ଆଜି ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ୍ । ଜମୁଛି ହକି ଫିବର, ଟୋକିଓ ଟିକେଟ୍ ପାଇଁ ହେବ ଜୋରଦାର ଫାଇଟ୍ ।

283

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜମୁଛି ହକି ଫିବର । ଅପରାହ୍ନର ଶୀତୁଆ ପରିବେଶକୁ କଳିଙ୍ଗ ଷ୍ଟାଡିୟମର ଗ୍ରୀନ୍ ଟର୍ଫରେ ଦେଖିବାକୁ ମିଳୁଛି ଜୋରଦାର ହକି ଲଢେଇ । ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଆଜି ରହିଛି ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ମହିଳା ଓ ଋଷିଆ ମହିଳା । ଏହି ମ୍ୟାଚ୍ ସଂଧ୍ୟା ୬ଟାରେ ଖେଳାଯିବ । ଏହା ପରେ ରାତି ସାଢେ ୮ଟାରେ ଟକ୍କର ହେବ ଆମେରିକା ପୁରୁଷ ଟିମ୍ ସହିତ ଭାରତୀୟ ହକିର ପୁରୁଷ ଟିମର । ମ୍ୟାଚର ପ୍ରଥମ ଦିନରେ ଭାରତୀୟ ପୁରୁଷ ଓ ମହିଳା ଟିମ୍ କମାଲ କରିଥିବାରୁ ଆଜି ମଧ୍ୟ ଭଲ ପ୍ରଦର୍ଶନ କିରବେ ବୋଲି ଆଶାବାଦୀ ଅଛନ୍ତି ଦର୍ଶକ ।

ଦମଦାର ଖେଳ ପ୍ରଦର୍ଶନ କରି ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ହକି ଟିମ୍ ଆମେରିକା ମହିଳା ଟିମକୁ ୫-୧ ଗୋଲରେ ପରାସ୍ତ କରିଥିଲା । ଓଡିଆ ଝିଅ ଲିଲିମା ମିଂଜ ଫିଲ୍ଡ ଗୋଲ ମାଧ୍ୟମରେ ଗୋଲ ଖାତା ଖୋଲିଥିଲା ଭାରତ । ଏହା ପରେ ଗୁରଜିତ କୌର ପେନାଲଟି କର୍ଣ୍ଣର ଜରିଆରେ ଦୁଇଟି ଗୋଲ ଦେଇଥିଲେ । ସେହିପରି ଶର୍ମିଲା ଦେବୀ ଗୋଟିଏ ଏବଂ ରାଣୀ ରାମପାଲ ଆଉ ଏକ ଫିଲ୍ଡ ଗୋଲ ଦେବା ପରେ ଭାରତର ଗୋଲ୍ ସଂଖ୍ୟା ୫ ରେ ପହଁଚି ଯାଇଥିଲା । ଏହାର ଜବାବରେ ଆମେରିକା ମହିଳା ଦଳ କେବଳ ଗୋଟିଏ ଗୋଲ୍ ସୁଝାଇବାରେ ସକ୍ଷମ ହୋଇଥିଲା । ଇରିନ ମାଟସନ ପେନାଲଟି ଷ୍ଟ୍ରୋକ ଜରିଆରେ ଏହି ଗୋଲ୍ ଦେଇଥିଲେ । ଏହି ବିଜୟ ସହିତ ଭାରତୀୟ ମହିଳା ଟିମ୍ ଅଲିମ୍ପିକ୍ ପାଇଁ ଗୋଟିଏ ପାଦ ଆଗକୁ ବଢିଛି ।

ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଦ୍ୱିତୀୟ ମୁକାବିଲା ହୋଇଥିଲା ଭାରତୀୟ ପୁରୁଷ ଦଳ ଏବଂ ରୁଷିଆ ମଧ୍ୟରେ । ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ ସହିତ ଭାରତ ୪-୨ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା । ଭାରତ ପକ୍ଷରୁ ମନଦୀପ ସିଂ ୨ ଟି, ହରମନପ୍ରୀତ ସିଂ ଗୋଟିଏ ଏବଂ ସୁନିଲ ସୋମାରପେଟ୍ ଗୋଟିଏ ଗୋଲ ଦେଇଥିଲେ । ତେବେ ରୁଷିଆର ସିମେନ ମାଟକୋଭାସ୍ମି ଏବଂ ଆଣ୍ଡ୍ରେ କୁରେଭ ଫିଲ୍ଡ ଗୋଲ ମାଧ୍ୟମରେ ଦୁଇଟି ଗୋଲ ଦେବାକୁ ସକ୍ଷମ ହୋଇଥିଲେ । ଶେଷରେ ଭାରତୀୟ ପୁରୁଷ ଟିମ୍ ଏହି ମ୍ୟାଚକୁ ୪-୨ ଗୋଲ୍ ବ୍ୟବଧାନରେ ଜିତି ନେଇଥିଲା ।