ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ସଂସଦରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ ଗୁଳିକାଣ୍ଡ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା

107

କନକ ବ୍ୟୁରୋ : ନାଗାଲାଣ୍ଡ ମୋନ୍ ଜିଲ୍ଲାରେ ଅଭାବନୀୟ ଗୁଳିକାଣ୍ଡ ଘଟଣାରେ ୧୪ ଜଣ ସାଧାରଣ ଲୋକଙ୍କ ସମେତ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ସଂସଦରେ ଉତର ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୁଳିକାଣ୍ଡ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି ଅମିତ ଶାହ ।

ନାଗାଲାଣ୍ଡରେ ଅଭାବାନୀୟ ଗୁଳିକାଣ୍ଡକୁ ନେଇ ସୋମବାର ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ସେନା ଗୁଳିରେ କିପରି ୧୪ଜଣ ସାଧାରଣ ଲୋକ ପ୍ରାଣ ହରାଇଲେ ତାହାକୁ ନେଇ ଜବାବ ରଖିବାକୁ ଦାବି କରିଥିଲେ ବିରୋଧୀ । ଆଉ ବିରୋଧୀଙ୍କ ଦାବି ପରେ ଲୋକସଭାରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନାଗାଲାଣ୍ଡ ମୋନ୍ ଜିଲ୍ଲା ଓଟିଙ୍ଗ ଗାଁ ନିକଟରେ, ଉଗ୍ରବାଦୀ ଗତବିଧିର ସୂଚନା ପାଇ ସେନା ତରଫରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏହି ସମୟରେ ଏକ ଗାଡିକୁ ଅଟାକାଇବା ପାଇଁ କମାଣ୍ଡୋମାନେ ସଂକେତ ଦେବା ସତ୍ୱେ ଗାଡି ଅଟକିନଥିଲା । ଗାଡିରେ ଉଗ୍ରବାଦୀ ଥିବା ସନ୍ଦେହରେ ଗୁଳିଚଳାଇବାକୁ ପଡିଥିଲା । ତେବେ ପରେ ସେହି ଗାଡିରେ ଓଟିଙ୍ଗ ଗାଁର ଦିନ ମଜୁରିଆ ଥିବା ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ । ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଏନେଇ ତଦନ୍ତ ଚାଲିଥିବା କହିଛନ୍ତି ଗୃହମନ୍ତ୍ରୀ ।

ଶନିବାର ଓଟିଙ୍ଗ ଗାଁର କିଛି ଦିନ ମଜୁରିଆ କୋଇଲା ଖଣିରୁ କାମ ସାରି ଫେରିବା ବେଳେ ସେମାନଙ୍କୁ ଉଗ୍ରବାଦୀ ସନ୍ଦେହ କରି ସେନା ତରଫରୁ ଗୁଳିଚାଳନା ହୋଇଥିଲା । ଗାଡିରେ ୮ଜଣ ଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟଣା ସ୍ଥଳରେ ହୋଇଥିଲା । ବାକି ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତି କରିଥିଲା ସେନା । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତେଜନା କରିବା ସହ ସେନାର ଗାଡିରେ ନିଆଁ ଲଗାଇଥିଲେ । ଫଳରେ ଲୋକଙ୍କୁ ଆୟତ କରିବା ପାଇଁ ନିରାପତା ବଳ ପୁଣି କରିଥିଲା ଫାୟାରିଂ । ଉତେଜନାରେ ୧୪ ଜଣ ସାଧାରଣ ଲୋକଙ୍କ ସମେତ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣାକୁ ନେଇ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟରେ ସେନାର ସ୍ୱତନ୍ତ୍ର ଶକ୍ତି ଆଫସା ଆକ୍ଟକୁ ହଟାଇବାକୁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ନାଗାଲାଣ୍ଡ ଗୁଳିକାଣ୍ଡ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ମୃତକଙ୍କ ପରିବାରକୁ ସୁବିଧା ସୁଯୋଗ ଯୋଗାଇବାଇଁ ଘୋଷଣା କରିଛନ୍ତି ନାଗାଲଣ୍ଡ ମୁଖ୍ୟମନ୍ତ୍ରୀ । ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ଶ୍ରମିକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସେମାନଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ।