କେନ୍ଦୁଝର ଜିଲ୍ଲା ପ୍ରଶାସନର ଅଜବ ନୀତି । ନବୀନଙ୍କ ଫଟୋ ଥିବା ହୋଡିଂକୁ ଘୋଡାଉଥିବା ବେଳେ ଚିରୁଛନ୍ତି ମୋଦିଙ୍କ ଫଟୋ ଥିବା ହୋଡିଂ ।

177

କନକ ବ୍ୟୁରୋ : ନିର୍ବାଚନ ଆଚରଣ ବିଧି ଲାଗୁ ପରେ ସରକାରୀ ଯୋଜନାର ପ୍ରଚାର ହଟାଉଛି କେନ୍ଦୁଝର ପ୍ରଶାସନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନବୀନଙ୍କ ହୋଡିଂ ଉପରେ ଧଳା କପଡା ଘୋଡାଇ ଦିଆଯାଉଛି । କିନ୍ତୁ ମୋଦିଙ୍କ ଫଟୋକୁ ଚିରି ଦିଆଯାଉଛି । ଅନ୍ୟପଟେ ଏବେ ବି ସହରର ବହୁ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ହୋଡିଂ ରହିଛି, ଜିଲ୍ଲାପ୍ରଶାସନ ଜାଣିଶୁଣି ଏପରି କରୁଥିବା ଅଭିଯୋଗ ହୋଇଛି ।

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପରେ ସରକାରୀ ଯୋଜନାର ପ୍ରଚାର ପାଇଁ ଲାଗିଥିବା ହୋର୍ଡିଂକୁ ଢାଙ୍କି ଦେଉଛି କେନ୍ଦୁଝର ଜିଲ୍ଲା ପ୍ରଶାସନ । କିନ୍ତୁ ଜିଲ୍ଲାପାଳ ଅଫିସ, ଏସପି ଅଫିସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ହୋଡିଂ ଏବେ ବି ଲାଗିଛି । ରାଜ୍ୟ ସରକାରଙ୍କ ପ୍ରଚାର କରୁଥିବା ହୋର୍ଡିଂ ଏବେ ବି ଲାଗିଥିବା ବେଳେ ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ହୋର୍ଡିଂକୁ ଚିରି ଦିଆଯାଇଛି । ନବୀନଙ୍କ ଫଟୋ ଥିବା ହୋର୍ଡିଂକୁ ଢାଙ୍କି ଦେଉଥିବା ଜିଲ୍ଲା ପ୍ରଶାସନ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂକୁ ଚିରି ଦେଉଛି ।

ସେପଟେ କଟକ ଜିଲ୍ଲା ବଡମ୍ବା ଅଞ୍ଚଳରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ କରାଯାଉଛି । ବଡମ୍ବା ଅଞ୍ଚଳରେ ଏବେ ବି ରାଜନେତା ଓ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ଫଟୋ ଥିବା ବ୍ୟାନର ଓ ହୋର୍ଡିଂ ଲାଗିରହିଛି । ବ୍ଲକ, ତହସିଲ, ବଡମ୍ବା ମେଡିକାଲଠୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରୁ ପୋଷ୍ଟର ଓ ହୋଡିଂକୁ ଏବେ ବି ହଟାଯାଇନି ।