ଖେଳ ଜିତ, ଖାସି ଖାଅ… ହକି ମ୍ୟାଚ୍ ଜିତିଲେ ଟ୍ରଫି ନୁହେଁ, ମିଳୁଛି ଛେଳି ।

114

କନକ ବ୍ୟୁରୋ: ମ୍ୟାଚ୍ ଜିତ, ଖାସି ପାଅ । ମ୍ୟାଚରେ ବିଜୟୀ ହେଲେ ଦଳକୁ ଟ୍ରଫି ନୁହେଁ ମିଳିବ ଛେଳି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କାହାଣୀ କିନ୍ତୁ ସତ । ଆଉ ଏହି ପରମ୍ପରା ପାଳୁଛି ଓଡିଶାର ସୁନ୍ଦରଗଡ ଜିଲ୍ଲା । ସୁନ୍ଦରଗଡକୁ ହକିର ଏନ୍ତୁଡିଶାଳା କୁହାଯାଏ । ଆଉ ସୁନ୍ଦରଗଡରେ ହକି କେବଳ ଖେଳ ନୁହେଁ, ହକିକୁ ନେଇ ଗାଁ ଗାଁରେ ମଧ୍ୟ ମ୍ୟାଚର ଆୟୋଜନ କରି ଉତ୍ସବ ବି ପାଳନ ହୁଏ । ଢୋଲ, ନିଶାନ, ତାସା, ନାଗରାର ତାଳେ ତାଳେ ଅତିଥିଙ୍କୁ ସ୍ୱାଗତ କରନ୍ତି ଗ୍ରାମାଞ୍ଚଳର ଯୁବକ ଯୁବତୀ ।

ବାଲିଶଙ୍କରା ବ୍ଲକ ଲକରାଜୋର ଗାଁରେ ଆୟୋଜିତ ହକି ଟୁର୍ଣ୍ଣାମେଣ୍ଟ ଫାଇଲାନ ମ୍ୟାଚ । ୧୫ ଦିନ ଧରି ମ୍ୟାଚ୍ ଚାଲିଥିବା ବେଳେ ଫାଇନାଲ ଦିନ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ପଥୁରିଆ ଗାଁ ଖେଳ ପଡିଆରେ ଅତି ଉତ୍ସାହର ସହ ଖେଳାଳିମାନେ ନିଜ ପ୍ରତିଦ୍ୱନ୍ଦୀଙ୍କ ସହ ଖେଳି ଗୋଟିଏ ଟିମ୍ ଅନ୍ୟ ଟିମକୁ ପରାସ୍ତ କରିବା ପାଇଁ ଲାଗିପଡିଛନ୍ତି । ଆଉ ପଡିଆ ବାହାରେ ରୁଣ୍ଡ ହୋଇଥିବା ଶହଶହ ସମର୍ଥକ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି । ପ୍ରତିବର୍ଷ ଏହି ସମୟରେ ଏଭଳି ନିଆରା ଢଙ୍ଗର ହକି ମ୍ୟାଚ ଦେଖିବାକୁ ମିଳେ । କିନ୍ତୁ ଏହି ହକି ମ୍ୟାଚରେ ସବୁଠାରୁ ଆକର୍ଷଣୀୟ ପୁରସ୍କାର ହେଉଛି ଖାସି । ଅର୍ଥାତ ଯଦି ଦୁଇ ଦଳ ଭିତରକୁ କେହି ମ୍ୟାଚ୍ ଜିତନ୍ତି ତେବେ ତାଙ୍କୁ କୌଣସି ଅର୍ଥ ରାଶି ନୁହେଁ କି ସୁନ୍ଦର ଟ୍ରଫି ନୁହେଁ ବରଂ ଦିଆଯାଏ ଖାସି । ବିଜେତା, ଉପବିଜେତାଙ୍କୁ ଖାସି ପୁରସ୍କାର ଦିଆଯାଏ । ହକିର ଏନ୍ତୁଡିଶାଳା ସୁନ୍ଦରଗଡରେ ଏହା ହେଉଛି ପରମ୍ପରା, ଏହା ହେଉଛି ମହୋତ୍ସବ ।

ତେବେ ଯେତେବେଳେ ଚାଷୀ ନିଜର ଚାଷ କାମ ସାରିଥାଏ ଆଉ ଫସଲ ଅମଳ ପାଇଁ ଅପେକ୍ଷା କରିଥାଏ ସେତେବେଳେ
ଏହି ହକି ଖେଳକୁ ସୁନ୍ଦରଗଡର ଆଦିବାସୀ ସମ୍ପ୍ରଦାୟର ଲୋକ ମନୋରଞ୍ଜନର ମାଧ୍ୟମ ଭାବେ ବାଛିଥାନ୍ତି । ଘରେ ଧାନ ଚାଉଳ ଥାଏ, ପାଳିତ ଛେଳି କୁକୁଡା ବି ଥାଏ ମାତ୍ର କାହା ପାଖରେ ଏତେ ଟଙ୍କା ନଥାଏ । ତେଣୁ ଅଳ୍ପ ଟଙ୍କାରେ ମନୋରଞ୍ଜନ ପାଇବାକୁ ଗାଁ ଗାଁରେ ଆରମ୍ଭ ହୁଏ ଏହି ହକି ମହୋତ୍ସବ । ଖେଳରେ ବିଜୟୀ ଦଳକୁ ଟଙ୍କା ନୁହେଁ ବରଂ ଛେଳି, କୁକୁଡା ବି ଦିଆଯିବାର ଦେଖାଯାଏ । ତେବେ ଏହି ସୁନ୍ଦରଗଡ ମାଟିରୁ ୨ ଓଡିଆ ଖେଳାଳୀ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଭାରତୀୟ ପୁରୁଷ ହକି ଦଳ ପାଇଁ ଖେଳି ଦେଶ ପାଇଁ ଗୌରବ ଆଣିଛନ୍ତି । ଆଉ ଗାଁ ଗାଁରେ ହେଉଥିବା ଏହି ପ୍ରତିଯୋଗିତା ହୁଏତ ଆଗାମୀ ଦିନରେ ଅନେକ ଖେଳାଳି ତିଆରି କରିପାରେ ।