ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର

89

କନକ ବ୍ୟୁରୋ: ରାଜଧାନୀ ରାସ୍ତା କଡରେ ଥକା ମେଣ୍ଟାଉଥିବା ଶ୍ରମିକଙ୍କ ଉପରେ ମାଡିଗଲା କାର । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ । ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି ପୋଲିସ । ସେପଟେ ଧଉଳୀ ବାଙ୍କୁଆଲ ପାଖରେ ଗାଡି ଛାଡି ଫେରାର ହୋଇଯାଇଛନ୍ତି ଡ୍ରାଭର ଗାଡି ଚାଳକ ।

  • ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍
  • ଚକା ତଳେ ଗଲା ଶ୍ରମିକଙ୍କ ଜୀବନ

ଦିନ ତମାମର ଖଟଣି ପରେ ଭୁବନେଶ୍ୱରର ରାଜମହଲ ପୋଲ ତଳେ ଶୋଇଥିଲେ କିଛି ଶ୍ରମିକ । ନିସ୍ତବ୍ଧ ରାତିରେ ନିଶ୍ଚିନ୍ତ ହୋଇ ଶୋଇଯାଇଥିଲେ । କିନ୍ତୁ କିଏ ଜାଣିଥିଲା, ପୋଲ ତଳେ ଶୋଇବା କାଳ ହେବ ।

  • ରାତି ପ୍ରାୟ ଗୋଟାଏ
  • ସ୍ଥାନ- ରାଜମହଲ ଛକ, ଭୁବନେଶ୍ୱର

ଫୁଟପାଥ ଉପରକୁ ମାଡି ଯାଇଥିଲା ଏକ କାର । ଗାଡିର ଗତି ଏତେ ଅଧିକ ଥିଲା ଯେ ଆଖି ପିଛୁଳାକେ ପୋଲ ତଳେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଆଉ ଚକା ତଳେ ଚାଲିଯାଇଥିଲା ଫୁଟପାଥରେ ଶୋଇଥିବା ନିରାଶ୍ରୟ ଶ୍ରମିକଙ୍କ ଜୀବନ ।

ବର୍ତ୍ତମାନ ସୁଦ୍ଧା ମୃତ ଶ୍ରମିକଙ୍କ ପରିଚୟ ମିଳିନଥିବାବେଳେ ମୃତକଙ୍କ ଫଟୋକୁ ସାର୍ବଜନୀନ କରିଛି ପୋଲିସ । ସିସିଟିଭି ଆଧାରରେ ଗାଡି ଚାଳକଙ୍କୁ ଧରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପୋଲିସ କହିଛି । ଗାଡି ଚାଳକ ଦୁର୍ଘଟଣା ଘଟାଇବା ପରେ ଦ୍ରୁତ ଗତିରେ ଆଗକୁ ମାଡିଯାଇଥିଲେ । ଦୁର୍ଘଟଣାର କିଛି ସମୟ ପରେ ଦୟା ନଦୀ ପାଖରେ ଗୋଟିଏ ଗାଡି ପାଇଥିଲା ପୋଲିସ । ନାଲି ରଙ୍ଗର ଏହି ଗାଡିଟି ଅଧା ଭଙ୍ଗା ଅବସ୍ଥାରେ ପଡିରହିଥିଲା । ଏହି ଗାଡିଟି ଦୁର୍ଘଟଣା ଘଟାଇଛି ବୋଲି ପୋଲିସ ସନ୍ଦେହ କରୁଛି ।

ପେଟପାଟଣା ପାଇଁ ରାଜଧାନୀରେ ଖଟୁଥିବା ଅନେକ ଲୋକ ନିରାଶ୍ରୟ ହୋଇଥିବାରୁ ଏଭଳି ପୋଲ ତଳେ ହିଁ ରାତି ବିତାନ୍ତି । ସବୁଦିନ ଭଳି ଶୁକ୍ରବାର ରାତିରେ ବି ଏହି ଶ୍ରମିକ ଜଣଙ୍କ ପୋଲ ତଳେ ଶୋଇଥିଲେ । ରାତି ପାହିଲେ ପୁଣି ଖଟିବେ, ଘର ପାଇଁ କିଛି ଟଙ୍କା ରୋଜଗାର କରିବେ ବୋଲି ଭାବିଥିବେ । କିନ୍ତୁ ଏହି ଦୁର୍ଘଟଣା ସହ ସବୁ ସ୍ୱପ୍ନ ଚୁରମାର ଚୁରମାର ହୋଇଯାଇଛି ।