ଆମେରିକା, ଇଂଲଣ୍ଡ ସମେତ ଏକାଧିକ ଦେଶରେ ବ୍ୟାପିଲାଣି ମଙ୍କିପକ୍ସ : ବନ୍ଦର ଓ ବିମାନ ବନ୍ଦରରେ ଆଲର୍ଟ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଆକ୍ରାନ୍ତ ଦେଶରୁ ଆସୁଥିବା ଲୋକ ଅସୁସ୍ଥ ହେଲେ ସଙ୍ଗରୋଧରେ ରଖିବାକୁ ପରାମର୍ଶ

295

କନକ ବ୍ୟୁରୋ : ଆମେରିକା ଓ ବ୍ରିଟେନ ସମେତ ଏକାଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ବ୍ୟାପିବା ପରେ ବନ୍ଦର ଓ ବିମାନ ବନ୍ଦରଗୁଡିକୁ ଆଲର୍ଟ କରିଛନ୍ତି କେନ୍ଦ୍ର ସରକାର । ମଙ୍କିପକ୍ସ ଆକ୍ରାନ୍ତ ଦେଶରୁ ଆସୁଥିବା ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି । ଏପରିକି ତାଙ୍କୁ ସଙ୍ଗରୋଧରେ ରଖି ନମୂନା ସଂଗ୍ରହ କରିବା ସହ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିକୁ ପଠାଇବା ପାଇଁ କୁହାଯାଇଛି ।

ସେହିପରି ଆଫ୍ରିକୀୟ ଦେଶଗୁଡିକରେ ଦେଖା ଦେଇଥିବା ଏହି ନୂଆ ପ୍ରକାର ଭୂତାଣୁର ଲକ୍ଷଣ ଓ ବ୍ୟବହାର ଉପରେ ନଜର ରଖିବାକୁ ଆଇସିଏମଆରକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା, ଅଷ୍ଟ୍ରେଲିଆ, ସ୍ପେନ୍ ଓ ପର୍ତ୍ତୁଗାଲରେ ଏହି ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ୧୩ରୁ ଅଧିକ ମାମଲା କାନାଡାରୁ ଚିହ୍ନଟ ହୋଇଛି ।

ବ୍ରିଟେନରେ ମଙ୍କିପକ୍ସର ପ୍ରଥମ ମାମଲା ମେ’ ୭ ତାରିଖରେ ଚିହ୍ନଟ ହୋଇଥିଲା । ମଙ୍କିପକ୍ସରେ ଆକ୍ରାନ୍ତ ଯୁବକ ଜଣଙ୍କ ନାଇଜେରିଆରୁ ଫେରିଥିଲେ । ହେଲେ ତାଙ୍କ ସହ ଯାତ୍ରା କରିଥିବା ଅନ୍ୟମାନଙ୍କ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ଏହା ପରଠାରୁ ଆଉ ୮ ଜଣ ସଂକ୍ରମିତ ହୋଇଥିବା ବ୍ରିଟେନ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା । ସ୍ପେନ ଓ ପର୍ତୁଗାଲରେ ୪୦ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ବଡକଥା ହେଉଛି ସଂକ୍ରମିତ ହୋଇଥିବା ମାଙ୍କଡ କିମ୍ବା କୁକୁର ଭଳି ପଶୁ କାମୁଡିବା ଫଳରେ ଏହା ମଣିଷଙ୍କୁ ସଂକ୍ରମିତ ହୋଇଥାଏ ।

କିମ୍ବା ସଂକ୍ରମିତ ପ୍ରାଣୀଙ୍କ ରକ୍ତ, ଲାଳ, ଲୋମକୁ ଛୁଇଁବା ଫଳରେ ଏହା ବ୍ୟାପିବାର ଆଶଙ୍କା ରହିଛି । ଏହା ବ୍ୟତୀତ ସଂକ୍ରମିତ ରୋଗୀଙ୍କ ବିଛଣା, ପୋଷାକ ମାଧ୍ୟମରେ ବି ଏହା ବ୍ୟାପିପାରେ । ମଣିଷ ଦେହରେ ଏହି ସଂକ୍ରମଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହୁଛି । ଦେହର ବିଭିନ୍ନ ଭାଗରେ ଫଳିଯିବା କିମ୍ବା ବଡବଡ ଫୋଟକା ହେବା ଏବଂ ଜ୍ୱର ହେବା ଭଳି ଲକ୍ଷଣ ଦେଖାଯାଉଛି । ଭାରତରେ ଏହି ରୋଗ ଏପର୍ଯ୍ୟନ୍ତ ଦେଖାଯାଇ ନାହିଁ ।