କନକ ବ୍ୟୁରୋ: ତାତି ପାଇଁ ଆଗୁଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା ହୋଇଛି । ତାତି ପାଇଁ କଲବଲ ହେଉଛନ୍ତି ଲୋକେ । ଅଧିକାଂଶ ସ୍ଥାନରେ ପାରା ୪୦ ଡିଗ୍ରୀ ଉପରେ ରହୁଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲକୁ ଆଗୁଆ ଛୁଟି ଘୋଷଣା ହୋଇଛି । ତେବେ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ଯାଏ ଖୋଲା ରହିବ ।

Advertisment

କିଛି ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ଆଗକୁ ସ୍ଥିତି ଆହୁରି ବିଗିଡ଼ି ପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ୨୫ ତାରିଖରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ଜାରି କରିଛି ଗଣଶିକ୍ଷା ବିଭାଗ ।

୨୫ ତାରିଖରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ
୨୨ରୁ ୨୪ ତାରିଖ: ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏ ଚାଲିବ ସ୍କୁଲ
ସ୍କୁଲ କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ମେ’ ୬ ତାରିଖରୁ ଖରା ଛୁଟି ହୋଇଥାନ୍ତା । ରଜ ପରେ ଅର୍ଥାତ ଜୁନ ୧୮ ତାରିଖରେ ଖୋଲିଥାନ୍ତା ସ୍କୁଲ । ହେଲେ, ଏପ୍ରିଲ ମାସରେ ରେକର୍ଡ ଭଙ୍ଗା ଗ୍ରୀଷ୍ମ ପ୍ରବାହ ଯୋଗୁଁ ୧୫ ଦିନ ପୂର୍ବରୁ ଛୁଟି ଘୋଷଣା କରିଛନ୍ତି ସରକାର ।

ଗୋଟିଏ ପଟେ ଅସହ୍ୟ ଖରା, ଅନ୍ୟପଟେ ପିଲାଙ୍କ ପାଠପଢ଼ା । ଶିକ୍ଷା ବର୍ଷରେ ୧୫ ଦିନ ବେଶ ଗୁରୁତ୍ୱ ରଖୁଛି । ଅନଲାଇନ୍ ମାଧ୍ୟମରେ ପାଠପଢ଼ା ଜାରି ରଖିବାକୁ ଘରୋଇ ସ୍କୁଲ ଅଂଟା ଭିଡୁଥିବା ବେଳେ ସରକାରୀ ସ୍କୁଲରେ କିପରି ପାଠପଢ଼ା ଭରଣା କରାଯିବ, ଏହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

ସରକାରୀ ସ୍କୁଲରେ ଅନଲାଇନ ପାଠପଢ଼ା ଜାରି ରଖିବାକୁ ଦାବି କରିଛି ଅଭିଭାବକ ସଂଘ । ନହେଲେ ପିଲା ପଛରେ ପଡିଯିବେ ବୋଲି ସଂଘ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ୧୭ ତାରିଖରୁ ୩ ଦିନ ସ୍କୁଲ ଛୁଟି କରାଯାଇଥିଲା । କିନ୍ତୁ ଏପ୍ରିଲ ୨୫ ତାରିଖରୁ ପୁଣି ତାତି ବଢ଼ିବ ବୋଲି ଆଂଚଳିକ ପାଣିପାଗ ପୂର୍ବାନୁମାନ କରିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଫଳରେ ଆଗୁଆ ଖରା ଛୁଟି ଘୋଷଣା କରାଯାଇଛି । ତେବେ ସରକାରୀ ସ୍କୁଲରେ ଅନଲାଇନ ପାଠପଢ଼ା ଜାରି ରଖିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।