ପ୍ରଥମ ଥର ପାଇଁ ଫେସ୍ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ବାହାରକୁ ଗଲେ ମୁହଁକୁ ଘୋଡାଇ ରଖିବା ପାଇଁ ପରାମର୍ଶ : ଘର ତିଆରି ମାସ୍କ ଉପରେ ଗୁରୁତ୍ୱ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ

464

କନକ ବ୍ୟୁରୋ : ସାରା ଦେଶରେ ମାସ୍କର ଅଭାବ ଥିବା ବେଳେ ଘର ତିଆରି ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ କରୋନା ଭାଇରସ୍ କାୟା ମେଲାଉଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏପରି ସୁପାରିଶ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରି ଅନୁସାରେ ଯେଉଁମାନେ ରୋଗରେ ପଡିନଥିବେ କିମ୍ବା ଶ୍ୱାସ-ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁନଥିବେ, ସେମାନେ ଘରୁ ବାହାରକୁ ଗଲେ ମୁହଁକୁ ଘୋଡ଼ାଇ ରଖିପାରିବେ । ଅର୍ଥାତ ସେମାନେ ଘର ତିଆରି ଫେସ୍ ମାସ୍କ ବ୍ୟବହାର କରିପାରିବେ ।  ଆଉ ସେଗୁଡିକୁ ସଫା କରି ବାରମ୍ବାର ବ୍ୟବହାର କରିହେବ ।

ଆମେରିକାରେ ମଧ୍ୟ ଫେସ୍ ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଛି । ତେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ମାସ୍କ ବ୍ୟବହାର କରୁନାହାନ୍ତି, ହେଲେ ଯେଉଁମାନେ ଚାହୁଁଛନ୍ତି, ସେମାନେ ମାସ୍କ ବ୍ୟବହାର କରନ୍ତୁ । ଗୋଟିଏ ରିପୋର୍ଟ ଅନୁସାରେ ଯେଉଁ ଅଂଚଳରେ ଫେସ୍ ମାସ୍କ ବ୍ୟବହାର ଅଧିକ ହୋଇଛି, ସେଠାରେ ସଂକ୍ରମଣ ହ୍ରାସ ପାଇଛି ।

ବାହାରକୁ ଯାଉଥିବା ଲୋକ ଏବଂ ଯେଉଁମାନେ ଥଣ୍ଡା ରୋଗରେ ପୀଡ଼ିତ ସେମାନଙ୍କୁ ଘର ଭିତରେ ମଧ୍ୟ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି । ବଜାରରେ ମାସ୍କର ଅଭାବ ଦେଖା ଦେଇଥିବାରୁ ଘରେ ତିଆରି କରି ପିନ୍ଧିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।