ଏକ ନିଆରା ବିବାହ: ଏଚଆଇଭି ସଂକ୍ରମିତଙ୍କ ହାତ ଧରିଲେ ଆଉ ଜଣେ ସଂକ୍ରମିତ । ଭିଡିଓ କନ‌ଫରେନ୍ସିଂ ଆଶୀର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ ।

510

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଗୋପାଳପୁରଠାରେ ଥିବା ଶ୍ରଦ୍ଧା ସଞ୍ଜିବନୀ ନାମକ ଶିଶୁ ଗୃହରେ ଶନିବାର ଏକ ନିଆରା ବିବାହ ଆୟୋଜିତ ‌ହୋଇଯାଇଛି। ଆଜି ଏହି ଶିଶୁ ଗୃହ ପରିସରରେ ଦୁଇ ଏଚ୍‌ଆଇଭି ସଂକ୍ରମିତ ଯୁବକ-ଯୁବତୀଙ୍କ ବିବାହ ଅନୁଷ୍ଠିତ ହୋଇଛି। ଏଭଳି ଏକ ବିରଳ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ବିଜୟ ଅମୃତା କୁ‌ଲାଙ୍ଗେ କନ୍ୟା ପିତା ସାଜି କନ୍ୟାଦାନ କରିଛନ୍ତି।

କେବଳ ସେତିକି ନୁହେଁ, ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି କେ ପାଣ୍ଡିୟାନ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ଏହା ସଭିଙ୍କ ପାଇଁ ଏକ ଆଦର୍ଶ ବିବାହ ପାଲଟିବ ବୋଲି ମତ ରଖିଥିଲେ। ଏଚ୍‌ଆଇଭି ସଂକ୍ରମିତ ଶିଶୁମାନଙ୍କୁ ଆଣି ସେମାନଙ୍କର ଯତ୍ନ ନେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା କାର୍ଯ୍ୟରେ ନିୟୋଜିତ ଶ୍ରଦ୍ଧା ସଞ୍ଜୀବନୀ ୨ ସଂକ୍ରମିତଙ୍କ ବିବାହ ପରି ଏକ ମହତ୍‌କାମ କରି ପ୍ରଶଂସିତ ହୋଇଛି।

ଏଚଆଇଭି ସଂକ୍ରମିତ ପଦ୍ମା ଓ ରବୀନ୍ଦ୍ର ପିଲାଟି ଦିନରୁ ଶ୍ରଦ୍ଧାସଞ୍ଜୀବନୀ ଶିଶୁ ଗୃହରେ ରହି ଆସୁଥିଲେ। ସେମାନେ ସାବାଳକ ହେବା ପରେ ଉଚ୍ଚ ଶିକ୍ଷା ଲାଭ କରି ହାଇଦ୍ରାବାଦ୍‌ରେ ଚାକିରି ପାଇଥିଲେ। ପିଲାଟି ଦିନରୁ ପରସ୍ପରଙ୍କୁ ଜାଣିଥିବା ପଦ୍ମା ଓ ରବୀନ୍ଦ୍ର ବଡ଼ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଆଜି ସେମାନଙ୍କ ଇଚ୍ଛା ପୂରଣ ହୋଇଛି। ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ଶ୍ରଦ୍ଧାସଞ୍ଜୀବନୀ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପରେ ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି। ସେମାନଙ୍କ ପରିବାର ଓ ସଂପର୍କୀୟଙ୍କଠାରୁ ସେମାନଙ୍କ ବିବାହ ସକାଶେ ଅନୁମତି ନିଆଯାଇଥିଲା।
ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁ‌ଲାଙ୍ଗେ କନ୍ୟା ପିତା ସାଜି କନ୍ୟାଦାନ କରିଥିଲେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ପୁଅକୁ ୪୦ ହଜାର ଓ ଝିଅକୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।

ଶ୍ରଦ୍ଧାସଞ୍ଜୀବନୀ ପରିସରରେ ବିବାହ ପାଇଁ ସାଜସଜା ସହ ‌ଭୋଜିଭାତର ଆୟୋଜନ କରାଯାଇ ଧୁମ୍‌ଧାମ୍‌ରେ ବିବାହ ସଂପନ୍ନ ହୋଇଛି। ‘ଅରୁଣା’ ସ୍ବେଚ୍ଛାସେବୀ ସଂସ୍ଥାର ମୁଖ୍ୟ ଲୋକନାଥ ମିଶ୍ର ଏହି କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଠାରେ ଜିଲ୍ଳା ଗ୍ରାମୀଣ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ମହାନଗର ନିଗମର କମିସନର, ବ୍ରହ୍ମପୁର ଉପଜିଲ୍ଲାପାଳ, ଜିଲ୍ଳା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକଙ୍କ ସମେତ ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।