ଅବହେଳିତ ହକିର ଏନ୍ତୁଡ଼ିଶାଳ! ୬୦ରୁ ଅଧିକ ଆନ୍ତର୍ଜାତୀୟ ଖେଳାଳି ଭେଟି ଦେଇଛି ଏହି ମାଟି, ହେଲେ ହେଉଛି ହତାଦର ।

166

କନକ ବ୍ୟୁରୋ: ହକି ଖେଳକୁ ନେଇ ବିଶ୍ୱ ଦରବାରରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି ଓଡିଶା । ହକିକୁ ନେଇ ସରକାର ନିଜର ଉପଲବ୍ଧିକୁ ମାର୍କେଟିଂ ମଧ୍ୟ କରୁଛନ୍ତି । ହେଲେ ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡରେ ହକିକୁ ହତାଦର କରିବାର ଚିତ୍ର ସାମ୍ନାକୁ ଆସିଛି । ୬୦ରୁ ଅଧିକ ଅର୍ନ୍ତଜାତୀୟ ଖେଳାଳି ଭେଟିଦେଇଥିବା ସୁନ୍ଦରଗଡରେ ହକି ଆଜି ଅବହେଳିତ । ହେଲେ ସୁନ୍ଦରଗଡ ଏନ୍ତୁଡିଶାଳରେ ହକିକୁ ହତାଦର’ ।

ସୁନ୍ଦରଗଡ ସବଡେଗା ବ୍ଲକ କିରାଲଗା ଗାଁରେ ଚାଲିଛି ହକି ଟୁର୍ଣ୍ଣାମେଂଟ । ପଡିଆରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର । ମ୍ୟାଚ୍ ଦେଖିବାକୁ ହକି ପ୍ରେମୀଙ୍କ ମନରେ ନାହିଁ ନଥିବା ଉକ୍ରଣ୍ଠା । ହେଲେ ଏହି ଖେଳାଳିମାନଙ୍କ ସହ ଯଦି ପଡିଆକୁ ଥରେ ଦେଖିବେ ତା’ହେଲେ ବାସ୍ତବ ଚିତ୍ର ଜାଣିପାରିବେ । ହକିର ଏନ୍ତୁଡିଶାଳରେ ଆବୁଡା ଖାବୁଡା ପଡିଆରେ ନିମ୍ନମାନର ହକି ଉପକରଣରେ ଚାଲିଛି ମ୍ୟାଚ୍ । ହେଲେ ଏହି ଖେଳାଳିଙ୍କ ମନରେ ରହିଛି ଜାତୀୟସ୍ତରର ସ୍ୱପ୍ନ । ମାତ୍ର ଏଥିପାଇଁ ରାସ୍ତା ବହୁ କଂଟକିତ ।

ହକିର ଏନ୍ତୁଡିଶାଳରେ ଆୟୋଜିତ ଟୁର୍ଣ୍ଣାମେଂଟରେ ୧୦୦ରୁ ଅଧିକ ଦଳ ଭାଗ ନିଅନ୍ତି । ଏଇଠି ଖେଳୁଥିବା ଖେଳାଳି ଜାତୀୟସ୍ତରରେ ଆୟୋଜିତ ପ୍ରତିଯୋଗିତାରେ ସାମିଲ ହୋଇ ସିନ୍ଥେଟିକ୍ ଆଷ୍ଟ୍ରୋଟର୍ଫରେ ଖେଳିବା ପାଇଁ ଇଚ୍ଛା ରଖିଛନ୍ତି । ହେଲେ ଏମାନଙ୍କ ପାଇଁ ଏଠାରେ ସରଞ୍ଜାମ ନାହିଁ, କି ନାହିଁ ଭଲ ପଡିଆ । ହକିକୁ ନେଇ ଗର୍ବ କରୁଥିବା ସରକାରଙ୍କ ପକ୍ଷରୁ ସୁନ୍ଦରଗଡର ହକି ମ୍ୟାଚ ପାଇଁ କୌଣସି ସହାୟତା ନାହିଁ କି ସହଯୋଗ ନାହିଁ । କିନ୍ତୁ ଏନ୍ତୁଡିଶାଳରେ ହକିକୁ ବଚାଂଇ ରଖିବା ପାଇଁ ଜିଲ୍ଲାର ଅନେକ ବ୍ୟକ୍ତି ଓ ଅନୁଷ୍ଠାନ ନିଜସ୍ୱ ଖର୍ଚରେ ବର୍ଷତମାମ୍ ହକି ଖେଳର ଆୟୋଜନ କରନ୍ତି ।

ଏପଟେ ସୁନ୍ଦରଗଡରେ ଥିବା ଓଡିଶା ସ୍ପେର୍ଟ୍ସ ହଷ୍ଟେଲରେ ହକି, କିପରି ହତାଦର ହେଉଛି ତା’ର ଚିତ୍ରକୁ ମଧ୍ୟ ଦେଖନ୍ତୁ । ୨୦୧୭ରୁ ହଷ୍ଟେଲକୁ ଆସିଛି ସିନ୍ଥେଟିକ୍ ଆଷ୍ଟ୍ରୋଟର୍ଫ । ହେଲେ ଅଦରକାରୀ ଭାବରେ ପଡିଆର ଗୋଟିଏ କୋଣରେ ପଡିରହିଛି । ଏଣେ ଜାତୀୟ ଏବଂ ଆର୍ନ୍ତଜାତୀୟ ମ୍ୟାଚ୍ ଖେଳିବା ଆଶା ନେଇ ଧୂଳିମାଟିର ପଥୁରିଆ ପଡିଆରେ ସଂଘର୍ଷ ଜାରି ରଖିଛନ୍ତି କ୍ରୀଡା ଛାତ୍ରାବାସର ଅନ୍ତେବାସୀ । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି –

୧. ରାଜ୍ୟ ଏବଂ ଜାତୀୟସ୍ତରରେ ଖେଳିବାକୁ ହେଲେ ସିନ୍ଥେଟିକ ଆଷ୍ଟ୍ରୋଟର୍ଫରେ ଖେଳିବାକୁ ପଡେ ।
୨. ମାଟି ପଡିଆରେ ଅଭ୍ୟାସ କରୁଥିବାରୁ ସିନ୍ଥେଟିକ ଆଷ୍ଟ୍ରୋଟର୍ଫରେ ଖେଳାଳିଙ୍କ ଗୋଡ଼ ଉଠିନଥାଏ କି ସହଜରେ ହକି ଷ୍ଟିକ୍ ଚଳାଇ ପାରିନଥାନ୍ତି ।

ହକିକୁ ହତାଦର ଘଟଣାରେ ସୁନ୍ଦରଗଡ ଜିଲ୍ଲପାଳ କୁହନ୍ତି ରାଜ୍ୟ ସରକାର ହକିର ବିକାଶ ପାଇଁ ବହୁ ଯୋଜନା କରିଛନ୍ତି । ତେବେ ସେଥିରେ କିଛି ବିଳମ୍ବ ହୋଇଛି । ଆଉ ଆଗାମୀ ଦିରେ ଏହି ଖେଳକୁ କିଭଳି ଉନ୍ନତ୍ତମାନର କରାଯିବ ସେନେଇ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ନିଖିଲ ପବନ କଲ୍ୟାଣ ।