ହୋଲିର ଉତ୍ସାହ ଭିତରେ ଦୁଃଖ ଭରିଦେଲା ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୦ ଜଣଙ୍କର ଗଲା ଜୀବନ

385

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି । ମିଳିଥିବା ଖବର ଅନୁସାରେ ହୋଲିରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ପାଣିରେ ବୁଡ଼ି ୧୦ ଜଣ ଏବଂ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ହୋଲି ଖେଳି ସାରି ଗାଧୋଇବା ବେଳେ ରାୟଗଡା ବଡନାଳ ଡ୍ୟାମ୍ରେ ୩ ଜଣ ବୁଡି ପ୍ରାଣ ହରାଇଛନ୍ତି । ଅଗ୍ନିଶମ କର୍ମଚାରୀ ୩ ମୃତଦେହ ଉଦ୍ଧାର କରିଛନ୍ତି । ସେପଟେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି । ପିପିଲିରେ ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଟକ କାଠଯୋଡିରେ ବୁଡି ଦୁଇଜଣ ପ୍ରାଣ ହରାଇଛନ୍ତି ।

ମୃତକ କଟକ ନେତାଜୀ ନଗରର ବୋଲି ଜଣାପଡିଛି । ମୃତ ଦୁଇ ଛାତ୍ର ହେଲେ ନିଶାଙ୍କ କୁମାର ପାଢୀ ଓ ଶୁଭମ କୁମାର । ହୋଲି ସାରି ଗାଧେଇବାବେଳେ ଏମାନେ ବୁଡିଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ଏସସିବିରେ ଭର୍ତି କରାଯାଇଥିଲା । ସେଠାରେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାଜକନିକାରେ ଜଣେ ଏବଂ ନରାଜରେ ଜଣେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ଅନ୍ୟପଟେ ହୋଲି ଖେଳିବାକୁ ଯାଉଥିବା ବେଳେ ଢେଙ୍କାନାଳ କାଇମାଟି ଛକରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକରେ କପିଳାସ ପଟୁ ଆସୁଥିବା ତିନି ଜଣ ଯୁବକ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲେ । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି ।