ଶତାଦ୍ଦୀର ପ୍ରଥମ ନାଗାର୍ଜୁନ ବେଶ । ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ଜଗା-ବଳିଆ । ଜାଣନ୍ତୁ, ମହାପ୍ରଭୁଙ୍କ ଏହି ବିରଳ ବେଶର କଣ ରହିଛି ବିଶେଷତ୍ୱ
କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ। ଏକବିଂଶ ଶତାଦ୍ଦୀରେ ପ୍ରଥମ କରି ପଡ଼ୁଥିବା ଏ ବେଶକୁ କିନ୍ତୁ ଭକ୍ତ ଦର୍ଶନ କରିପାରିବେ ନାହିଁ। ଦୀର୍ଘ ୨୬ ବର୍ଷ ପରେ ପଡ଼ୁଥିବା ଏହି ବେଶ ଏଥର କରୋନା ଯୋଗୁଁ କଟକଣା ଭିତରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ କେବଳ ସେବକ ଓ ନିୟୋଜିତ ପ୍ରଶାସକ ଏ ବେଶ ଦର୍ଶନ ସୁଯୋଗ ପାଇବେ। ତେବେ ଏ ବେଶ କାହିଁକି ହୁଏ, କେବେ ପଡ଼ିଥାଏ, ମହାପ୍ରଭୁମାନେ କେଉଁ ଅଳଙ୍କାରରେ ଭୂଷିତ ହୁଅନ୍ତି ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ରହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ମଳ ତିଥିରେ ନାଗାର୍ଜୁନ ବେଶ
ନାଗାର୍ଜୁନ ବେଶର ବିଶେଷତ୍ବ ହେଲା, ଏହା ସବୁ ବର୍ଷ ପଡ଼ିନଥାଏ। ମହାପ୍ରଭୁଙ୍କ ଅନ୍ୟ ବେଶ ପ୍ରତି ବର୍ଷ ପଡ଼ୁଥିବା ବେଳେ କେବଳ ନାଗାର୍ଜୁନ ଓ ରଘୁନାଥ ବେଶ ବହୁ ବର୍ଷର ଅନ୍ତରରେ ପଡ଼ିଥାଏ। ସେଥି ପାଇଁ ବେଶକୁ ନେଇ ଉତ୍ସୁକତା ଥାଏ। ୧୯୯୪ରେ ଶେଷ ଥର ପାଇଁ ଏହି ବେଶ ପଡ଼ିଥବା ବେଳେ ୨୬ ବର୍ଷ ପରେ ଚଳିତ ବର୍ଷ ଏ ବେଶ ପଡ଼ିଛି। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ପାଞ୍ଚ ଦିନ ନ ହୋଇ ୬ ଦିନ ପଡ଼ିଥାଏ, ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚକର ଯେଉଁ ତିଥିରେ ମଳ ପଡ଼େ, ସେହି ମଳ ତିଥିରେ ହିଁ ଠାକୁରମାନଙ୍କ ନାଗାର୍ଜୁନ ବେଶ କରାଯାଏ।
ତେବେ ଏହି ମଳ ତିଥି ପଡ଼ୁଥିବା ଦିବସର ନିର୍ଦ୍ଧାରଣ ବେଳେ ନିର୍ଦ୍ଦିଷ୍ଟ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ। ସୂର୍ଯ୍ୟ ଗୋଟିଏ ଦିନ ପରିବର୍ତ୍ତେ ଦୁଇ ଦିନ ଭୋଗ କଲେ ଅର୍ଥାତ ପୂର୍ବ ଦିନ ଓ ପରଦିନ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ସମୟକୁ ମଳ ତିଥି କୁହାଯାଏ। ସୁତରାଂ ଯେଉଁ ବର୍ଷ କାର୍ତ୍ତିକ ମାସ ପଞ୍ଚକ ମଳ ତିଥି ୬ ଦିନ ହୁଏ, ସେହି ବର୍ଷ ମଳ ତିଥିରେ ହିଁ ନାଗାର୍ଜୁନ ବେଶ କରାଯିବାର ପରମ୍ପରା ରହିଛି।
କେବେ ଆରମ୍ଭ ହେଲା ନାଗାର୍ଜୁନ ବେଶ
ନାଗାର୍ଜୁନ ବେଶର ସମୟ କେବେ ଓ ଏହା କେବେଠୁ ଶ୍ରୀମନ୍ଦିରରେ ପ୍ରଚଳନ ହେଉଛି ସେ ନେଇ କୌଣସି ପ୍ରମାଣିକ ତଥ୍ୟ ନଥିଲେ ବି ୧୯୬୬ ଠାରୁ ବେଶ ସଂପର୍କରେ ବିବରଣୀ ରହିଛି। ଗଙ୍ଗବଂଶ ରାଜତ୍ବ ସମୟରୁ ବେଶ ହେଉଥିଲା କି ନା ତା’ର ପ୍ରମାଣ ନାହିଁ। କୁହାଯାଏ, ଗଙ୍ଗବଂଶ ରାଜାଙ୍କ ନିର୍ଦ୍ଦେଶକ୍ରମେ ଗଜପତି ମହାରାଜାଙ୍କ ଆଜ୍ଞାପ୍ରାପ୍ତ ହୋଇ ଚକ୍ରକୋଟ ଖୁଣ୍ଟିଆ ସେବକ ନାଗାର୍ଜୁନ ବେଶ କରୁଥିଲେ। ଚକ୍ରକୋଟ ଖୁଣ୍ଟିଆ ୧୯୬୮ ମସିହା ପର୍ଯ୍ୟନ୍ତ ନାଗାର୍ଜୁନ ବେଶ କରିଥିବା ଜଣାଯାଏ। ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟ ରେକର୍ଡ ରୁମ ତଥ୍ୟ ମୁତାବକ, ୧୯୬୬ ମସିହାରୁ ଏହି ବେଶ କରାଯିବାର ସୂଚନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୬୦ ମସିହା ଠାରୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନ ଭାର ଗ୍ରହଣ କରିବା ପରେ ୧୯୬୬ ମସିହା କାର୍ତ୍ତିକ ଶୁକ୍ଳ ପଞ୍ଚମୀ ମଳ ତିଥିରେ ନାଗାର୍ଜୁନ ବେଶ ହୋଇଥିଲା। ତେବେ ଚକ୍ରକୋଟ ଖୁଣ୍ଟିଆଙ୍କ ଘରେ ଉପଲବ୍ଧ ହେଉଥିବା ତାଳପତ୍ର ହୁକୁମନାମା ଓ କାଗଜାତରୁ ଏହି ବେଶ ତିନି ଶହ ବର୍ଷରୁ ପୁରୁଣା ବୋଲି ଜଣାଯାଏ।
କେମିତି ସଜେଇ ହୁଅନ୍ତି ମହାପ୍ରଭୁ
ଏହା ମହାପ୍ରଭୁଙ୍କ ବୀର ବେଶ ବା ପର୍ଶୁରାମ ବେଶ। ତେଣୁ ମହାପ୍ରଭୁଙ୍କୁ ବୀର ବା ପାର୍ବତ୍ୟ ବେଶରେ ସଜା ଯାଇଥାଏ। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଙ୍ଗଳ ଆଳତି, ଅବକାଶ ଓ ମଇଲମ ପରେ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛ ମହାପାତ୍ର, ତଳିଛ ମହାପାତ୍ର ଉପସ୍ଥିତିରେ ପୁଷ୍ପାଳକ ସେବକମାନେ ଏହି ବେଶ କରାଇଥାନ୍ତି। ଏଥିରେ ଖୁଣ୍ଟିଆ ଓ ମେକାପ ସେବକମାନେ ସହାୟତା କରିଥାନ୍ତି। ଏହା ଏକ ଜଜମାନି ବେଶ ହୋଇଥିବା ବେଶ ସାମଗ୍ରୀ ଯୋଗାଣକାରୀ ଦାତା, ବେଶ କାରିଗର ଉପସ୍ଥିତ ରହିଥାନ୍ତି। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ନାଗା ବେଶରେ ସଜ୍ଜିତ ହୋଇଥାନ୍ତି ଓ ଦେବୀ ସୁଭଦ୍ରା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ତ୍ରିଭୁବନେଶ୍ବରୀ ବେଶରେ ମଣ୍ଡିତ ହୋଇଥାନ୍ତି। ହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜି ଦିଆଯାଏ। ହାଣ୍ଡିଆ ଉପରେ ପାଉଳି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଥାନ୍ତି। ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ଢେଣୁ ବନ୍ଧାଯାଏ, ଢେଣୁରେ ଥିବା ଧନୁର ଅଗ୍ରଭାଗ ଦ୍ବୟକୁ ବିପରୀତ ମୁଖି ସୋଲ, କମ୍ବୁରା କରି କଇଥ ଅଠାରେ ନିର୍ମିତ ମୟୁର ଥୁଣ୍ଟା ଗ୍ରୀବାଯୁକ୍ତ କରାଯାଏ। ପୃଷ୍ଠ ଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଂଜା ଯାଏ। ପ୍ରାରମ୍ଭରେ ବେଶକାରୀମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପରେ ସିଲ୍କ କନାରେ ପ୍ରସ୍ତୁତ ବେଶ ପିନ୍ଧାଇଥାନ୍ତି।
ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଆଡ଼ଗାଲି ସୋଲ, କପଡ଼ା, ବକ୍ଷରେ ବ୍ୟାଘ୍ରଛାଲ, କଟିରେ କାଛେଣୀ, ହାଣ୍ଡିଥାରେ ସିଙ୍ଘଡ଼ା ଝୁଲାଇ ଦିଆଯାଏ। ଏହା ବ୍ୟତୀତ ବାଙ୍କଛୁରୀ, ଖଣ୍ଡା, କଟାରୀ, ଜଙ୍ଘି, ରଂଜକ ଦାନି, ଘଣ୍ଟି, ବାଘ ନଘ, ପୃଷ୍ଟ ଦେଶରେ ଢେଣୁ ସହିତ କଟିରେ ଢାଲ, ଅସ୍ତ୍ରଶସ୍ତ୍ର ସହିତ ପରଚୁଳା ଖଂଜାଯାଇଥାଏ। ଭୁଜରେ ବଡ଼ଓତା, ହୁଦା, ଓଳମାଳ, କର୍ଣ୍ଣରେ କାନଫୁଲ, କଲଫି ପ୍ରଭୃତି ଉପକରଣ ସଜା ହୋଇଥାଏ। ଏହି ବେଶ ସହିତ ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, କପାଳ ଦେଶରେ ସୁବର୍ଣ୍ଣ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଓ ବିଭିନ୍ନ ସୁବର୍ଣ୍ଣ ମାଳାରେ ମଣ୍ଡିତ କରାଯାଏ। ଦେବୀ ସୁଭଦ୍ରାଙ୍କ ମସ୍ତକରେ ସୁବର୍ଣ୍ଣ କିରୀଟ, ଚନ୍ଦ୍ରିକା ତଡ଼ଗି, ଅଣ୍ଟାପଟି ଓ ବିଭିନ୍ନ ସୁବର୍ଣ୍ଣମାଳାରେ ସଜା ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ ଓ ଚକ୍ର, ବଳଭଦ୍ର ହସ୍ତରେ ହଳମୂଷଳ ଧାରଣ କରିଥାନ୍ତି।