କନକ ବ୍ୟୁରୋ : ହୋଲି ଖେଳ ଉପରେ ଲାଗିବ କି କରୋନା କଟକଣା । କାରଣ ପୁଣିଥରେ ଦଶେରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ମାତ୍ର ୩ସପ୍ତାହ ଭିତରେ ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୩୫ହଜାରରେ ପହଞ୍ଚି ଗଲାଣି । ଏକାଧିକ ରାଜ୍ୟରେ କରୋନା ଯୋଗୁଁ ନାଇଟ୍ କର୍ଫ୍ୟୁ ଲକ୍ଡାଉନ୍ ଲାଗୁ ହେଲାଣି। ଏଭଳି ପରିସ୍ଥିତିରେ ଚଳିତବର୍ଷର ହୋଲି ପାଳିବା ବିପଜ୍ଜନକ ହୋଇପାରେ । ଏପରିକି ହୋଲି ଖେଳ ଯୋଗୁଁ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି । ରାଜ୍ୟ ସରକାର ହୋଲି କଟକଣା ନେଇ ଏ ପର୍ଯ୍ୟନ୍ତ କୌଣସି ନିୟମାବଳୀ ଲାଗୁ କରି ନାହାନ୍ତି । ମାତ୍ର ବିଶେଷଜ୍ଞମାନେ ହୋଲିକୁ ଅତ୍ୟନ୍ତ ସତର୍କତାର ସହ ପାଳନ କରିବା ଉପରେ ଗୁରୁତ୍ବ ଦେଉଛନ୍ତି । ହୋଲି ଗୁରୁତ୍ବପୂର୍ଣ୍ଣ ନୁହେଁ, ଜୀବନ ଗୁରୁତ୍ବପୂର୍ଣ୍ଣ ବୋଲି ଲୋକମାନେ ବୁଝିବା ଦରକାର।
ଆସନ୍ତା ୨୯ତାରିଖରେ ପଡ଼ୁଛି ହୋଲି । ଗତବର୍ଷ କରୋନା ସଂକ୍ରମଣ ସହିତ ଲକ୍ଡାଉନ୍ ପାଇଁ ହୋଲି ଖେଳିବା ସମ୍ଭବ ହୋଇ ନ ଥିଲା । ହେଲେ ଗତବର୍ଷ ଅକ୍ଟୋବର ମାସରୁ ଦେଶବ୍ୟାପୀ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକମାନେ ଏଥିପାଇଁ ଢିଲା ହୋଇ ଗଲେଣି । ମୁହଁରେ ମାସ୍କ ରହୁନାହିଁ କି ବଜାରଘାଟରେ ସାମାଜିକ ଦୂରତ୍ବ ଦେଖିବାକୁ ମିଳୁନାହିଁ। ଏଭଳି ପରିସ୍ଥିତିରେ ହୋଲି ଖେଳିବା ଘାତକ ହୋଇପାରେ ।
ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ରଙ୍କ ମତରେ ଦେଶର କିଛି ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ଦେଖିବାକୁ ମିଳିଛି। ହୋଲି ସମୟରେ ସୁରତ, ମହାରାଷ୍ଟ୍ରରୁ ଆଦି ରାଜ୍ୟରୁ ପ୍ରବାସୀମାନେ ଓଡ଼ିଶାକୁ ଫେରିବାର ଥିବାରୁ ରାଜ୍ୟରେ ସଂକ୍ରମଣ ବଢ଼ିବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ । ଏହାସହ ହୋଲିରେ ଅତି ନିକଟରୁ ଲୋକମାନେ ପରସ୍ପର ସହିତ ରଂଗ ଲଗାଉଥିବାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । କଟକର ଗୋଟିଏ ସ୍ଥାନରୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ତେଣୁ ହୋଲିରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଉଥିବାରୁ ରାଜ୍ୟରେ ଦ୍ବିତୀୟ ଲହର ବିପଦକୁ ଡାକି ଆଣିବ । ତେଣୁ ଚଳିତବର୍ଷ ହୋଲିଠାରୁ ଯଥାସମ୍ଭବ ଦୂରେଇ ରହିବାର ଆବଶ୍ୟକତା ରହିଛି ବୋଲି ଡା.ମିଶ୍ର କହିଛନ୍ତି ।
ଆଇସିଏମ୍ଆରର ପୂର୍ବତନ ଉପଦେଷ୍ଟା ତଥା ବରିଷ୍ଠ ଚିକିତ୍ସକ ଡା. ତ୍ରିଭୁବନ ମହାପାତ୍ରଙ୍କ ସୂଚନା ଅନୁସାରେ, ହୋଲି ସମୟରେ ରାଜ୍ୟ ସରକାର ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରନ୍ତୁ । ଲୋକମାନେ କୋଭିଡ୍ ନିୟମ ପାଳନ କରିବା ସହିତ ନିଜ ଘରେ ହୋଲି ପାଳିବା ଉଚିତ୍। ମାସ୍କ ପିନ୍ଧିବା ସହିତ ହାତକୁ ସାନିଟାଇଜ୍ କରିବା ଲାଗି ଲୋକମାନେ ଭୁଲିବା ଉଚିତ୍ ନୁହେଁ। ହୋଲି ଗୁରୁତ୍ବପୂର୍ଣ୍ଣ ନୁହେଁ, ଜୀବନ ଗୁରୁତ୍ବପୂର୍ଣ୍ଣ । ହୋଲିରେ ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଘରକୁ ଫେରୁଥିବାରୁ କୋଭିଡ୍ର ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ନୂଆ ଷ୍ଟ୍ରେନ୍ ବିଶେଷକରି ଯୁବପିଢ଼ିଙ୍କୁ ସଂକ୍ରମିତ କରୁଥିବା ବେଳେ ଏହାର ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ତେଣୁ କରୋନା ସଂକ୍ରମଣକୁ ଏହା ବଢ଼ାଇ ଦେଇପାରେ ବୋଲି ଡା.ମହାପାତ୍ର କହିଛନ୍ତି ।
ଇତିମଧ୍ୟରେ ହୋଲିକୁ ନଜରରେ ରଖି କରୋନା ପାଇଁ ରାଜ୍ୟ ସରକାରଙ୍କ ବୈଷୟିକ କମିଟି ସର୍ବସାଧାରଣରେ ଗାଧୋଇବାକୁ ବାରଣ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କେବଳ ଗାଧୋଇବା ନୁହେଁ, ବହୁ ସଂଖ୍ୟାରେ ଲୋକ ଏକତ୍ର ହେବା ଉପରେ ମଧ୍ୟ ରୋକ୍ ଲଗାଇବା ଉପରେ କମିଟି ପ୍ରସ୍ତାବ ଦେଇଛି । କେବଳ ରାଜ୍ୟ ସରକାର ଏହା ଉପରେ ମୋହର ମାରିବା ବାକି ରହିଛି । ଯଦି ରାଜ୍ୟ ସରକାର ଏହି ପ୍ରସ୍ତାବକୁ ମାନି ନିଅନ୍ତି, ତାହାଲେ ଚଳିତବର୍ଷ ରାଜ୍ୟରେ ହୋଲି ପାଳନ ନେଇ କଟକଣା ଜାରି ହୋଇପାରେ ବୋଲି ଜଣାପଡ଼ିଛି ।
ହୋଲିରେ ରଙ୍ଗ ଖେଳ ପରେ ଲୋକମାନେ ପୋଖରୀ, ନଦୀ ଭଳି ସର୍ବସାଧାରଣ ସ୍ଥାନରେ ଏକାଠି ଗାଧୋଇବାକୁ ପସନ୍ଦ କରିଥା’ନ୍ତି। ତେବେ ଏହାଦ୍ବାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ କଟକଣା ଲଗାଇବା ପାଇଁ କମିଟି ଯୁକ୍ତି ବାଢ଼ିଛି। ଏହାସହ ଘରେ ରଂଗ ଖେଳିବା, ଅଚିହ୍ନା ଲୋକକୁ ରଂଗ ନ ଲଗାଇବା, ମାସ୍କ ପିନ୍ଧିବା, ବାହାରେ ଛେପ ନ ପକାଇବା ଓ ବାରମ୍ବାର ହାତ ଧୋଇବା ଇତ୍ୟାଦି ବୈଷୟିକ କମିଟି ଗୁରୁତ୍ବ ଦେଇଛି । ଦୋଳଯାତ୍ରା ସମୟରେ ମଧ୍ୟ କଟକଣା ବଜାୟ ରଖିବା ପାଇଁ କମିଟି ପ୍ରସ୍ତାବ ଦେଇଥିବା ଜଣାଯାଇଛି। ତେବେ କମିଟି ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମାନିବେ କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ କରୋନାର ଦ୍ବିତୀୟ ଲହର ଆଶଙ୍କା ରହିଛି । ତେଣୁ ଚଳିତବର୍ଷ ହୋଲିରେ କଟକଣା ଲାଗିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/5-18.jpg)