କରୋନା ଭୟ ସତ୍ୱେ ସାରା ଦେଶରେ ହୋଲି ଉତ୍ସବ । ହୋଲି ଗୀତ ଗାଇ ଲୋକେ କଲେ କରୋନା ସଚେତନତା, କରୋନାକୁ ଦିଆଗଲା ରାକ୍ଷାସ ରୂପ ।

170

କନକ ବ୍ୟୁରୋ : କରୋନା ଭୟ ସାରା ବିଶ୍ୱକୁ ଘାରିଥିବା ବେଳେ ଭାରତରେ ହୋଲି ପର୍ବ ପାଳନ ବେଳେ ଦେଖାଯାଇଛି କରୋନା ସଚେତନତା । ଲୋକେ କରୋନାକୁ ରାକ୍ଷାସ ସହିତ ତୁଳନା କରିଛନ୍ତି । ଖାଲି ସେତିକି ନୁହେଁ, ଗୀତରେ ଗୀତରେ ହୋଲି ପାଇଁ କରୋନାକୁ ନେଇ ଦେଇଛନ୍ତି ସଚେତନତାର ବାର୍ତ୍ତା ।

ହୋଲିକୁ ଘାରିଛି କରୋନା ଭୟ । ତେବେ ଏହି ଭୟ ଓ ଆତଙ୍କର ବାତାବରଣ ଭିତରେ ଆରମ୍ଭ ହୋଇଯାଇଛି ହୋଲି ପର୍ବ ପାଳନ । ମୁମ୍ବାଇର ୱର୍ଲିରେ ଧୁମଧାମରେ ପାଳନ ହେଉଛି ହୋଲି । କରୋନା ଭାଇରସକୁ କରୋନା ଅସୁରର ରୂପ ଦିଆଯାଇଛି । ଆଉ ହୋଲି ପର୍ବ ପାଳନ ବେଳେ ଏଥିରୁ ବଂଚି ରହିବା ପାଇଁ ସଚେତନ କରାଯାଉଛି ।

ବାରଣାସୀରେ ମଧ୍ୟ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ରଙ୍ଗର ପର୍ବ । ସଙ୍ଗୀତରେ କରୋନା ନେଇ କରାଯାଇଛି ସଚେତନତା । ହୋଲିର ଗୀତରେ କରୋନାର କଥା । ବାଜା ବଜାଇ ଗୀତ ଗାଇ ଲୋକଙ୍କୁ ସଚେତନ କରାଇଛନ୍ତି କିଛି ଲୋକ । ଗୀତରେ ଗୀତରେ କରୋନା ଭୂତାଣୁ ଠାରୁ କିପରି ସତର୍କ ରହିବେ ସେ କଥା ମଧ୍ୟ କହୁଛନ୍ତି ଲୋକେ ।

ସତର୍କତାର ସହ ପାଳନ ହେଉଛି ରଙ୍ଗର ପର୍ବ ହୋଲି । ପଂଜାବର ଅମୃତସରରେ ଲୋକେ ଭିନ୍ନ ଉପାୟରେ ମନେଇଛନ୍ତି ହୋଲି । ରଙ୍ଗ ବଦଳରେ ଫୁଲରେ ଖେଳିଛନ୍ତି ହୋଲି । ପରସ୍ପର ଉପରକୁ ଫୁଲ ଫୋପାଡି ଏହି ଉତ୍ସବକୁ ମନେଇଛନ୍ତି । କରୋନା ଭୟ ଲୋକମାନଙ୍କୁ ଏପରି ଘାରିଛି ଯେ ସେମାନେ ରଙ୍ଗ ଠାରୁ ନିଜକୁ ଦୂରେଇ ରଖିଛନ୍ତି ।

ମଥୁରାରେ ଜାକଜମକରେ ଖେଳ ହୋଇଛି ହୋଲି । ବାଙ୍କ ବିହାରୀ ମନ୍ଦିରରେ ଶ୍ରଦ୍ଧାଳୁମାନେ ଅଭିର ବୋଳି ଖେଳିଛନ୍ତି ହୋଲି । ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସେପଟେ କୋଲକାତାରେ ଦୋଳ ଉତ୍ସବ ଅବସରରେ ଶ୍ରଦ୍ଧାଳୁ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଛନ୍ତି । ହୋଲି ପର୍ବ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।