ହକି ବିଶ୍ୱକପ୍ କ୍ୱାର୍ଟର ଲାଇନ୍ ଅପ୍ ଚୂଡ଼ାନ୍ତ : ଆଜି ଓ ଆସନ୍ତାକାଲି ଖେଳାଯିବ କ୍ୱାର୍ଟର ଫାଇନାଲର ସମସ୍ତ ମ୍ୟାଚ

91

କନକ ବ୍ୟୁରୋ : କ୍ରସଓଭର ପର୍ଯ୍ୟାୟ ଶେଷ ହେବା ପରେ ଆଜିଠୁ ହକି ବିଶ୍ୱକପରେ କ୍ୱାର୍ଟର ଫାଇନାଲ ମୁକାବିଲା । ଆଜି କ୍ୱାର୍ଟରଫାଇନାଲରେ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ-ସ୍ପେନ୍ ଓ ଦ୍ୱିତୀୟ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡ । ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଆଉ ଏକ ବିଜୟ ଅପେକ୍ଷାରେ ରହିଛନ୍ତି ।

ପ୍ରଦର୍ଶନ ଏବଂ ବିଶ୍ୱ ମାନ୍ୟତା ଦୃଷ୍ଟିରୁ ଉଭୟ କ୍ୱାର୍ଟରରେ ବିଜୟ ପାଇଁ ଦାବିଦାର ରହିଛନ୍ତି । ସେହିପରି ଆସନ୍ତାକାଲି ତୃତୀୟ କ୍ୱାର୍ଟର ନେରଲାଣ୍ଡ-ଦକ୍ଷିଣ କୋରିଆ ଏବଂ ଶେଷ କ୍ୱାର୍ଟର ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଗତକାଲି ଆର୍ଜେଂଟିନା ଓ କୋରିଆ ମଧ୍ୟରେ କ୍ରସ୍ ଓଭର ମୁକାବିଲା ରହିଥିଲା । ଶକ୍ତିଶାଳୀ ଆର୍ଜେଂଟିନାକୁ ସୁଟ୍ଆଉଟ୍ରେ ପରାସ୍ତ କରି ଦକ୍ଷିଣ କୋରିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟ ଏକ ମ୍ୟାଚ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ଜର୍ମାନୀ ପ୍ରଥମ କ୍ୱାର୍ଟରରୁ ହିଁ ଫ୍ରାନ୍ସ ଉପରେ ପ୍ରଭାବ ବିସ୍ତାର କରିଚାଲିଥିଲା । ଫ୍ରାନ୍ସକୁ ୫-୧ ଗୋଲରେ ହରାଇ କ୍ୱାର୍ଟରରେ ନିଜ ସ୍ଥାନ ପକ୍କା କରିନେଇଛି ଜର୍ମାନୀ ।