ଶାମୁକାରୁ ତିଆରି ହେଉଛି ଘରସଜ୍ଜା ସାମଗ୍ରୀ: ସ୍ୱାବଲମ୍ବୀ ହେଉଛନ୍ତି ଭୋଗରାଇ ବ୍ଲକ ନାଫରାଇ ଗାଁର ୪୦ ଜଣ ମହିଳା

64

କନକ ବ୍ୟୁରୋ: ଶାମୁକାରୁ ତିଆରି ହେଉଛି ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ । ଡୋର ସ୍କ୍ରିନ୍, ୱାଲ ହ୍ୟାଙ୍ଗିଙ୍ଗ, ଝାଲେରି ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ବିନା ତାଲିମରେ ନିଜସ୍ୱ ଉଦ୍ୟମରେ ମହିଳା ମାନେ ଏହି ସବୁ ସାମଗ୍ରୀ ତିଆରି କରି ଲାଭବାନ ହେଉଛନ୍ତି । ଭୋଗରାଇ ବ୍ଳକ ଶଂଖାରୀ ପଂଚାୟତ ନାଫରାଇ ଗାଁର ନୀଳମାଧବ କୁଟିର ଶିଳ୍ପ ଉତ୍ପାଦିକା ଗୋଷ୍ଠୀର ୪୦ ଜଣ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ଦିନେ ଘର କାମ ଭିତରେ ସୀମିତ ରହି ନିଜ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ମହିଳା ଏବେ ନିଜ ଖର୍ଚ୍ଚ ନିଜେ କରୁଛନ୍ତି । ଅନ୍ୟ ଏସଏଚଜି ମହିଳା ମାନେ କରୁଥିବା କାମ ଦେଖି ନିଜେ କିଛି କରିବା ପାଇଁ ୨୦୧୯ରେ ଗଠନ କରିଥିଲେ ନୀଳମାଧବ କୁଟିର ଶିଳ୍ପ ଉତ୍ପାଦିକା ଗୋଷ୍ଠୀ । ପ୍ରତ୍ୟେକ ମହିଳା ୨୦୦ ଟଙ୍କା ଲେଖାଏଁ ଆଦାୟ କରି ଆରମ୍ଭ କରିଥିଲେ ବ୍ୟବସାୟ । ସାମୁକା କିଣି ଏହାକୁ କଲର କରି ସେଥିରେ ଏହି ସବୁ ସାମଗ୍ରୀ ତିଆରି କରୁଛନ୍ତି ମହିଳା ।

୫ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଉତ୍ପାଦିକା ଗୋଷ୍ଠୀ ଏବେ ଆକର୍ଷଣୀୟ ଘରସଜା ସମାଗ୍ରୀ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ସ୍ଥାନୀୟ ବଜାର ସହ ପଡ଼ୋଶୀ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି ଏହି ସବୁ ସାମଗ୍ରୀ । ଆଖପାଖ ଅଂଚଳରେ ହେଉଥିବା ମେଳା ମହୋତ୍ସବରେ ମହିଳା ମାନେ ତାଙ୍କ ହାତ ତିଆରି ସାମଗ୍ରୀ ପ୍ରଦର୍ଶନ କରନ୍ତି । ଯାହା କିଛି ରୋଜଗାର ହୁଏ ସମସ୍ତ ସଦସ୍ୟ ବାଂଟି ନିଅନ୍ତି । ସରକାରୀ ସ୍ତରରେ ମହିଳା ମାନଙ୍କୁ କିଛି ତାଲିମ ମିଳିବା ସହ ବଜାର ସୁବିଧା ମିଳିଲେ ମହିଳା ମାନେ ଆହୁରି ଆଗକୁ ବଢ଼ିପାରନ୍ତେ ।