ଖୁବଶୀଘ୍ର ପିଲାଙ୍କ ପାଇଁ ଆସିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ ୨ଟି ଡୋଜ୍, DCGIର ଅନୁମୋଦନକୁ ଅପେକ୍ଷା ।
କନକ ବ୍ୟୁରୋ : ଖୁବଶୀଘ୍ର ୨ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ଆରମ୍ଭ କରାଯିବ । ଏନେଇ ଏକ ସଙ୍କେତ ମିଳିଛି, ଯେତେବେଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର କରିବା ପାଇଁ ବୈଷୟିକ କମିଟି ସୁପାରିଶ କରିଛି । କ୍ଲିନିକାଲ ଟ୍ରାଏଲର ତଥ୍ୟକୁ ଭାରତ ବାୟୋଟେକ୍ ପକ୍ଷରୁ ଦିଆଯିବା ପରେ ସେଂଟ୍ରାଲ ଡ୍ରଗ୍ସ ଷ୍ଟାର୍ଣ୍ଡାଡ କଂଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ଏହାକୁ ଏକ ଏକ୍ସପର୍ଟ କମିଟି ଅନୁଧ୍ୟାନ କରିଥିଲେ । ଏଥିରୁ ଏକ ସକାରାତ୍ମକ ସୂଚନା ଆସିଥିବା ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଅନୁସାରେ ବିଶ୍ୱରେ ପ୍ରଥମ ଥର ୨ରୁ ୧୮ବର୍ଷ ବର୍ଗ ପିଲାଙ୍କ ପାଇଁ ଟିକାର ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି । ପରବର୍ତୀ ସମୟରେ ଅନ୍ୟ ଅନୁମତି ହାସଲ କରିବା ଉପରେ ନଜର ରହିବ । ଖୁବଶୀଘ୍ର ଏହା ଛୁଆଙ୍କ ଶରୀରରେ ପ୍ରୟୋଗ କରାଯିବ ବୋଲି କମ୍ପାନୀ ଆଶାବ୍ୟକ୍ତ କରିଛି । ବଡ କଥା ହେଉଛି ବୈଷୟିକ କମିଟିର ସୁପାରିଶ ସତ୍ୱେ ମଧ୍ୟ ଏହାକୁ ଛୁଆଙ୍କ ଶରୀରରେ ଏବେ ପ୍ରୟୋଗ କରାଯିବ ନାହିଁ । ଏଥିପାଇଁ ଡିସିଜିଆଇର ଚୂଡାନ୍ତ ଅନୁମତି ଆବଶ୍ୟକ । କେନ୍ଦ୍ର ସ୍ୱାସ୍ଥ୍ୟରାଷ୍ଟ୍ର ମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ଅନୁସାରେ କୋଭାକ୍ସିନ ଟିକାକୁ ଡିସିଜିଆଇର ଅନୁମତି ଦିଆଯାଇ ନାହିଁ । ସେ କହିଛନ୍ତି ଯେ, ଛୋଟ ପିଲାଙ୍କ ପାଇଁ ଟିକା ନେଇ ଏବେବି ସମୀକ୍ଷା ଚାଲିଛି । ତେବେ ଛୋଟ ପିଲାଙ୍କ ଟିକାର କ୍ଲିନିକାଲ ପରୀକ୍ଷାର ତଥ୍ୟ ଭାରତ ବାୟୋଟେକ୍ ଦାଖଲ କରିଥିବାର ଖବର ମିଳିଛି । ଭାରତରେ ଏଯାଏଁ ଛୋଟ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇନଥିବା ବେଳେ ବିଦେଶରେ ଛୋଟ ପିଲାଙ୍କୁ ଟିକା ଦିଆଗଲାଣି । ଆମେରିକା ଓ କ୍ୟୁବାରେ ଛୋଟ ପିଲାଙ୍କୁ ଟିକା ଦିଆଯାଉଛି । ସେହିପରି କାମ୍ବୋଡିଆ, ୟୁଏଇରେ ମଧ୍ୟ ପିଲାଙ୍କୁ ଟିକା ଦିଆଗଲାଣି । ଛୋଟ ଛୁଆଙ୍କ କ୍ଷେତ୍ରରେ କୋଭାକ୍ସିନ ପ୍ରୟୋଗକୁ ନେଇ ବୈଷୟିକ କମିଟିର ସୁପାରିଶ ପରେ ବରିଷ୍ଠ ଚିକିତ୍ସକ ଏହାକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।