ଓଡ଼ିଶାର ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପାଣି । ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ଜଳ ।

173

କନକ ବ୍ୟୁରୋ : ମାଲକାନଗିରି ବଣ୍ଡାଘାଟିରୁ ଅଯୋଧ୍ୟା ଗଲା ସୀତାକୁଣ୍ଡର ପାଣି । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ଯେଉଁ ସ୍ଥାନରେ ସମୟ ବିତାଇଥିଲେ, ସେଇ ସବୁ ପବିତ୍ର ସ୍ଥାନ ଦେଇ ଶ୍ରୀରାମ ବନ ଗମନ ପଥ କାବ୍ୟ ଯାତ୍ରାର ଶୁଭାରମ୍ଭ ହୋଇଛି । ଏହି କ୍ରମରେ ଆଜି ଐତିହ ସମ୍ପନ୍ନ ବଣ୍ଡା ଘାଟି ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସୀତାକୁଣ୍ଡର ଜଳ ସଂଗ୍ରହ କରିଛନ୍ତି ।

ବଣ୍ଡାଘାଟିର ସୀତାକୁଣ୍ଡ । ଏହାକୁ ନେଇ ଅନେକ କିମ୍ବଦନ୍ତୀ ରହିଛି । ଆଉ ଏହି ସୀତାକୁଣ୍ଡରୁ ଅଯୋଧ୍ୟାକୁ ଯାଇଛି ପାଣି । ଅଯୋଧ୍ୟାରେ ଏବେ ଜୋରସୋରରେ ଆଗେଇ ଚାଲିଛି ଶ୍ରୀରାମ ମନ୍ଦିର ନିର୍ମାଣ କାମ । ରାମ ମନ୍ଦିର ନିର୍ମାଣ ଲାଗି ଦେଶ ତଥା ବିଦେଶରେ ଥିବା ପ୍ରଭୁ ରାମଚନ୍ଦ୍ରଙ୍କ ଐତିହ ସମ୍ପନ୍ନ ସ୍ଥାନରୁ ପବିତ୍ର ଜଳ ସଂଗ୍ରହ କରାଯାଉଛି । ଏହି କ୍ରମରେ ବଣ୍ଡାଘାଟିରୁ ପବିତ୍ର ଜଳ ସଂଗ୍ରହ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିପାଇଁ ଉତ୍ସବ ମୁଖର ହୋଇଥିଲା ବଣ୍ଡାଘାଟି ।

କିମ୍ବଦନ୍ତୀ ଅନୁସାରେ.. ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବନବାସକୁ ଯାଇଥିଲେ, ସେତେବେଳେ ଦଣ୍ଡକାରଣ୍ୟ ଜଙ୍ଗଲରେ ଦୀର୍ଘ ବର୍ଷ ରହିବା ପରେ ବଣ୍ଡାଘାଟିକୁ ଆସିଥିଲେ । ବଣ୍ଡା ରମଣି ଏହି କୁଣ୍ଡରେ ଗାଧେଇବା ସମୟରେ ସୀତା ସେଠାରେ ପହଞ୍ଚିଥିଲେ, ଏବେ ବଣ୍ଡା ରମଣି ସୀତାଙ୍କୁ ଦେଖି ଉପହାସ କରିଥିବାରୁ ସୀତା ବଣ୍ଡାଙ୍କୁ ଅଭିଶାପ ଦେଇଥିଲେ । ଆଉ ସେଇ ଅଭିଶାପ ଅନୁଯାଇ ବଣ୍ଡାମାନେ ଆଜି ବି ଲଣ୍ଡା ଆଉ ସେଇ କୁଣ୍ଡର ନାଁ ସୀତା କୁଣ୍ଡ ଭାବେ ଆଜି ବି ରହିଛି ବୋଲି କୁହାଯାଏ । ଆଉ ବଣ୍ଡାଘାଟିରେ ଏଭଳି ଆୟୋଜନ ଓ ରାଜ୍ୟପାଳଙ୍କ ଉପସ୍ଥିତିକୁ ଦେଖି ସ୍ଥାନୀୟ ଲୋକେ ବି ଖୁସି ପ୍ରକାଶ କରିଛନ୍ତି ।