ମେଣ୍ଟ ଭାଙ୍ଗିବା ପରେ ଅମିତ ଶାହାଙ୍କ ପ୍ରଥମ ବିହାର ଗସ୍ତ । ସୀମାଞ୍ଚଳରେ ଉଭୟ ଲାଲୁ ଓ ନୀତିଶଙ୍କୁ ନେଇ କହିଲେ ଏଭଳି କଥା

129

କନକ ବ୍ୟୁରୋ : ବିହାରରେ ମେଣ୍ଟ ସରକାର ଭାଙ୍ଗିବା ପରେ ପ୍ରଥମଥର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିହାର ଗସ୍ତ କରିଛନ୍ତି । ନେପାଳ ସୀମାକୁ ଲାଗିଥିବା ସୀମାଞ୍ଚଳ ଠାରେ ଆଜି ଶାହା ଏକ ବିଶାଳ ରାଲି କରି ଜନସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ବିହାର ଲୋକଙ୍କ ଭଲ ପାଇବା ଓ ବିଶ୍ୱାସ କାରଣରୁ ପୂର୍ଣ୍ଣିଆର ଏହି ପଡିଆ ଆଜି ଛୋଟ ପଡିଯାଇଛି । ଏହି ସଭାରେ ବିଜେପିର ସୁଶୀଲ ମୋଦୀ, ଗିରିରାଜ ସିଂ,ରେଣୁଦେବୀ, ବିଜୟ ସିହ୍ନାଙ୍କ ସହ ଅନେକ ନେତାଙ୍କୁ ଦେଖିବାକୁ ମିଳିଛି ।

ଶାହା ତାଙ୍କ ଭାଷଣରେ ମହାମେଣ୍ଟକୁ ଟାର୍ଗେଟକ କରିଛନ୍ତି । ସେ କହିଛନ୍ତି କି ତାଙ୍କର ଏହି ଗସ୍ତ କାରଣରୁ ଏବେ ନୀତିଶ କୁମାର ଓ ଲାଲୁଙ୍କ ପେଟରେ ଦରଜ ହୋଇଛି । ନୀତିଶ ଲାଲୁଙ୍କ କୋଳରେ ବସି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି । ହେଲେ ଲାଲୁ ଠିକ୍ ଜାଣିଛନ୍ତି କି ନୀତିଶ କୁମାର କୌଣସି ସମୟରେ ତାଙ୍କୁ ମଧ୍ୟ ଧୋକ୍କା ଦେଇ ପାରନ୍ତି ।

ସେପଟେ ବିହାରରେ ନକ୍ସଲ ପ୍ରସଙ୍ଗ ଉଠାଇଥିଲେ ଶାହା । ସେ କହିଛନ୍ତି ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ବିହାରରେ ବାମପନ୍ଥୀ ଉଗ୍ରବାଦକୁ ସମାପ୍ତ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରି ଶାହା କହିଛନ୍ତି କି ମୋଦୀ ସରକାର କେବଳ ଗରିବମାନଙ୍କ ପାଇଁ କାମ କରୁଛି ।

ସେପଟେ ବିହାରର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ମଧ୍ୟ ଶାହା ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି କି, ମହାମେଣ୍ଟ ସରକାର ଗଠନ ହେବା ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏନେଇ ସେ ସିଧାସଳଖ ମେଣ୍ଟ ସରକାରକୁ ଦାୟି କରିଛନ୍ତି ।