ସାତରଙ୍ଗରେ ରଙ୍ଗେଇ ହେଲେ ରାଜ୍ୟବାସୀ ! ଭାଇଚାରାର ପର୍ବରେ ପରସ୍ପରକୁ ଫଗୁ ଅବିର ଲଗାଇ ଜଣାଇଲେ ହୋଲି ଶୁଭେଚ୍ଛା ।

73

କନକ ବ୍ୟୁରୋ : ସାତରଙ୍ଗରେ ରଙ୍ଗେଇ ହେଲେ ରାଜ୍ୟବାସୀ । ସାରା ଓଡିଶା ପାଳିଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇବା ସହ ମିଠା ଖୁଆଇ କରିଛନ୍ତି ହୋଲି ସେଲିବ୍ରେସନ । ମ୍ୟୁଜିକର ତାଳେ ତାଳେ ସମସ୍ତେ ମସଗୁଲ ହୋଇ ହୋଲି ମନାଇବାର ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ।

ହୋଲିରେ ରଙ୍ଗ ଲଗାଇବା ମଜା । ନାଲି ସବୁଜ ରଙ୍ଗରେ ଅନ୍ୟକୁ ରଙ୍ଗେଇ ଦେବାର ଅବସର । ବର୍ଷକୁ ଥରେ । ତେଣୁ ସମସ୍ତେ ସାମିଲ ହୋଇ କରିଛନ୍ତି ହୋଲି ସେଲିବ୍ରେସନ । ଫଗୁ ଖେଳ ସହ ଚାଲିଥିଲା ନାଚଗୀତର ଆସର । ପରସ୍ପରକୁ ଶୁଭେଚ୍ଛା ଜଣାଇବାର ଅନନ୍ୟ ପରମ୍ପରା । ରାଗ ରୋଷ ଭେଦ ଭାବକୁ ଭୁଲି ଯାଇଥିଲେ ସମସ୍ତେ । କିଏ ପର କିଏ ଆପଣାର ଜାଣିବା ମୁସକିଲ । କାହିଁକି ନା ଏହି ରଙ୍ଗ ସମସ୍ତଙ୍କୁ ମିଶାଇ ଦେଇଛି, ଏକାଠି କରିଦେଇଛି ।

ରାଜଧାନୀ ଭୁବନେଶ୍ୱର ସମେତ ଢେଙ୍କାନାଳ, ସମ୍ବଲପୁରରେ ବି ହୋଲିର ସେଲିବ୍ରେସନ । ସକାଳୁ ଆରମ୍ଭ ହୋଇଥିବା ରଙ୍ଗ ଖେଳ ଚାଲିଥିଲା ପ୍ରାୟତ ଅପରାହ୍ନ ପର୍ଯ୍ୟନ୍ତ । ସାରା ଦେଶରେ ହୋଲିର ପରିବେଶ ଭିତରେ ଓଡିଶାର କୋଣ ଅନୁକୋଣରେ ବି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି ହୋଲି । ଭାଇଚାରାର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗରେ ରଙ୍ଗେଇ ହୋଇଛନ୍ତି ସମସ୍ତେ ।