ନେହେରୁଙ୍କ ଭୁଲ ପାଇଁ ପିଓକେର ସୃଷ୍ଟି, ନଚେତ ଏହା ଏବେ ଭାରତର ଅଂଶବିଶେଷ ହୋଇ ରହିଥାନ୍ତା । ସଂସଦରେ ଅମିତ ଶାହାଙ୍କ ବୟାନକୁ ନେଇ ବିରୋଧୀଙ୍କ ହଙ୍ଗାମା ।

158

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁନଃଗଠନ ବିଧେୟକକୁ ନେଇ ସଂସଦରେ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସଂସଦରେ ଏହି ଆଲୋଚନା ବେଳେ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି । ନିଜ ସମ୍ବୋଧନରେ ଶାହା କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରିବା ନିଷ୍ପତ୍ତି କିଛି ଲୋକଙ୍କୁ ଖରାପ ଲାଗୁଛି । ଧାରା ୩୭୦ ପାଇଁ ୪୫ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଏହି ଧାରାକୁ ମୋଦୀ ସରକାର ଉଚ୍ଛେଦ କରିଛନ୍ତି ।

ଅମିତ ଶାହା କହିଛନ୍ତି, ପିଓକେକୁ ନେଇ ଯେଉଁ ସମସ୍ୟା ଅଛି ତାହା ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ସୃଷ୍ଟି ହୋଇଛି । ଯେତେବେଳେ ଭାରତୀୟ ସେନା ବିଜୟୀ ହେଉଥିଲା ସେତେବେଳେ ପଞ୍ଜାବ ପ୍ରଦେଶରେ ପହଞ୍ଚିବା କ୍ଷଣି ସିଜଫାୟାର ଘୋଷଣା କରାଯାଇଥିଲା । ଯାହାଦ୍ୱାରା ପୂରା କାଶ୍ମୀରକୁ ନିଜ ନିୟନ୍ତ୍ରଣକୁ ଆଣିବା ପୂର୍ବରୁ ହିଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ୩ ଦିନ ପରେ ଯଦି ସିଜଫାୟାର କରାଯାଇଥାନ୍ତା ତେବେ ଆଜି ବି ପିଓକେ ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଥାନ୍ତା । ତେବେ ଶାହାଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । ଏହି ବିଲ୍ ସହ ସମ୍ମାନ ଯୋଡି ହୋଇ ରହିଛି । ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପଛରେ ରହି ଯାଇଥିବା ଲୋକଙ୍କୁ ପୁଣିଥରେ ହାତ ଧରି ଆଗକୁ ବଢାଇବାକୁ ଚାହୁଁଛନ୍ତି । କିନ୍ତୁ ଏହି ବିଲ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଯେଉଁମାନେ ଭୋଟବ୍ୟାଙ୍କ ପାଇଁ ଏହାର ଉପଯୋଗ କରୁଥିଲେ ।

ଧାରା ୩୭୦ ଉଚ୍ଛେଦ କିଛି ଲୋକଙ୍କୁ ଭଲ ଲାଗୁନାହିଁ । ଯେତେବେଳେ ଏହି ଧାରା ଉଚ୍ଛେଦ କରାଗଲା ସେତେବେଳେ କିଛି ଲୋକ କହିଥିଲେ ଏହାଦ୍ୱାରା କାଶ୍ମୀରରେ ରକ୍ତର ନଦୀ ବହିବ । କିନ୍ତୁ ରକ୍ତର ନଦୀ ତ ଛାଡନ୍ତୁ ବରଂ କେହି ପଥର ଉଠାଇବାକୁ ମଧ୍ୟ ସାହସ କରିନଥିଲେ । ଧାରା-୩୭୦କୁ ପୂର୍ବରୁ ହିଁ ହଟାଇବାର ଆବଶ୍ୟକତା ଥିଲା । ପୂର୍ବରୁ କାଶ୍ମୀରର ଲାଲଚୌକରେ ତ୍ରିରଙ୍ଗା ଉଡାଇବାକୁ ଦିଆଯାଉନଥିଲା । ଏବେ କିନ୍ତୁ ପ୍ରତି ଘରେ ତ୍ରିରଙ୍ଗା ଉଡୁଛି । ଯେତେବେଳେ କାଶ୍ମୀର ପଣ୍ଡିତଙ୍କୁ ବିସ୍ଥାପିତ କରାଗଲା, ସେତେବେଳେ ସେମାନେ ନିଜ ଦେଶରେ ଶରଣାର୍ଥୀ ଜୀବନ କାଟିବାକୁ ବାଧ୍ୟ ହେଲେ । ଏବେ ଲକ୍ଷାଧିକ ଲୋକ ବିସ୍ଥାପିତ ଜୀବନ କାଟୁଛନ୍ତି । ସେମାନଙ୍କୁ ନିଜ ଅଧିକାର ଫେରାଇଦେବାକୁ ଏହି ନୂଆ ବିଲ୍ ଆସିଛି । ଯାହାଦ୍ୱାରା ସେମାନଙ୍କୁ ମଧ୍ୟ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବ ।