କନକ ବ୍ୟୁରୋ: ବ୍ଲକ କାର୍ଯ୍ୟାଳୟ ପରିସରରେ ହୋମ ଯଜ୍ଞ । ମାଇକ ବାଜୁଛି, ହୋମ ଚାଲିଛି, ପୁରୋହିତଙ୍କ ମନ୍ତ୍ରୋଚାରଣରେ ପୁରା ଅଞ୍ଚଳ ମୁଖରିତ ହେଉଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ହୋମ ଯଜ୍ଞକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳିଛି । ବ୍ୟାନରରେ ବିଶ୍ୱଶାନ୍ତି ମହାଯଜ୍ଞ ଲେଖା ରହିଛି । ହେଲେ ସାଧାରଣରେ ଚର୍ଚ୍ଚା ହେଉଛି ବିଶ୍ୱ ଶାନ୍ତି କାମନାରେ ଏହି ଯଜ୍ଞ କରାଯାଉ ନାହିଁ, ବରଂ ବ୍ଲକ ଚେୟାରମ୍ୟାନଙ୍କ ବିଜୟ ବାନା ଉଡାଇବା ପାଇଁ ଏହି ଯଜ୍ଞର ଆୟୋଜନ କରାଯାଇଛି ।

Advertisment

କୁହାଯାଉଛି, ଗଲା ନିର୍ବାଚନ ସମୟରେ ବିଜୟୀ ହେଲେ ଯଜ୍ଞ କରିବେ ବୋଲି ସଂକଳ୍ପ କରିଥିଲେ ବ୍ଲକ ଚେୟାରମ୍ୟାନ ଓ ଅନ୍ୟ ଜନପ୍ରତିନିଧି । ନିର୍ବାଚନରେ ଜିତିବା ପରେ ବିଭିନ୍ନ କାରଣରୁ ଯଜ୍ଞ ଆୟୋଜନ କରାଯାଇପାରିନଥିଲା । ଏବେ ନିର୍ବାଚିତ ସମସ୍ତ ଜନପ୍ରତିନିଧି ଏକଜୁଟ ହୋଇ ବ୍ଲକ କାର୍ଯ୍ୟାଳୟରେ ହୋମ କରୁଛନ୍ତି । ବଡ କଥା ହେଉଛି, ଯଜ୍ଞ ଚାଲିଥଲା ବେଳେ ବ୍ଲକ କାର୍ଯ୍ୟାଳୟ ଖୋଲା ରହିଛି, କର୍ମଚାରୀ କାମ କରୁଛନ୍ତି । ସାଙ୍ଘାତିକ କଥା ହେଲା ବ୍ଲକ ପରିସରରେ ଏଭଳି ମହାଯଜ୍ଞ କରିବା ପାଇଁ ବ୍ଲକ ପ୍ରଶାସନର କୌଣସି ଅନୁମତି ନିଆଯାଇ ନାହିଁ । ଯାହା ବ୍ଲକରେ ଜନପ୍ରତିନିଧିଙ୍କ ରାଜୁତି ଚାଲୁଥିବା ସ୍ପଷ୍ଟ କରୁଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ମାଇକ ବାଜିବା, ଯଜ୍ଞ ହେବା ଦ୍ୱାରା ବ୍ଲକ କାର୍ଯ୍ୟ ପ୍ରଭାବିତ ହେଉଛି । ସାଧାରଣ ଲୋକ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଥିପ୍ରତି ଜନପ୍ରତିନିଧିଙ୍କ ତିଳେମାତ୍ର ଖାତିର ନାହିଁ । ଏସଂପର୍କରେ ଗୋପବନ୍ଧୁନଗର ବିଡିଓଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।