ଖୋର୍ଦ୍ଧାରେ ହିଟ୍ ଏଣ୍ଡ୍ ରନ୍: ଯୁବକଙ୍କ ବେପରୁଆ କାର୍ ଚାଳନାରେ ୧୫ ମିନିଟରେ ଘଟିଲା ୪ ଦୁର୍ଘଟଣା; ୯ ଆହତ, ନିସ୍ତୁକ ଛେଚି ପୁଲିସରେ ଦେଲେ ଉତ୍ତ୍ୟକ୍ତ ଲୋକେ

169

କନକ ବ୍ୟୁରୋ: ବିତ୍ତଶାଳୀ ବାପାଙ୍କ ବିଗିଡ଼ି ଯାଇଥିବା ପୁଅମାନଙ୍କ ଉନ୍ମତ୍ତ କାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ଦିଲ୍ଲୀ ଓ ମୁମ୍ବଇରେ ନିଶାସକ୍ତ ଅବସ୍ଥାରେ ବେପରୁଆ ଗାଡ଼ିଚାଳନା କରି ଲୋକଙ୍କ ଜୀବନ ନେଲା ଭଳି ‘ହିଟ୍ ଏଣ୍ଡ୍ ରନ୍’ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଗତକାଲି ଖୋର୍ଦ୍ଧାରେ ଏହାର ନଜିର ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରର ୩ଜଣ କଲେଜ ପଢ଼ୁଆ ଯୁବକ ବେପରୁଆ କାର୍ ଚାଳନା କରି ଆତଙ୍କରାଜ ସୃଷ୍ଟି କରିଛନ୍ତି। ଏମାନେ ଖୋର୍ଦ୍ଧା ବାଇପାସ୍, ଗୁରୁଜଙ୍ଗ ରାସ୍ତାରେ ମାତ୍ର ୧୫ ମିନିଟ୍ ଭିତରେ ୪ଟି ଦୁର୍ଘଟଣା ଘଟାଇ ମୋଟ ୯ଜଣ ଲୋକଙ୍କୁ ଆହତ କରିଛନ୍ତି।

ଏହି ସିରିଜ୍ ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନ ଥିଲେ ମଧ୍ୟ ଏହି ଯୁବକମାନେ ସେମାନଙ୍କ ଏଭଳି କାରନାମା ପାଇଁ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି। ଲୋକେ ସେମାନଙ୍କୁ କାବୁକରି ନିସ୍ତୁକ ଛେଚି ପୁଲିସରେ ଦେଇଛନ୍ତି। ଏହି ଘଟଣା ଗତକାଲି ଖୋର୍ଦ୍ଧା ଅଞ୍ଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଟାଉନ୍ ଥାନା ପୁଲିସ ମାମଲାକୁ ଚାପିବାକୁ ଯୋଜନା ଚଳାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନାନୁସାରେ, ଗତକାଲି ସକାଳେ ଭୁବନେଶ୍ବରର ୩ଜଣ ଯୁବକ ସେମାନଙ୍କର ଜଣେ ବାନ୍ଧବୀଙ୍କୁ ନେଇ ଏକ ଇକୋ ସ୍ପୋର୍ଟସ୍ କାରରେ ସାତକୋଶିଆ ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ସେମାନେ ଆଉ ନିଜ ଆୟତ୍ତରେ ନଥିଲେ। ସମ୍ଭବତଃ ମଦ୍ୟପାନ ଯୋଗୁଁ ଗାଡ଼ି ଚଳାଇଲା ବେଳେ ନିୟନ୍ତ୍ରଣ ହରାଇ ବସିଥିଲେ। ଅପରାହ୍ଣ ପ୍ରାୟ ୪ଟା ବେଳେ ଖୋର୍ଦ୍ଧା ବାଇପାସ୍ ପୂର୍ବରୁ ପ୍ରଥମେ ସେମାନେ ଏକ ବାଇକକୁ ଧକ୍କା ଦେଇଥିଲେ। ଏଥିରେ ବାଇକରେ ବସିଥିବା ଦୁଇଜଣ ଆହତ ହୋଇଥିଲେ। ବାଇକ୍ ଆରୋହୀ ଦ୍ବୟ ସେମାନଙ୍କୁ ଗୋଡ଼ାଇବାରୁ ଖସିବାକୁ ଉଦ୍ୟମ କରି ସେମାନେ କାରଟିକୁ ଖୋର୍ଦ୍ଧା-ଗୁରୁଜଙ୍ଗ ରାସ୍ତାରେ ନେଇ ଯାଇଥିଲେ। ଏହାପରେ ହଡ଼ବଡ଼େଇ ଯାଇଥିବା କାର୍ ଚାଳକ ସେହି ରାସ୍ତାରେ ଯାଉଥିବା ଜଣେ କାଉଡ଼ିଆକୁ ଧକ୍କା ଦେଇଥିଲା । ଏହାଦେଖି ସେଠାରେ ଥିବା ଅନ୍ୟ କାଉଡ଼ିଆମାନେ ଗୋଡ଼ାଇବାରୁ ଖସିବାକୁ ଉଦ୍ୟମ କରି କାରଟି ଆଉ ୨ଟି ବାଇକ୍ ଓ ରାସ୍ତାରେ ଯାଉଥିବା ଅନ୍ୟ ୫ଜଣଙ୍କୁ ମଧ୍ୟ ଧକ୍କା ଦେଇଥିଲା।

ଶେଷରେ କାରଟି ଗୁରୁଜଙ୍ଗ ପୂର୍ବରୁ ଥିବା ଏକ ଫାର୍ମ ହାଉସ୍ ନିକଟରେ ଭାରସାମ୍ୟ ହରାଇ ବିଲ ମଧ୍ୟକୁ ପଶି ଯାଇଥିଲା। କାରର ପିଛା କରୁଥିବା ଉତ୍ତ୍ୟକ୍ତ ଲୋକମାନେ ସେଥିରୁ ଯୁବକମାନଙ୍କୁ ଉଦ୍ଧାର କରି ନିସ୍ତୁକ ମାଡ଼ ମାରିବା ସହ ଟାଉନ୍ ପୁଲିସ୍ ଜିମା ଦେଇଥିଲେ। ପୁଲିସ୍ ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ଅପରପକ୍ଷେ ଏହି ସୂଚନା ପାଇ ଦୁର୍ଘଟଣା ଘଟାଇଥିବା ଯୁବକ/ଯୁବତୀଙ୍କ ଅଭିଭାବକମାନେ ଥାନାରେ ପହଞ୍ଚିଥିଲେ। ଆଶ୍ଚଯ୍ୟର ବିଷୟ ହେଲା, ଚାରି ଚାରିଟି ଦୁର୍ଘଟଣା ଘଟାଇବା ସତ୍ତ୍ବେ ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ କୌଣସି ମାମଲା ରୁଜୁ କରି ନ ଥିଲା। ଏହି ଘଟଣାରେ କେହି ଅଭିଯୋଗକାରୀ ନାହାନ୍ତି, ତେଣୁ ମାମଲା ରୁଜୁ ହୋଇନାହିଁ ବୋଲି ଦର୍ଶାଇ ଟାଉନ ଥାନା ଆଇଆଇସି ଉମାଶଙ୍କର ସିଂହ ଏ ବାବଦରେ କୌଣସି ସୂଚନା ଦେବାକୁ ମନା କରି ଦେଇଥିଲେ।