ପୁଣି ହିଟ୍ ଆଣ୍ଡ ରନ ମାମଲା । ଦୁର୍ଗାପୂଜା ଭଷାଣୀ ବେଳେ ମାଡିଗଲା କାର, ୭ ଗୁରୁତର

129

କନକ ବ୍ୟୁରୋ : ପ୍ରଥମେ ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ଉପରେ ଗାଡି ମାଡିଯିବା ମାମଲା, ଏହାପରେ ଛତିଶଗଡର ଜଶପୁର ଠାରେ ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ଗାଡି ମାଡିଯିବା ଘଟଣା ଓ ଏବେ ମଧ୍ୟପ୍ରଦେଶ ଭୋପାଳରେ ଦେଖିବାକୁ ମିଳିଛି ସମାନ ଘଟଣା । ଏଠାରେ ଦୁର୍ଗାପୂଜା ଭଷାଣୀ କରିବାକୁ ଯାଉଥିବା ଲୋକଙ୍କ ଉପରେ ପଛପଟୁ ଦ୍ରୁତ ଗତିରେ ଏକ କାର ଆସି ମାଡିଯାଇଛି । ଏହି ଦୁର୍ଘଟଣାରେ ୭ ଜଣ ଲୋକ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଗାଡିର ଡ୍ରାଇଭର ଗାଡିକୁ ପଛକୁ କରି ଫେରାର୍ ହୋଇଯାଇଛି ।

ସୂଚନା ମୁତାବକ ଭୋପାଳର ବଜରିୟା ଅଞ୍ଚଳରେ ଗତକାଲି ରାତି ୧୧ ଟା ବେଳେ କିଛି ଲୋକ ଦୁର୍ଗାପୂଜା ଭଷାଣୀ କରିବାକୁ ଯାଉଥିବା ବେଳେ ହଠାତ ପଛପଟୁ ଦ୍ରୁତ ଗତିରେ ଏକ କାର ଆସି ମାଡିଯାଇଥିଲା । ଏହି ଦୁର୍ଘଟଣାରେ ୭ ଜଣ ଲୋକ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି ।

ଏହି ଘଟଣାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଏକ କାର ଦ୍ରୁତଗତିରେ ଆସି ରାସ୍ତାରେ ମୂର୍ତ୍ତି ବିଷର୍ଜନ କରିବାକୁ ଯାଉଥିବା ଲୋକଙ୍କ ଉପରେ ମାଡିଯାଉଛି । ଏହାପରେ ଉତ୍ୟକ୍ତ ଲୋକମାନେ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ବ୍ୟାକ୍ ଗିଅର କରି ଗାଡିକୁ ନେଇ ଫେରାର୍ ହୋଇଯାଉଛି । ଏହାପରେ ସେଠାରେ ଉତ୍ୟକ୍ତ ଲୋକମାନେ ହୋ ହାଲ୍ଲା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଲାଠିଚାର୍ଜ କରିଛି । ଅନ୍ୟପଟେ ଗାଡି କିମ୍ବା ଡ୍ରାଇଭରକୁ ଠାବ କରିବାରେ ସଫଳ ହୋଇନାହିଁ ପୋଲିସ ।

ଏନେଇ ସ୍ଥାନୀୟ ଡିଆଇଜି ଇଶରାଦ ବଲୀ କହିଛନ୍ତି କି ଦୁର୍ଗା ମୂର୍ତ୍ତି ଭଷାଣୀ କରିବାକୁ ଭୋପାଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ କିଛି ଲୋକ ବାହାରିଥିଲେ । ହେଲେ ଚାନ୍ଦବଡ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଲୋକମାନଙ୍କୁ ଧକ୍କା ଦେଇ ଫେରାର୍ ହୋଇଯାଇଛି ।