ମଣିପୁରରେ ହିଂସା ରୋକିବାକୁ ପ୍ରୟାସ । ମିସନ ମୋଡରେ କାମ କରୁଛନ୍ତି ଗୃହମନ୍ତ୍ରୀ । ଗୋଟିଏ ଦିନରେ ଅମିତ ଶାହାଙ୍କ ୯ ବୈଠକ

84

କନକ ବ୍ୟୁରୋ : ମଣିପୁରରେ ସୃଷ୍ଟି ହୋଇଥିବା ଜାତିଗତ ହିଂସାର ନିଆଁକୁ ଲିଭାଇବା ପାଇଁ ଅଣ୍ଟା ଭିଡିିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ୪ ଦିନିଆ ଗସ୍ତ ଅବସରରେ ମିସନ ମୋଡରେ ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି । କେବଳ ମଙ୍ଗଳବାର ଶାହା ୯ ଟି ଭିନ୍ନ ଭିନ୍ନ ବୈଠକ ଶାନ୍ତି ସ୍ଥାପନା ଉଦ୍ଦେଶ୍ୟରେ କରିଛନ୍ତି । ଉଭୟ ରାଜନୈତିକ ଓ ବରିଷ୍ଠ ଅଧିକାରୀ ତଥା ବିଭିନ୍ନ ଅନୁଷ୍ଠାନର ପ୍ରତିନିଧୀଙ୍କ ସହ ତୁହାକୁତୁହା ଆଲୋଚନା କରିଛନ୍ତି ଶାହା । ମଙ୍ଗଳବାର ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏଥିପାଇଁ ଏକ ସର୍ବଦଳୀୟ ବୈଠକ କରିଥିଲେ । ବୈଠକରେ ହିଂସାରେ ଅଙ୍କୁଶ ଲଗାଇବା ପାଇଁ ବିଭିନ୍ନ ସମୁଦାୟର ନେତାଙ୍କୁ ଅନୁରୋଧ କରିଥିଲେ ଶାହା । ମୁଖ୍ୟମନ୍ତ୍ରୀ , ଗୁଇନ୍ଦା , ଓ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା ସହ ହିଂସାଗ୍ରସ୍ତ ଅଂଚଳ ଚୁରାଚାନ୍ଦପୁର ଜିଲ୍ଲା ବୁଲି ସ୍ଥିତି ପରଖିଛନ୍ତି । ଏହି ଅବସରରେ ଆଦିବାସୀ ମହିଳାମାନେ ଜାତୀୟ ପତାକା ସହ ପ୍ଲାକାର୍ଡ ଧରି ଶାହାଙ୍କୁ ସ୍ୱାଗତ କରୁଥିବାର ଦେଖାଯାଇଥିଲା । ଯେଉଁ ୨ ସମ୍ପ୍ରଦାୟ ମଧ୍ୟରେ ହିଂସାର ସୁତ୍ରପାତ ହୋଇଛି , ଉଭୟ ମୈତେଇ ଓ କୁକି ସମ୍ପ୍ରଦାୟର ପ୍ରତିନିଧୀଙ୍କ ସହ ଆଲୋଚନା କରିଛନ୍ତି ଶାହା ।

ମଣିପୁର ହିଂସାକୁ ଇତିମଧ୍ୟରେ ୨୮ ଦିନ ବିତିଯାଇଥିଲେ ବି ହିଂସାର ନିଆଁ ଲିଭିବାର ନାଁ ଧରୁନାହିଁ । ସରକାରୀ ତଥ୍ୟ ଅନୁସାରେ ହିଂସା କାରଣରୁ ୮୦ ରୁ ଅଧିକ ଜୀବନ ଗଲାଣି , ପୁଣି ଶତାଧିକ ଆହତ ମଧ୍ୟ ହୋଇଛନ୍ତି । ସେହିପରି ନିଜ ଭିଟାମାଟି ହରାଇ ପ୍ରାୟ ଦଶ ହଜାରରୁ ଅଧିକ ଲୋକ ବାସହୀନ ହୋଇପଡ଼ିଛନ୍ତି । ଏହାରି ଭିତରେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସହାୟତାରାଶି ଘୋଷଣା କରିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର । ସେହିପରି ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବା ନେଇ ମଧ୍ୟ ଘୋଷଣା ହୋଇଛି । ବୁଧବାର ଗୃହମନ୍ତ୍ରୀ ଭାରତ- ମିଆଁମାର ସୀମା ସ୍ଥିତ ସର୍ବାଧିକ ହିଂସା ପ୍ରଭାବିତ କାଙ୍ଗପୋକପି ଜିଲ୍ଲାର ମୋରେହରେ ପଂହଚି କୋକି ସମୁଦାୟର ପ୍ରତିନିଧୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ଶାହା ନାଗରିକ ସମାଜ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଅନ୍ୟପଟେ ରାଜ୍ୟରେ ଶାନ୍ତି ଫେରାଇଆଣିବା ପାଇଁ ଅଂଟା ଭିଡିଛନ୍ତି ମଣିପୁରର ଆଗଧାଡିର ଖେଳାଳୀ । ଗୋଟିଏ ପଟେ କୁସ୍ତି ଯୋଦ୍ଧା ନ୍ୟାୟ ନମିଳିଲେ ପଦକ ଫେରାଇଦେବେ ବୋଲି ଦାବି ନେଇ ଅଡି ବସିଥିବାବେଳେ ଏବେ ମଣିପୁର ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ସର୍ତ୍ତ ରଖିଛନ୍ତି ମଣିପୁର ଖେଳାଳୀ ।

ମଣିପୁରରେ ହିଂସା କାରଣରୁ କର୍ଫ୍ୟୁ ଜାରି ହୋଇଥିଲା ଓ ଇଂଟରନେଟ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା । ଶାହାଙ୍କ ଗସ୍ତ ସତ୍ୱେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ହିଂସା ଦେଖାଯାଇଛି । କାକଚିଙ୍ଗ ଜିଲ୍ଲାର ସୁଗୁନୁ ଅଂଚଳରେ ମଙ୍ଗଳବାର ବିଳମ୍ବିତ ରାତି ଯାଏଁ ବିଦ୍ରୋହୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଗୁଜବ ପ୍ରତି ଧ୍ୟାନ ନଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ମଣିପୁରବାସୀଙ୍କୁ ଅନୁରୋଧ କରାଯାଇଛି । ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ହିଂସାରେ ପୂଣ୍ଣଛେଦ ପଡୁଛି ନା ନାହିଁ ।