ରାଜମହଲ ଛକରେ ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନ୍ ଘଟଣା : ୪ଦିନ ପରେ ମିଳିଲା ମୃତକଙ୍କ ପରିଚୟ

849

କନକ ବ୍ୟୁରୋ : ଭୁବନେଶ୍ୱର ରାଜମହଲ ଛକରେ ବିଳମ୍ବିତ ରାତିରେ ହିଟ୍ ଆଣ୍ଡ ରନ୍ ଘଟଣା । ୪ଦିନ ପରେ ମିଳିଲା ମୃତକଙ୍କ ପରିଚୟ । ଖବର ପାଇ ସ୍ୱାମୀଙ୍କ ମୃତଦେହ ଚିହ୍ନଟ କଲେ ସ୍ତ୍ରୀ ଜୟନ୍ତୀ ବରାଳ । ମୃତକ ହେଲେ ଦୀନବନ୍ଧୁ ବରାଳ । ତାଙ୍କ ଘର ପୁରୀ ଜିଲ୍ଲା ପିପିଲି ନୂଆହାଟ ଭରସାପୁରରେ । ଗତ ୨୯ ତାରିଖ ବିଳମ୍ବିତ ରାତିରେ ଫୁଟପାଥରେ  ଶୋଇଥିବା ବେଳେ ଦୀନବନ୍ଧୁଙ୍କ ଉପରେ ଚଢ଼ି ଯାଇଥିଲା ଗାଡ଼ି । ଘଟଣାସ୍ଥଳରେ ହିଁ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ସ୍ତ୍ରୀ ଜୟନ୍ତୀ ବରାଳଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେବି ଫେରାର ରହିଛି ।

ରାତି ପ୍ରାୟ ୧ଟା ୪୦ରୁ ୨ଟା ଭିତରେ ଏଜି ପଟୁ ଆସୁଥିବା ନାଲି ରଙ୍ଗର ମାରୁତି ସୁଇଫ୍ଟ କାର୍‌(ଓଡି୦୫-ଏଏକ୍ସ-୨୫୮୫) ରାଜମହଲ ଓଭରବ୍ରିଜ ତଳେ ୟୁ-ଟର୍ଣ୍ଣ କରି ପୁଣି ଏଜି ଛକ ଅଭିମୁଖେ ଯିବା ପାଇଁ ଚାହୁଁଥିଲା। କାର୍‌ ଦ୍ରୁତଗତିରେ ଥିବା ବେଳେ ଚାଳକ ଭାରସାମ୍ୟ ହରାଇ ଫୁଟପାଥ ଉପରେ ଚଢ଼ାଇ ଦେଇଥିଲେ। ଦୀନବନ୍ଧୁଙ୍କ ଉପରେ କାର୍‌ ଚଢ଼ି ଯାଇଥିବା ବେଳେ ଶବ୍ଦ ଶୁଣି ଅନ୍ୟମାନେ ଉଠି ପଡ଼ିବାରୁ ୧୦ରୁ ଊର୍ଦ୍ଧ୍ବ ବର୍ତ୍ତି ଯାଇଥିଲେ। ଏହି ଦୁର୍ଘଟଣା ପରେ କାର୍‌ ଅଟକି ନ ଥିଲା। ସିଧା ପୁରୀ ଅଭିମୁଖେ ଚାଲି ଯାଇଥିଲା। ଲିଙ୍ଗିପୁର ନିକଟରେ ଦୟାନଦୀ ପଠାକୁ କାର୍ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ ଚାଳକ। ଦୀନବନ୍ଧୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

କାର୍‌ ଏତେ ଦ୍ରୁତଗତିରେ ଯାଇଥିଲା ଯେ ଗୋଟିଏ ଚକାର ରିମରୁ ଟାୟାର ବାହାରି ଯାଇଥିଲା। ୧ଟା ୪୦ରୁ ୨ଟା ମଧ୍ୟରେ ସେହି ରାସ୍ତା ଦେଇ ଯାଇଥିବା ଗାଡ଼ିକୁ ପୁଲିସ ଟ୍ରାକ୍ କରିଥିଲା। ୬ଟି ଗାଡ଼ିକୁ ଯାଞ୍ଚ କରା ଯାଇଥିଲା, କିନ୍ତୁ ଗୋଟିଏ ବି ଗାଡ଼ି ଦୁର୍ଘଟଣା ଘଟାଇଥିବା ଜଣାପଡ଼ି ନ ଥିଲା। ଦୟାନଦୀ ପଠାରୁ ଆଜି ସକାଳେ ଗାଡ଼ି ନାଲି ରଙ୍ଗର ସୁଇଫ୍ଟ ଗାଡ଼ି ମିଳିବା ପରେ ଯାଞ୍ଚ କରାଯାଇଥିଲା। ସେହି କାର୍‌ ଦୁର୍ଘଟଣା ଘଟାଇଥିବା ସ୍ପଷ୍ଟ ହୋଇଥିଲା। ଗାଡ଼ିର ମାଲିକ ବିକାଶ ପାଲ ଏୟାରପୋର୍ଟ ଥାନା ପୋଖରୀପୁଟ କୋକିଳ ରିସୋର୍ଟରେ ରହୁଥିବା ଜଣାପଡ଼ିଥିଲା। କ୍ୟାପିଟାଲ ଥାନା ପୁଲିସ ବିକାଶଙ୍କ ଘରକୁ ଯାଇଥିଲେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ବିକାଶ କୁଆଡ଼େ ଗଲେ ସେ ନେଇ ପୁଲିସ ତନାଘନା ଆରମ୍ଭ କରିଛି।