ଛତା ଧରିଲେ ମିଳିବ ଡାକ ସେବା ! ବର୍ଷାରେ ଓଦା ହୋଇଯାଉଛି କାଗଜ ପତ୍ର ଓ କମ୍ପ୍ୟୁଟର କିନ୍ତୁ ଓଦା ସଡସଡ ହୋଇ କାମ କରୁଛନ୍ତି ଡାକ କର୍ମଚାରୀ

158

କନକ ବ୍ୟୁରୋ : ମୁଣ୍ଡରେ ଛତା, ହାତରେ କମ୍ପ୍ୟୁଟର । ପୁଣି କିଏ ରେନିକୋର୍ଟ ପିନ୍ଧି କରୁଛନ୍ତି କାମ…ଝୋ ଝୋ ବର୍ଷାରେ ଅଫିସର ଗୁରୁତ୍ୱପୂର୍ଣ୍ଣ କାଗଜ ବି ଓଦା । ତଥାପି ଛାତରୁ ପଡୁଥିବା ପାଣି ମଧ୍ୟରେ ବସି କାମ କରୁଛନ୍ତି ଡାକ ବିଭାଗର କର୍ମଚାରୀ । ଓଦା ସଡସଡ ହୋଇ ବିଦ୍ୟୁତ ଉପକରଣରେ କାମ କରିବା ଯେ, କେତେ କଷ୍ଟ ତାହା ଏମାନଙ୍କ ଅପେକ୍ଷା ବୋଧୁଏ କିଏ କହିପାରିବେ ନାହିଁ । ଗୋଟିଏ ହାତରେ ଛତା, ଅନ୍ୟ ହାତରେ କମ୍ପ୍ୟୁଟରରେ କାମ । ଏମିତି ପରିବେଶରେ ଚାଲିଛି ଡାକ ବିଭାଗରେ କାମ । ଛାତ ଉପରୁ ଠପଠପ ହୋଇ ଗଳୁଛି ପାଣି । ତଥାପି ଓଦା ହୋଇ ଅଫିସରେ କାମ କରୁଛନ୍ତି କର୍ମଚାରୀ । ଚେୟାରରୁ ଓହ୍ଲାଇବା ମାତ୍ରେ ପାଣିରେ ବୁଡିଯିବ ପାଦ । ଏମିତି ଭାବରେ ଚାଲିଛି ଡାକସେବା ।
ଛତା ଧରିଲେ ହେବ ଡାକ କାମ
ଗୋଟିଏ ହାତରେ ଛତା, ଅନ୍ୟ ହାତରେ କମ୍ପ୍ୟୁଟର

ପାଣି ପଡୁଛି, ପ୍ଲାଷ୍ଟର ବି ପଡୁଛି
ବିପଦ ସଙ୍କୁଳ ଅବସ୍ଥାରେ କାମ ଚାଲୁଛି

ଏ ହେଉଛି ଡେଲାଙ୍ଗର ଉପ-ଡାକଘରର ଅବସ୍ଥା । ବାତ୍ୟା ଫୋନିରେ ଡାକଘରର ଅବସ୍ଥା ପୂରା ବେହାଲ ହୋଇଯାଇଛି । ସାମାନ୍ୟ ବର୍ଷା ହେଲେ ଅହରହ ପାଣି ପଡୁଛି । ଛାତରେ ହଜାରେ କଣା, କିନ୍ତୁ ତାହାରି ମଧ୍ୟରେ ଚାଲିଛି ଡାକଘର । କେତେବେଳେ ମୁଣ୍ଡ ଉପରେ ପାଣି ପଡୁଛି ତ ଆଉ କେତେବେଳେ ସିମେଂଟ ପ୍ଲାଷ୍ଟର ଖଂଡ ଖଂଡ ହୋଇ ପଡୁଛି ।

ତେବେ ଏ ଚିତ୍ର ଏବେର ନୁହେଁ ବରଂ ଫୋନି ପରଠାରୁ ଏମିତି ଅବ୍ୟବସ୍ଥାରେ ଚାଲିଛି ଡାକଘରର କାମ । ପ୍ରତିଦିନ ହଜାର ହଜାର ଲୋକେ ଏହି ଡାକଘର ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଏମିତି ଅବସ୍ଥାରେ ଡାକଘରକୁ ଆସିବାକୁ ବି ଲୋକେ ଡରୁଛନ୍ତି ।

କେମିତି ଓ କେତେ ବିପଦ ସଂକୁଳ ଅବସ୍ଥାରେ କାମ କରୁଛନ୍ତି ଡାକବିଭାଗର କର୍ମଚାରୀ । କେତେବେଳେ ଫାଇଲ ପତ୍ର ବର୍ଷା ପାଣିରେ ଓଦା ହେଉଛି ତ ଆଉ କେତେବେଳେ ପାଣିରେ କାଗଜ ଭାସିଯାଉଛି । ସେପଟେ ବାହାରୁ ଆସୁଥିବା ଡାକଗୁଡିକୁ ସୁରକ୍ଷିତ ରଖିବା ଲାଗି ଜରି ବସ୍ତାରେ ବନ୍ଧାଯାଇଛି । କିନ୍ତୁ ଏମିତି ବର୍ଷା ପାଣିରେ ତାହା କେତେ ସୁରକ୍ଷିତ ରହିବ ତାହା ଏହି ଚିତ୍ରରୁ ସ୍ପଷ୍ଟ ଜଣାଯାଉଛି ।  ତେବେ ଦେଖାଯାଉ କେବେ ପ୍ରଶାସନର ନିଦ ଭାଂଗୁଛି ଓ ଡାକଘରର ପୁନଃ ନିର୍ମାଣ କିମ୍ବା ମରାମତି ହେଉଛି ।

Comments are closed.