କନକ ବ୍ୟୁରୋ : ହକି ବିଶ୍ୱକପରେ ଆଜିଠୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ୍ । ୪ଟି ଟିମ୍ କ୍ୱାର୍ଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କ୍ରସ ଓଭରରୁ ଅବଶିଷ୍ଟ ୪ଟି ଦଳ କ୍ୱାର୍ଟରକୁ ଉନ୍ନୀତ ହେବେ । ପ୍ରତି ପୁଲର ଦ୍ୱିତୀୟ ଓ ତୃତୀୟ ଦଳ କ୍ରସ ଓଭର ମ୍ୟାଚ ଖେଳିବେ । ତେବେ ଆଜି ଭାରତ ପାଇଁ କର ବା ମର ମ୍ୟାଚ । କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍ ସିର ତୃତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଗତ ବିଶ୍ୱକପରେ ଭାରତକ କ୍ୱାର୍ଟର ଫାଇନାଲରୁ ପରାଜିତ ହୋଇଥିଲା । ତେଣୁ ଏଥର ମ୍ୟାଚ ଜିତି କ୍ୱାର୍ଟରକୁ ଯିବାକୁ ଲକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।

Advertisment

ସେପଟେ ମ୍ୟାଚ ଜିତିଲେ ୪୦ ବର୍ଷ ପରେ କ୍ୱାଟରକୁ ଯିବ ନ୍ୟୁଜିଲ୍ୟାଣ୍ଡ । ଦୁଇ ଦଳ ମଧ୍ୟରୁ ଭାରତର ପଲା ଭାରୀ ରହିଛି । ଗତବର୍ଷ ପ୍ରୋ ଲିଗରେ ନ୍ୟୁଜିଲାଣ୍ଡକୁ ଦୁଇ ଥର ହାରାଇଥିଲା ଭାରତ । ତେବେ ଆଜି କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମଳିଛି । ସନ୍ଧ୍ୟା ୭ଟାରେ ମ୍ୟାଚ ଆରମ୍ଭ ହେବ । ଏହା ପୂର୍ବରୁ ଅପରାହ୍ଣ ୪.୩୦ ମିନିଟରେ ମାଲେସିଆ ଏବଂ ସ୍ପେନ ମଧ୍ୟରେ ମ୍ୟାଚ କ୍ରସ ଓଭର ମ୍ୟାଚ ଖେଳାଯିବ । ସେହିପରି ୨୩ ତାରିଖରେ ଜର୍ମାନୀ ଓ ଫ୍ରାନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍ ଆର୍ଜେଂଟିନା ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବ ।

ଚଳିତ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌ ତୁଳନାରେ ଭାରତ ଢେର ଭଲ କରିଛି । ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ୍‌କୁ ୨-୦ରେ, ୱେଲ୍ସକୁ ୪-୨ରେ ପରାସ୍ତ କରିଥିବା ବେଳେ ଇଂଲଣ୍ଡ ସହ‌ ଗୋଲଶୂନ୍ୟ ଡ୍ର’ ରଖିଥିଲା । ନ୍ୟୁଜିଲାଣ୍ଡ କିନ୍ତୁ ୨ଟି ପରାଜୟ ସତ୍ତ୍ବେ ନବାଗତ ଚିଲିକୁ ହରାଇଥିବାରୁ ପୁଲ୍ ‘ସି’ର ତୃତୀୟ ଦଳ ‌‌ହୋଇପାରିଛି । ନ୍ୟୁଜିଲାଣ୍ଡ କିନ୍ତୁ ନେଦରଲାଣ୍ଡ୍ସ ଓ ମାଲେସିଆ ନିକଟରୁ ହାରିଯାଇଥିଲା। ନ୍ୟୁଜିଲାଣ୍ଡ କେବେ ବି ହକି ବିଶ୍ବକପ୍‌ର ସେମିଫାଇନାଲ୍ ଉଠି ପାରିନାହିଁ ।

୧୯୭୫ ମସିହାରେ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ବକପ୍ ଜିତିଥିବା ଭାରତ ଏବେ ୪୮ ବର୍ଷ ପଦକ ମରୁଡିର ଅନ୍ତ ଘଟାଇପାରିବ କି ନା ପ୍ରଶ୍ନ ଉଠିଛି । ଆକାଶଦୀପ ସିଂହ ଫର୍ମକୁ‌ ଫେରିବା ଭାରତ ପାଇଁ ଖୁସିର ଖବର ହୋଇଥିଲେ ମଧ୍ୟ ଅଧିନାୟକ ହର୍ମନପ୍ରୀତ୍ ସିଂହ ପେନାଲ୍ଟି କର୍ଣ୍ଣର ରୂପାରନ୍ତରଣରେ ବିଫଳ ହେଉଥିବାରୁ ଦଳର ଚିନ୍ତା ବଢ଼ିଛି । ପ୍ରଥମ ଦୁଇ ମ୍ୟାଚ୍‌ରେ ଚମତ୍କାର ଖେଳିଥିବା ହାର୍ଦ୍ଦିକ ସିଂହ ଆହତ କାରଣରୁ ବିଶ୍ବକପ୍‌ରୁ ବାଦ୍ ପଡ଼ିଥିବାରୁ ମଧ୍ୟ ଦଳ ଉପରେ ଚାପ ପଡ଼ିଛି । ଆକାଶଦୀପ ସିଂହ, ମନ୍ରପୀତ୍ ସିଂହ, ମନଦୀପ ସିଂହଙ୍କ ସହ ଗୋଲରକ୍ଷକ ପିଆର୍‌ ଶ୍ରୀଜେଶଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଣ୍ଣୟ କରିବ ।