ମହାମାରୀ ମୁକାବିଲା ସମୟରେ କ’ଣ କରିଛି କଂଗ୍ରେସ ? ବିଜେପିର ଡିଜିଟାଲ ରାଲିରେ କଂଗ୍ରେସକୁ ଗୃହମନ୍ତ୍ରୀଙ୍କ ଟାର୍ଗେଟ୍ ।

571

କନକ ବ୍ୟୁରୋ : ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ସମ୍ବୋଧନ କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ଡିଜିଟାଲ ରାଲି ଓଡିଶାର ଜନସମ୍ବାଦ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ଶାହା ।

ସେ କହିଥିଲେ, ଆଜି ସାରା ବିଶ୍ୱ କରୁଛି କରୋନା ମୁକାବିଲା । କିନ୍ତୁ ଭାରତ ସାରା ବିଶ୍ୱ ପାଇଁ ଆଜି ଉଦାହରଣ ସାଜିଛି । ଏହି ମହାମାରୀ ସମୟରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏପରିକି କିଛି ଦୋଷ ତ୍ରୁଟି ମଧ୍ୟ ରହିଯାଇଛି । କିନ୍ତୁ ମହାମାରୀ ମୁକାବିଲା ସମୟରେ କଂଗ୍ରେସ କ’ଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ । ଏପରିକି ଇଣ୍ଟରଭ୍ୟୁ ବ୍ୟତୀତ କଂଗ୍ରେସ ଦଳ କିଛି ବି କରିନାହିଁ ବୋଲି ସିଧା ସିଧା ଟାର୍ଗେଟ୍ କରିଛନ୍ତି ଅମିତ ଶାହା ।

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ସଫଳତା କହିଛନ୍ତି ଶାହା । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କରୋନା ସଙ୍କଟ ସମୟରେ ପାଖାପାଖି ୩ ଲକ୍ଷରୁ ଅଧିକ ଓଡିଆ ଭାଇମାନେ ଅଲଗା ଅଲଗା ରାଜ୍ୟରୁ ଓଡ଼ିଶାକୁ ଫେରିପାରିଛନ୍ତି । ସେମାନଙ୍କର ସୁରକ୍ଷା ଏବଂ ଘରକୁ ଫେରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମିକ ଟ୍ରେନର ଶୁଭାରମ୍ଭ କରିଥିଲେ । ମୋଦିଙ୍କ ଉପରେ ରହିଛି ଓଡିଶାବାସୀଙ୍କ ଆଶୀର୍ବାଦ । ଓଡିଶାକୁ ବିକଶିତ ରାଜ୍ୟ କରିବା କେନ୍ଦ୍ରର ପ୍ରତିଶ୍ରୁତି ରହିଛି ।