ଓଡିଶାରୁ ଫେରିଲେ ଅଲିମ୍ପିକ୍ସ ହିରୋ : ଗତକାଲି ପୁରୁଷ ହକି ଦଳ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ

89

କନକ ବ୍ୟୁରୋ : ଓଡିଶାରୁ ଫେରୁଛନ୍ତି ଅଲମ୍ପିକ୍ସରେ ଭାଗ ନେଇଥିବା ଖେଳାଳି । ଗତକାଲି ପୁରୁଷ ହକି ଦଳ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ । ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିବା ଭାରତୀୟ ହକି ଖେଳାଳିମାନେ ଗତକାଲି ଓଡ଼ିଶାରେ ପହଂଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହକି ଦଳର ଅବଦାନକୁ ଭୂୟଶୀ ପ୍ରଂଶସା କରାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଇଣ୍ଡିଆକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଉଭୟ ପୁରୁଷ ଓ ମହିଳା ଦଳର ସମସ୍ତଙ୍କୁ ୧୦ ଲକ୍ଷ ଲେଖାଏଁ ଓ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର ।

ଏହାଛଡ଼ା ଭାରତୀୟ ମହିଳା ହକି ଦଳର ଗୋଲକିପର ସବିତା ପୁନିଆଙ୍କୁ ମୋଷ୍ଟ ଗୋଲ ସେଭ୍ ସମ୍ମାନରେ ସମ୍ମାନିତ କରାଯିବା ସହ ୫ ଲକ୍ଷ ଟଙ୍କା ଦିଆଯାଇଛି । ସେହିପରି ମହିଳା ଦଳର ସଦସ୍ୟା ରାନୀ ଓ ନବନୀତଙ୍କୁ ୫ ଲକ୍ଷ ଲେଖାଏଁ, ଦୀପ ଗ୍ରେସ ଏକ୍କାଙ୍କୁ ଡିଫେଣ୍ଡ ପାଇଁ ୫ ଲକ୍ଷ, ମିଡ ଫିଲଡରେ ଭଲ ପ୍ରଦର୍ଶନ ପାଇଁ ସୁଶୀଲା ଚାନୁଙ୍କୁ ୫ ଲକ୍ଷ ପ୍ରଦାନ କରାଯାଇଛି । ଗୁରୁଜିତ କୌର ଓ ବନ୍ଦନା କଟାରିଆଙ୍କୁ ସର୍ବାଧିକ ଗୋଲ ସ୍କୋର ପାଇଁ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି । ସେପଟେ ପୁରୁଷ ହକି ଦଳର ଗୋଲକିପର ଶ୍ରୀଜେଶଙ୍କୁ ସର୍ବାଧିକ ଗୋଲ ସେଭ୍ ପାଇଁ ୫ ଲକ୍ଷ, ସୂର୍ଯ୍ୟକାନ୍ତ, ରୂପିନ୍ଦର, ହର୍ମନପ୍ରୀତ ଓ ଅମିତ ରୋହିଦାସଙ୍କୁ ୫ ଲକ୍ଷ ଲେଖାଏଁ ଦିଆଯାଇଛି ।

ଏହି ଅବସରରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏଓନ ମୁଖ୍ୟ ନରିନ୍ଦର ବାତ୍ରା କହିଥିଲେ, ଭାରତରେ ଯେଉଁ କ୍ରୀଡା ଭିତିଭୂମିର ଆବଶ୍ୟକତା ରହିଛି ତାକୁ ଓଡ଼ିଶା ଆଗୁଆ ଚିନ୍ତା କରି କାର୍ଯ୍ୟକାରୀ କରୁଛି । ହକି ଷ୍ଟାଡିୟମ ଏହାର ସବୁଠୁ ବଡ ଉଦାହରଣ । ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ କଡ଼ା ସୁରକ୍ଷାର ସହ ସେମାନଙ୍କୁ ହୋଟେଲକୁ ନିଆଯାଇଥିଲା ।