ହୋଲି ପର୍ବରେ ଅଘଟଣ: ସାଲେପୁରରେ ପୋଖରୀରେ ବୁଡ଼ି ଯୁକ୍ତ ୨ ଛାତ୍ର ମୃତ, ସୋରରେ ଦହିସଡ଼ା ଗାଁରେ ଗାଧୋଇବାକୁ ଯାଇ ବୁଡିଗଲା ନାବାଳକ

294

କନକ ବ୍ୟୁରୋ: ହୋଲି ହେଲା କାଳ । ହୋଲି ଖେଳି ସାରିବା ପରେ ପୋଖାରୀରେ ଗାଧେଇବା ବେଳେ ବୁଡିଗଲେ ନାବାଳକ । ପାରାଦୀପ ଉପକଣ୍ଠ କୁତବୁଲା ଗାଁରେ ଏଭଳି ଘଟଣା ଘଟିଛି । ଏହି ଗାଁର ଜୟନ୍ତ ସରକାର ବାରବର୍ଷର ପୁଅ ରାଜକିଶୋର ଆଜି ସାଙ୍ଗଙ୍କ ସହ ରଙ୍ଗ ଖେଳି ପୋଖରୀକୁ ଗାଧେଇବାକୁ ଯାଇଥିଲେ । ସେଠାରେ ତାଙ୍କର ଗୋଡ ଖସିଯିବାରୁ ପୋଖରୀର ପାଣି ଭିତରେ ବୁଡିଯାଇଥିଲେ । ଅନେକ ଉଦ୍ୟମ ପରେ ମଧ୍ୟ ପାଖରେ ଥିବା ସାଙ୍ଗସାଥି ଉଦ୍ଧାର କରି ନପାରିବାରୁ ତାଙ୍କର ମୃତ୍ୟୁ ଘଟିଛି ।

କଳାହାଣ୍ଡିରେ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । କେସିଙ୍ଗା ଥାନା ପଲମ ଫାଣ୍ଡି ଆଲିମ ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ଆଲିମ ଗାଁର ଦୁଇ ଯୁବକ ବଜାରରୁ ପରିବା କିଣି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲେ । ଗଛରେ ଏତେ ଜୋରରେ ପିଟି ହୋଇଥିଲେ ଯେ ଘଟଣାସ୍ଥଳରେ ହିଁ ଦୁଇ ଯୁବକ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ କେସିଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଦୁଇ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରିଛି ।

ପୋଖରୀକୁ ଗାଧୋଇବାକୁ ଯିବା ହେଲା କାଳ । ହୋଲିରେ ସୋର ଦହିସଡ଼ା ଗାଁରେ ଅଘଟଣ । ହୋଲି ଖେଳିସାରି ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନାବାଳକ । ତେବେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ନାବାଳକ । ମୃତ ନାବାଳକଙ୍କ ନାଁ ଆୟୁଷ୍ମାନ ପାତ୍ର ବୋଲି ଜଣାପଡ଼ିଛି । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେହିପରି ସାଲେପୁରରେ ହୋଲିରେ ଘଟିଛି ଅଘଟଣ । ଯୁକ୍ତ ୨ରେ ପାଠ ପଢ଼ୁଥିବା ଯୁବକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସାଲେପୁର ଛାଣିପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତ ଯୁବକ ଜଣକ ସାଲେପୁର କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିଲେ । ଆଜି ହୋଲି ଖେଳ ସରିବା ପରେ ସେ ଗାଁ ପାଖ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଯେଉଁଠାରେ ତାଙ୍କ ଗୋଡ଼ ଖସି ଯାଇଥିଲେ । ଫଳରେ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ୧୭ ବର୍ଷୀୟ ଆଶିଷ କୁମାର ଦାସ । ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।