୍ଡୋ ସୂଚନା ମିଳିଥିବା ଅଞ୍ଚଳରେ ସଜାଗ ରହିଥିଲେ । ସେନା ସେଠାରେ ଏକ ଗାଡି ଆସୁଥିବାର ଦେଖି ତାହାକୁ ରୋକିବାକୁ ଚେଷ୍ଟା କରିଥିଲା । ହେଲେ ଗାଡିଟି ଅଟକି ନଥିଲା । ଏହାପରେ ସେନା ତରଫରୁ ସନ୍ଦେହ କରାଯାଇଥିଲା କି ଗାଡିରେ ଚରମପନ୍ଥୀମାନେ ଯାଉଛନ୍ତି । ଏହି ସନ୍ଦେହରେ ସେନା ଗାଡି ଉପରକୁ ଗୁଳି ଚାଳନା କରିଥିଲା । ”

କେବଳ ସେତିକି ନୁହେଁ ଲୋକସଭାରେ ଗୃହମନ୍ତ୍ରୀ କହିଛନ୍ତି କି ସେନା ଗୁଳିରେ ଗାଡିରେ ଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ଜଣାପଡିଥିଲା କି ସେନା ଭୂଲ ଲୋକଙ୍କ ଉପରେ ଗୁଳି ଚଳାଇଛି । ଗୁରୁତର ହୋଇଥିବା ଅନ୍ୟ ୨ ଜଣଙ୍କୁ ସେନା ତରଫରୁ ମେଡିକାଲ ନିଆଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ସେନା ୟୁନିଟକୁ ଘେରି ଯାଇଥିଲେ । ସ୍ଥାନୀୟ ଲୋକମାନେ ସେନାର ୨ ଗାଡିରେ ନିଆଁ ଲଗାଇଦେବା ସହ ସେନା ଉପରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକଙ୍କ ଆକ୍ରମଣ ଫଳରେ ଜଣେ ଯବାନ ବି ସହିଦ ହୋଇଛନ୍ତି ।

ଗୃହମନ୍ତ୍ରୀ ଆହୁରି କହିଛନ୍ତି କି ଲୋକଙ୍କ କବଳରୁ ରକ୍ଷା ପାଇବାକୁ ସେନାକୁ ପୁଣି ଗୁଳି ଚାଳନା କରିବାକୁ ପଡିଥିଲା । ଏଥିରେ ଆଉ ୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଗୃହମନ୍ତ୍ରୀଙ୍କ ସୂଚନା ମୁତାବକ ଏବେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣରେ ରହିଛି । ଏହାସହ ଡିସେମ୍ବର ୫ ତାରିଖରେ ନାଗାଲାଣ୍ଡ ଡିଜିପି ଓ କମିଶନର ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଏହାସହ ଏହି ଘଟଣାର ଯାଂଚ ପାଇଁ ଏସଆଇଟି ଗଠନ କରାଯାଇ ୧ ମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ଗୃହମନ୍ତ୍ରୀ ଲୋକସଭାରେ କହିଛନ୍ତି ।

 

ସେପଟେ ଏଭଳି ଘଟଣାକୁ ନେଇ ବିରୋଧୀ ନେତା ସରକାରଙ୍କୁ ଘେରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି. ଗୃହମନ୍ତ୍ରୀ ବାସ୍ତବରେ କଣ କରୁଛନ୍ତି । ଏହାସହ ଆଜି ମୃତକମାନଙ୍କ ଅନ୍ତିମ ସଂସ୍କାରରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ।