୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଟ୍ରେନରେ କଟିଗଲା ଗୋଡ । ସାହାଯ୍ୟ ଘୋଷଣା ପରେ ବି ସଙ୍ଘର୍ଷରେ ବିତୁଛି ନଟବରଙ୍କ ଦିନ…

181

କନକ ବ୍ୟୁରୋ: ଖାକି ପୋଷାକ ପିନ୍ଧି ପୁଣି ଡ୍ୟୁଟି ବାହାରିଯିବାକୁ ଇଚ୍ଛା ହେଉଛି । ପୋଲିସ ପୋଷାକ ଦେଖିଲେ ମନରେ ସେ ପୁଲିସିଆ ବଳ ଫେରିଆସୁଛି । ହେଲେ ଛିଡା ହେବାକୁ ନାହିଁ ଗୋଡ କି ଚାଲିବାକୁ ନାହିଁ ପାଦ । ଆଜିକୁ ଠିକ ୨ ବର୍ଷ ତଳେ ଦୁଇ ଗୋଡ ହରାଇ ଅଚଳ ହୋଇପଡିଛନ୍ତି ଏ ହୋମଗାର୍ଡ ଜଣଙ୍କ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ବେଳେ ଟ୍ରେନରେ ତାଙ୍କ ଗୋଡ କଟିଯାଇଥିଲା । ଆଉ ଆଜି ଯେତେବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାଲେଶ୍ୱର ଯାଇଛନ୍ତି ଠିକ ସେତିକି ବେଳେ ସେଦିନର ଦୁର୍ଘଟଣା କଥା ମନେ ପକେଇ ଲୁହ ଗଡାଇଛନ୍ତି ନଟବର ନାୟକ ।

୨୦୧୯ ମସିହା ଫେବ୍ରୁୟାରୀ ୧୩ ତାରିଖ । ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଥାନ୍ତି । ଆଉ ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟକରୁଥିବା ନଟବର ଡ୍ୟୁଟି କରିବାକୁ ଟ୍ରେନ ଯୋଗେ ବାଲେଶ୍ୱର ଯାଉଥାନ୍ତି । ନୀଳଗିରି ରୋଡ୍ ଷ୍ଟେସନରେ ଟ୍ରେନ ରହିବା କ୍ଷଣି ପ୍ଲାଟଫର୍ମକୁ ପାଣି ଆଣିବାକୁ ତଳକୁ ଓହ୍ଲାଉଥିଲେ ହେଲେ ଏତିକିବେଳେ ଅନ୍ୟମନସ୍କ ହେତୁ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଟ୍ରେନ ଧକ୍କାରେ ତାଙ୍କର ଦୁଇଟି ଗୋଡ କଟିଯାଇଥିଲା । ପରେ କଟକ ନିଆଯାଇଥିଲେ ବି ତାଙ୍କୁ ୨ଟି ଗୋଡ ହରାଇବାକୁ ପଡିଥିଲା ।
ନଟବରଙ୍କ ଏ ଘଟଣା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ବେଳକୁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ପରିବାର ଲୋକେ କହିଛନ୍ତି । ଏଥିସହ ଘରର ଜମି, ସୁନା ଗହଣା ବି ବିକ୍ରି ସରିଛି । ନଟବର ଘରର ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ଘରେ ତାଙ୍କ ଉପରେ ସମସ୍ତେ ନିର୍ଭର କରୁଥିଲେ । ହେଲେ ଦୁର୍ଘଟଣାରେ ଗୋଡ ହରାଇବା ପରେ ୨ ବର୍ଷ ହେଲା ସେ ଚାକିରି ବି ହରାଇଛନ୍ତି । ତେଣୁ କେମିତି ଚଳିବେ ସେ ନେଇ ଚିନ୍ତାରେ ।

ତେବେ ସେ ରହୁଥିବା କୋଠା ଘର, ମାର୍ବଲର ଚଟାଣ ଦେଖି ଅନେକ ଭାବୁଥିବେ ଏତେ ଭଲ ଘରେ ରହିଥିବା ଜଣେ ଦିବ୍ୟାଙ୍ଗ ଲୋକର ଅସୁବିଧା କେଉଁଠି ରହିଛି ? ନାଇଁ ଆଜ୍ଞା, ଏଇଟା ନଟବରଙ୍କ ଘର ନୁହେଁ । ସୋର ତୁଣ୍ଡପଡାରେ ଥିବା ଏ ଘର ଭଡା ଘର, ଆଉ ଏ ଭଙ୍ଗା ପଲିଥିନ ଟଣାଘର ହେଉଛି ତାଙ୍କର । ହ୍ୱିଲ ଚେୟାରରେ ଚଲାବୁଲା ପାଇଁ ଭଙ୍ଗା ଘରେ ଚଳିବା ଅସୁବିଧା ହେଉଥିବାରୁ ପାଖ ପଡୋଶୀଙ୍କ ଘରେ ଭଡାରେ ରହୁଛନ୍ତି ନଟବରଙ୍କ ପରିବାର । ତେବେ ଆଜି ଯେତେବେଳେ ମୁଖ୍ୟମନ୍ତ୍ରୀ ପୁଣି ଥରେ ବାଲେଶ୍ୱର ଗସ୍ତରେ ଯାଇଛନ୍ତି ସେତେବେଳେ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାରି ଇଚ୍ଛା । କିନ୍ତୁ ନିଜ ଅକ୍ଷମତା ପାଇଁ ସେ ଘରେ ରହି କାନ୍ଦୁଛନ୍ତି ଆଉ ତାଙ୍କ ଦୁଃଖ ବୁଝିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିବେଦନ କରୁଛନ୍ତି ନଟବର । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତ କରି ଭୁବନେଶ୍ୱର ଫେରିବି ଆସିଛନ୍ତି । ଆମେ ଆଶା କରୁଛୁ ଏ ଖବର ସରକାରଙ୍କ ଦୃଷ୍ଟିଗୋଚରକୁ ଆସିଥିବ ଆଉ ନଟବରଙ୍କ ଏ ନିବେଦନ ଶୁଣି ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବ ।