ଘରକୁ ଫେରିବା ଲାଗି ୪ଦିନ ଚାଲିବେ ଶ୍ରମିକ । ଦେଶବ୍ୟାପୀ ଲକ୍ ଡାଉନ ପରେ ଦିଲ୍ଲୀରେ ଦିନ ମଜୁରିଆଙ୍କ ମୁଣ୍ଡରେ ଚଡକ । କାମ ଓ ଦୋକାନ ବନ୍ଦ କରି ଦିଲ୍ଲୀରୁ ଫେରୁଛନ୍ତି ଉତ୍ତରପ୍ରଦେଶ ।

1,221

କନକ ବ୍ୟୁରୋ: ୧୭ବର୍ଷୀୟ ଶାନ୍ତି ପାଲ୍ । ଦିଲ୍ଲୀରୁ ଉତରପ୍ରଦେଶ ବଦାଓଁ ଅଭିମୁଖେ ବାହାରିଛନ୍ତି । ତାହା ପୁଣି ଚାଲି ଚାଲି । ଦିଲ୍ଲୀରେ ଗୋଟିଏ ଉଠା ଦୋକାନ କରି ଛୋଲେ, ଭଟୁରେ ବିକ୍ରି କରି ପରିବାର ଚଳାଉଥିଲେ ଶାନ୍ତି । କିନ୍ତୁ ଏବେ ଲକ୍ ଡାଉନ୍ ପାଇଁ ସବୁ ବନ୍ଦ ହୋଇଯିବା ପରେ ବାଧ୍ୟହୋଇ ଘରମୁହାଁ ହୋଇଛନ୍ତି । ବଦାଓଁରେ ପହଂଚିବା ପାଇଁ ତାଙ୍କୁ ୨ଶହ କିଲୋମିଟରରୁ ଅଧିକ ଚାଲି ଚାଲି ଯିବାକୁ ପଡିବ । ତେବେ ଶୁକ୍ରବାର ସୁଦ୍ଧା ସେ ନିଜ ଘରେ ପହଂଚିଯିବେ ବୋଲି କହିଛନ୍ତି ।

ଶାନ୍ତି ପାଲ୍ଙ୍କ ଭଳି ନୁର ଜାହାଁଙ୍କ ପରିବାର ମଧ୍ୟ ଦିଲ୍ଲୀରୁ ବାହାରଛନ୍ତି କାନପୁରର ଆକବରପୁର ଅଭିମୁଖେ । ୧୦ସଦସ୍ୟ ବିଶିଷ୍ଟ ପରିବାରର ସମସ୍ତେ ଚାଲି ଚାଲି ବୁଧବାରଠାରୁ ବାହାରିଛନ୍ତି । ନିଜ ଗନ୍ତବ୍ୟ ସ୍ଥଳରେ ପହଂଚିବା ପାଇଁ ତାଙ୍କୁ ଲାଗିଯିବ ଦୁଇରୁ ତିନି ଦିନ । ତେବେ ସାଥିରେ ଛୋଟ ଛୁଆ ଥିବା ବେଳେ ଖାଇବା ପାଇଁ ତାଙ୍କ ପାଖରେ କିଛି ନଥିବା ତାଙ୍କ ଦୁଃଖକୁ ବଢାଇ ଦେଇଛି ।

ଦିଲ୍ଲୀରୁ ଅଲିଗଡ, ପ୍ରାୟ ଦେଢ ଶହ କିଲୋମିଟର । ନିଜ ଛୋଟ ଛୁଆଙ୍କ ଧରି ଚାଲି ଚାଲି ବାହାରିଛନ୍ତି ଦିନ ମଜୁରିଆ ଭାବେ କାମ କରୁଥିବା କହ୍ନେୟା ଲାଲ । ତାଲା ବନ୍ଦ ହେବା ଯୋଗୁଁ ଆଉ କୌଣସି କାମ ନମିଳିବାରୁ ବାଧ୍ୟ ହୋଇ ଦିଲ୍ଲୀ ଛାଡିଛନ୍ତି ଏହି ପରିବାର । ତେବେ ଲକ୍ ଡାଉନ ଯୋଗୁଁ ଗାଡି ମଧ୍ୟ ବନ୍ଦ ହୋଇଥିବା ଯୋଗୁଁ ବାଧ୍ୟ ହୋଇ ଚାଲି ଚାଲି ଯାଉଛନ୍ତି ଏବଂ ଦୁଇ ଦିନରେ ନିଜ ଘରେ ପହଂଚିବେ ବୋଲି କହିଛନ୍ତି ।

ସେହିପରି ଭୋକରେ ମରିବା ଠାରୁ ଭଲ କରୋନା ଭୂତାଣୁ ସଂକ୍ରମଣରେ ପ୍ରାଣ ଯାଉ ବୋଲି ହାତ ଯୋଡି କହିଛନ୍ତି ଦିଲ୍ଲୀରେ କାମ କରୁଥିବା ଦିନ ମଜୁରିଆ । ତାଲା ବନ୍ଦ ଯୋଗୁଁ କାମ ମିଳୁନଥିବା ଯୋଗୁଁ ଖାଇବାକୁ ପାଉନଥିବା ଏମାନେ କହିଛନ୍ତି । ଏବଂ ହାତଯୋଡି ସରକାରଙ୍କ ଠାରେ ଗୁହାରୀ କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ରଖିବା ପାଇଁ ଏପ୍ରିଲ ୧୪ପର୍ଯ୍ୟନ୍ତ ଲକ୍ ଡାଉନ ବା ତାଲା ବନ୍ଦ ଘୋଷଣା କରାଯାଇଛି । ଏହାରି ଭିତରେ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଲୋକଙ୍କ ସମସ୍ୟା କିନ୍ତୁ ଆହୁରୀ ବଢିଯାଇଛି ।