ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିଲା କଳିଙ୍ଗ ଷ୍ଟାଡିୟମ୍ ! ଆତସବାଜିରେ ଝଲସିଲା ରାଜଧାନୀର ଆକାଶ ।

153

କନକ ବ୍ୟୁରୋ : ସେଇ ଐତିହାସିକ ମୁହୂର୍ତ, ଯାହା ଆଜି ସାରା ବିଶ୍ୱରେ ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ପୁୁରୁଷ ହକି ବିଶ୍ୱକପ ୨୦୧୮ । ଏହି ଉଦଘାଟନୀ ସହ ଭାରତୀୟ କ୍ରୀଡ଼ା ଇତିହାସରେ ଲେଖା ହୋଇଛି ଏକ ନୂଆ ଅଧ୍ୟାୟ । ହକିର ସବୁଠୁ ବଡ଼ ପ୍ରତିଯୋଗିତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବରେ ଉଦଘାଟନ କରିଛନ୍ତି । ବଲିଉଡ ବାଦଶାହା ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତ, ଏଆର ରେହେମାନଙ୍କ ସହ ବିଶ୍ୱ ହକିର ଶ୍ରେଷ୍ଠ ଖେଳାଳିଙ୍କ ଉପସ୍ଥିତିରେ ୨୦୧୮ ବିଶ୍ୱକପ୍ ହକିର ବିଗୁଲ୍ ବାଜିଛି ।

ଜୟ ହିନ୍ଦ୍ ହିନ୍ଦ୍, ଜୟ ଇଣ୍ଡିଆର ନାରାରେ ଗୁଂଜରିତ ହୋଇଛି କଳିଙ୍ଗ ଷ୍ଟାଡିୟମ । ଦୁନିଆର ଶ୍ରେଷ୍ଠ ୧୬ଟି ଦଳ, ୧୦ ହଜାରରୁ ଅଧିକ ଦର୍ଶକ, ହଜାର ହଜାର କଳାକାର ଏବଂ ଟିଭି ଜରିଆରେ ଦେଖୁଥିବା ଅଗଣିତ ଦର୍ଶକ ଏହି ଐତିହାସିକ ମୁହୂର୍ତର ସାକ୍ଷୀ ହୋଇଛନ୍ତି । ମୁମ୍ବାଇ ଏବଂ ଦିଲ୍ଲୀ ପରେ ଦେଶର ନୂଆ କ୍ରୀଡ଼ା କ୍ୟାପିଟାଲ୍ କୁହାଯାଉଥିବା ଭୁବନେଶ୍ୱର, ବିଶ୍ୱ ହକିର ସବୁଠୁ ବଡ ହକି ଇଭେଂଟକୁ ଆୟୋଜନ କରୁଛି । ତେବେ ଆଜି ଉଦଘାଟନୀ ସମାରୋହ ଶେଷରେ କମ୍ପି ଉଠିଥିଲା କଳିଙ୍ଗ ଷ୍ଟାଡିୟମ୍ । ଆତସବାଜିରେ ଝଲସି ଉଠିଥିଲା ରାଜଧାନୀର ଆକାଶ ।

ଉଦଘାଟନୀ ସହ ବିଶ୍ୱକପ୍ ହକିର ବିଗୁଲ୍ ବାଜିଥିବା ବେଳେ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମ୍ ଏହି ଐତିହାସିକ ମୁହୂର୍ତର ଆଉ ଏକ ସାକ୍ଷୀ ପାଲଟି ଯିବ । କାରଣ ଆସନ୍ତାକାଲି କଟକରେ ମଧ୍ୟ ଏକ ସତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଆଉ ତାପରେ ଆରମ୍ଭ ହେବ ଅସଲ ମୁକାବିଲା । ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ବିଶ୍ୱ ବିଜେତା ହେବା ପାଇଁ କଳିଙ୍ଗ ମୈଦାନରେ କରିବେ ଲଢ଼େଇ । ଆସନ୍ତାକାଲି ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବେଲଜିୟମ୍ ଏବଂ କାନାଡ଼ା । ସେହିପରି ଗ୍ରୁପ୍ ପର୍ଯ୍ୟାୟର ଆଉ ଏକ ମ୍ୟାଚରେ ଘରୋଇ ଭାରତୀୟ ଦଳକୁ ଭେଟିବ ଦକ୍ଷିଣ ଆଫ୍ରିକା । ଉଦ୍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ୧୬ଟି ଦେଶର ଖେଳାଳି ଓ କର୍ମଚାରୀଙ୍କୁ ସ୍ୱାଗତ କରିବା ସହ ବିଶ୍ୱକପ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।