କନକ ବ୍ୟୁରୋ : ଶନିବାର ଚଳିତ ବିଶ୍ୱକପର ଶେଷ କ୍ଲାସିଫିକେସନ ମ୍ୟାଚରେ ବିଜୟ ସହ ସମ୍ମାନ ରକ୍ଷା କରିଛି ଭାରତ । ନିଜର ଦୁଇ କ୍ଲାସିଫିକେସନ ମ୍ୟାଚ ଜିତି ଦଳ ନବନ ସ୍ଥାନରେ ରହିଛି । ଗତ ୨୬ ତାରିଖରେ ଜାପାନଙ୍କୁ ୮-୦ରେ ହରାଇଥିବା ଭାରତ ଗତକାଲି ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲରେ ହରାଇଛି । ଏପଟେ ଆର୍ଜେଣ୍ଟିନା ୱେଲ୍ସକୁ ହରାଇ ଭାରତ ସହ ଯୁଗ୍ମ ଭାବେ ନବମ ସ୍ଥାନରେ ରହିଛନ୍ତି ।
ମ୍ୟାଚ୍ ଆରମ୍ଭରୁ ଶନିବାର ଭାରତୀୟ ଖେଳାଳି ଆକ୍ରମଣ ଆରମ୍ଭ କରିଥିଲେ। ଚତୁର୍ଥ ମିନିଟ୍ରେ ଅଭିଷେକ ଏକ ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ । ଏହାପରେ ହର୍ମନପ୍ରୀତ ସିଂହ ୧୧ତମ ମିନିଟ୍ରେ ଏକ ପେନାଲଟି କର୍ଣ୍ଣର୍କୁ ଗୋଲ୍ରେ ରୂପାନ୍ତରିତ କରିଥିଲେ । ଫଳରେ ଦଳ ୨-୦ରେ ଆଗୁଆ ରହିଥିଲା । ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ସ୍କୋର୍ରେ କୌଣସି ପରିବର୍ତ୍ତନ ଆସିନଥିଲା। ତେବେ ତୃତୀୟ କ୍ବାର୍ଟରରେ ଭାରତୀୟ ଖେଳାଳି ଆକ୍ରମଣକୁ ଶାଣିତ କରିଥିଲେ । ସାମସେର ସିଂହ ଓ ଆକାଶଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦଳର ବ୍ୟବଧାନକୁ ୪-୦କୁ ବୃଦ୍ଧି କରିଥିଲା । କିନ୍ତୁ ଆକାଶଦୀପଙ୍କ ଗୋଲ୍ର କେଇ ସେକେଣ୍ଡ୍ ପରେ ଦକ୍ଷିଣ ଆଫ୍ରିକାର ସେମକେଲୋ ମିମ୍ବି ଗୋଟିଏ ଫିଲ୍ଡ ଗୋଲ୍ ଦେଇ ବ୍ୟବଧାନକୁ ହ୍ରାସ କରିଥିଲେ। ମ୍ୟାଚ୍ର ୫୮ତମ ମିନିଟ୍ରେ ସୁଖଜିତ ସିଂହ ଆଉ ଏକ ଗୋଲ୍ ଦେଇ ସ୍କୋର୍କୁ ୫-୧କୁ ଆଣିଥିଲେ ।
ତେବେ ମ୍ୟାଚ୍ର ଶେଷ ମିନିଟ୍ରେ ଦକ୍ଷିଣ ଆଫ୍ରିକା ଏକ ପେନାଲ୍ଟି ଷ୍ଟ୍ରୋକ୍ ସୁଯୋଗ ପାଇଥିଲା । ଏହାକୁ କିନ୍ତୁ ମୁସ୍ତାଫା କାସିମ ହାତଛଡ଼ା ନକରି ଗୋଲ୍ରେ ପରିଣତ କରିଥିଲେ। ମ୍ୟାଚ୍ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ଦୁଇଟି ଗୋଲ୍ ପରିଶୋଧ କରିବାରୁ ୨-୫ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ରେ ଭାରତ ମୋଟ୍ ୭ଟି ପେନାଲଟି କର୍ଣ୍ଣର୍ ସୁଯୋଗ ପାଇଥିଲା । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଦୁଇଟି ପେନାଲଟି କର୍ଣ୍ଣର୍ ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ତାକୁ ସଫଳତାର ସହ ରୋକିଥିଲେ । ଏତଦ୍ବ୍ୟତୀତ ଏହି ମ୍ୟାଚ୍ରେ ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ଓ ସୁଖଜିତ ସିଂହ ୟେଲୋ କାର୍ଡ ପାଇଥିବା ବେଳେ ନୀଳକାନ୍ତ ଶର୍ମା ଗ୍ରିନ୍ କାର୍ଡ ପାଇଥିଲେ । ସେହିଭଳି ଦକ୍ଷିଣ ଆଫ୍ରିକାର ନିକୋଲାସ ସ୍ପୁନର ଓ ନୋବିଲ୍ ଏନ୍ଟୁଲି ଗ୍ରିନ୍ କାର୍ଡ ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/ADI_1100-750x430-1.jpg)