ଆଜି ଭାରତ-ପାକିସ୍ତାନ ମୁହାଁମୁହିଁ

27

କନକ ବ୍ୟୁରୋ: ବାଂଲାଦେଶର ଢାକାରେ ଚାଲିଥିବା ଏସିଆ କପ ହକି ଟୁର୍ଣ୍ଣାମେଂଟରେ ଆଜି ଭାରତ- ପାକିସ୍ତାନ ମୁହାଁମୁହିଁ ହେବେ । ଲଗାତାର ୨ ମ୍ୟାଚ ଜିଣି ଗ୍ରୁପ ‘ଏ’ର ଶୀର୍ଷରେ ଥିବା ଭାରତ ଦୃଢ ଆତ୍ମବିଶ୍ୱାସର ସହ ପଡିଆକୁ ଓହ୍ଲାଇବ ।

ଭାରତ ବାଂଲାଦେଶକୁ ୭-୦ ଗୋଲରେ ଓ ଜାପାନକୁ ୫-୧ ଗୋଲରେ ହରାଇ ଗ୍ରୁପ ‘ଏ’ର ଶୀର୍ଷରେ ଅଛି । ସେହିପରି ପାକିସ୍ତାନ ବାଂଲାଦେଶକୁ ୭-୦ ଗୋଲରେ ହରାଇଥିବାେବେଳେ ଜାପାନ ସହ ମ୍ୟାଚ ବରାବର ରହିଥିଲା । ତେଣୁ ଆଜିର ମ୍ୟାଚରେ ପାକିସ୍ତାନ ଉପରେ ଭାରତର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବାବେଳେ ପାକିସ୍ତାନ ଚତୁର୍ଦଶ ସ୍ଥାନରେ ରହିଛି । ପୁଲ ଏର ଶୀର୍ଷ ସ୍ଥାନରେ ରହିବାକୁ ହେଲେ ଭାରତକୁ ଅତିକମରେ ପାକିସ୍ତାନ ସହ ମ୍ୟାଚ ଅମୀମାଂସିତ ରଖିବାକୁ ହେବ । ତେବେ ଆଜି ପାକିସ୍ତାନକୁ ବିଜୟର ଆବଶ୍ୟକତା ରହିଛି ।

ଆଜିର ଏହି ମୁକାବିଲା ରୋମାଂଚକର ହେବ ବୋଲି ଆଶା କରାଯାଉଛି । ଗତ ଜୁନରେ ଲଣ୍ଡନରେ ଆୟୋଜିତ ହିରୋ ହକି ବିଶ୍ୱ ଲିଗ୍ ସେମିଫାଇନାଲ ପର୍ଯ୍ୟାୟରେ ଭାରତ-ପାକିସ୍ତାନକୁ ୬-୧ ଗୋଲରେ ହରାଇଥିଲା ।

ଚୀନ୍‌ ଓ ମାଲେସିଆର ସଂଘର୍ଷପୂର୍ଣ୍ଣ ବିଜୟ

ଶନିବାର ପୁଲ୍‌-ବିରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଚୀନ୍‌ ଓ ମାଲେସିଆ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଚୀନ୍‌ ୨-୧ ଗୋଲ୍‌ରେ ଓମାନ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଡୁ ଟାଲାକେ (୭ ମିନିଟ୍‌) ଓ ଗୁଆନ୍‌ କ୍ୟୁୟାଙ୍ଗ୍‌ (୪୪ ମିନିଟ୍‌) ଗୋଲ୍‌ କରିଥିଲା ବେଳେ ଓମାନ୍‌ ପାଇଁ ଅଲ୍‌ ଫାଜରି ରସଦ୍‌ (୮ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଅନ୍ୟ ମ୍ୟାଚ୍‌ରେ ଦକ୍ଷିଣ କୋରିଆ ୧-୨ ଗୋଲ୍‌ରେ ମାଲେସିଆକୁ ହାରିଯାଇଛି। ଲି ସିଉଙ୍ଗୁନ୍‌ ୨୭ ମିନିଟ୍‌ରେ ଏକମାତ୍ର ଗୋଲ୍‌ କୋରିଆ ପକ୍ଷରୁ କରିଥିଲା ବେଳେ ମାଲେସିଆ ପାଇଁ ସାରି ଫୈଜଲ୍‌ (୧୭ ମିନିଟ୍‌) ଓ ହାସନ୍‌ ଆଜ୍‌ରୀ (୧୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ ।