ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ : ନନ୍ଦିଘୋଷକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ଘଣ୍ଟକାହାଳୀରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ

97

କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କଲେ କଳାଠାକୁର । ବଡଦାଣ୍ଡରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡଠାକୁର ବଳଭଦ୍ର, ମା’ ସୁଭଦ୍ରାଙ୍କ ଜଗନ୍ନାଥଙ୍କ ରଥକୁ ଟାଣି ନେଉଛନ୍ତି ଭକ୍ତ । ଘଣ୍ଟକାହାଳୀ ସହ ମୃର୍ଦ୍ଦଳର ତାଳେ ତାଳେ ଆଗେଇଚାଲିଛି ନଟିଆ ଠାକୁରଙ୍କ ରଥ ନନ୍ଦିଘୋଷ ।

ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଛି ବଡଦାଣ୍ଡରେ । ଆଜି ଭକ୍ତ ଭଗବାନଙ୍କ ମଧ୍ୟରେ ଚାଲିଛି ଅପୂର୍ବ ମିଳନ । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ । ଶ୍ରଦ୍ଧାର ଦଉଡିରେ ତିନି ଠାକୁରଙ୍କ ରଥକୁ ଟାଣି ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ନନ୍ଦିଘୋଷ ରଥରେ କାଳିଆ ଠାକୁର ବିରାଜମାନ ହୁଅନ୍ତି । ମଦନମୋହନଙ୍କୁ ସାଂଗରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ତିନି ରଥ ମଧ୍ୟରେ ଆକାରରେ ବଡ଼ ନନ୍ଦିଘୋଷ । ଉଚ୍ଚତା ୪୪ ଫୁଟ୍ ୨ ଇଂଚ, ଲମ୍ବ ଓ ପ୍ରସ୍ଥ ୩୪ ଫୁଟ୍ ୬ ଇଂଚ୍ । ୮୩୨ ଖଣ୍ଡ କାଠରେ ଏହି ରଥ ନିର୍ମିତ । ୧୬ ଟି ଚକ ରହିଛି ନନ୍ଦିଘୋଷ ରଥରେ । ପ୍ରତି ଚକର ବ୍ୟାସ ୭ ମିଟର । ପୀତ ଲୋହିତ ଅର୍ଥାତ ହଳଦି ଲାଲ ରଙ୍ଗ ବସ୍ତ୍ରରେ ଏହି ରଥ ଆଚ୍ଛାଦିତ ।

ଏହି ରଥକୁ ଜଗି ରହିଥାନ୍ତି ଗରୁଡ । ରଥର ସାରଥୀ –ଦାରୁକ । ପତାକା – ତ୍ରୈଲୋକ୍ୟମୋହିନୀ । ଅଶ୍ୱର ନାଁ ଶଙ୍ଖ, ବଳାହାକ, ଶ୍ୱେତା, ହରିଦାଶ୍ୱ । ଦଉଡ଼଼ିର ନାଁ ଶଙ୍ଖଚୁଡ଼ ନାଗୁଣୀ । ନନ୍ଦିଘୋଷ ରଥରେ ୯ ଜଣ ଦେବାଦେବୀ ବାସ କରନ୍ତି । ଏମାନେ ହେଉଛନ୍ତି ବରାହ, ଗୋବର୍ଦ୍ଧନ, ଗୋପୀ କ୍ରିଷ୍ଣା, ନୃସିଂହ, ରାମ, ନାରାୟଣ, ତ୍ରିବିକ୍ରମ, ହନୁମାନ, ରୁଦ୍ର । ନନ୍ଦିଘୋଷ ରଥକୁ ଗରୁଡ଼ ଧ୍ୱଜ ଓ କପିଳଧ୍ୱଜ ମଧ୍ୟ କୁହାଯାଏ ।