କେନ୍ଦ୍ର ସରକାରରେ ପୁଣିଥରେ ମୋଦୀ-ଶାହା-ରାଜନାଥ ଯୋଡି । ଶାହାଙ୍କୁ ପୁଣିଥରେ ଗୃହ ଏବଂ ରାଜନାଥଙ୍କୁ ପୁଣିଥରେ ପ୍ରତିରକ୍ଷା ବିଭାଗ ନେଇ ବଢିଲା ଚର୍ଚ୍ଚା…

519

କନକ ବ୍ୟୁରୋ: କେନ୍ଦ୍ର ସରକାରରେ ପୁଣି ମୋଦୀ-ଶାହା-ରାଜନାଥ ଯୋଡି । ରବିବାର ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଥିବାବେଳେ, ତାଙ୍କ ମନ୍ତ୍ରୀମଣ୍ଡଳରେ ଅମିତ ଶାହା ଏବଂ ରାଜନାଥ ସିଂହ ରହିବା ଏକପ୍ରକାର ପକ୍କା ହେଇଯାଇଛି । ଖାଲି ସେତିକି ନୁହେଁ , ଏହି ଦୁଇ ନେତାଙ୍କୁ ତାଙ୍କର ପୁରୁଣା ବିଭାଗ ମଧ୍ୟ ପୁଣିଥରେ ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଏପରି ହେଲେ ଅମିତ ଶାହା ପୁଣିଥରେ ମୋଦୀ କ୍ୟାବିନେଟରେ ଗୃହମନ୍ତ୍ରୀ ଏବଂ ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ହେଇପାରନ୍ତି । ଏଥିସହ ନିର୍ମଳା ସୀତାରମଣ କିମ୍ବା ପିୟୁଷ ଗୋଏଲ ଅର୍ଥମନ୍ତ୍ରୀ ହେଇପାରନ୍ତି ବୋଲି କୁହାଯାଉଛି । ତା ସହ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଥିବା ଏସ୍ ଜୟଶଙ୍କର ପୁଣିଥରେ ବୈଦେଶିକ ମନ୍ତ୍ରୀ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଏହି ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ଏନଡିଏ ସହଯୋଗୀଙ୍କୁ ଦେବାକୁ ଅରାଜି ଅଛି ବିଜେପି । ତା ସହିତ ଏହି ବିଭାଗରେ ଦଳର ସବୁଠୁ ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦେବାକୁ ଦଳ ଚିନ୍ତା କରିଛି ।

ଅନ୍ୟପଟେ ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡଭ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନୀତିନ ଗଡକରୀ, ଜିତେନ୍ଦ୍ର ସିଂ ଭଳି ନେତା ମୋଦୀ କ୍ୟାବିନେଟରେ ସାମିଲ ହେବେ । ହେଲେ ଏପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ପଦକୁ ନେଇ ଆଲୋଚନା ଶେଷ ହେଇପାରିନି । ଗତ ଦୁଇଥର ମୋଦୀ ସରକାରରେ ସୁମିତ୍ରା ମହାଜନ ଏବଂ ଓମ୍ ବିର୍ଲା ବାଚସ୍ପତି ରହିଥିଲେ । ହେଲେ ଏଥର ଲୋକସଭା ବାଚସ୍ପତି କିଏ ହେଉଛନ୍ତି , ତାହା ମଧ୍ୟ ସ୍ପଷ୍ଟ ହେଇନି ।