କନକ ବ୍ୟୁରୋ : ନାନା ପ୍ରକାରର ସୁସ୍ୱାଦୁ ମିଠାର ଗନ୍ତାଘର ହେଉଛି ଭାରତ । ପର୍ବ ପର୍ବାଣୀ ଆସିଲେ ଗାଁ ଠାରୁ ସହର ସବୁ ଉତ୍ସବ ମୁଖର ହୋଇପଡେ ଓ ଦୋକାନ ବଜାରରେ ସଜେଇ ହୋଇଯାଏ ଭଳି ଭଳିକି ମିଠା । ଭାରତର କୋଣ ଅନୁକୋଣରେ କେତେ ପ୍ରକାରର ମିଠା ତିଆରି ହୁଏ ତାର ଗଣନା ନାହିଁ । କେବଳ ଭାରତରେ ନୁହେଁ ବାହାର ଦେଶରେ ମଧ୍ୟ ଭାରତ ମିଠାର ଅନେକ ଚାହିଦା ରହିଛି ।

Advertisment

ମିଠା ଭିତରେ ଗରମ ଗରମ ଶିରାରୁ ବାହରିଥିବା ଗୁଲାବ ଜାମୁନର ସ୍ଥାନ ଖୁବ୍ ଖାସ୍ । ଉତ୍ତର ଭାରତ ଅଞ୍ଚଳରେ ଯେକୌଣସି ଉତ୍ସବ ହୋଉ କିମ୍ବା ଖାସ ଅବସର ଭୋଜି ତାଲିକାରେ ଗୁଲାବ ଜାମୁନ ଆପଣ ନିଶ୍ଚୟ ପାଇବେ । ଆମ ଦେଶରେ ମିଠା ଖାଇବା ଓ ଖୁଆଇବାର ପରମ୍ପରା ଅନେକ ପୁରୁଣା । କିଛି ବି ଖୁସିର ଅବସର ଆସିଲେ, ମିଠା ଖୁଆଇ ପରସ୍ପରକୁ ଆମେ ଅଭିନନ୍ଦନ ଜଣାଇଥାଉ । ଏହି ଖୁସିକୁ ଦ୍ୱିଗୁଣ କରୁଥିବା ମିଠା ମାନଙ୍କ ମଧ୍ୟରେ ଗୁଲାବ ଜାମୁନର ଇତିହାସ ଜାଣନ୍ତି କି?

କେମିତି ନା ହେଲା ଗୁଲାବ ଜାମୁନ
ଗୁଲାବ ଜାମୁନ ନା ରଖା ହେବା ପଛରେ ଏକ ସୁନ୍ଦର ଇତିହାସ ରହିଛି । ନା ପଢିଲେ ଲାଗେ କିଛି ଫୁଲ କି ଫଳରୁ ତିଆରି ହୋଇଥିବ, ହେଲେ ନା ର ପ୍ରଥମ ଭାଗ “ଗୁଲାବ” ଫରାସୀ ଶବ୍ଦ ଗୁଲ ଓ ଅବ ର ମିଶ୍ରଣ । ଗୁଲ ଅର୍ଥ ଫୁଲ ଓ ଅବ୍ ହେଉଛି ପାଣି । ଏହା ଗୋଲାପ ଜଳ ବାସ୍ନା ଥିବା ସିରପକୁ ବୁଝାଏ । ଜାମୁନ ଶବ୍ଦଟି ଜୋଡିବାର କାରଣ ହେଉଛି ଗୁଲାବ ଜାମୁନ ଦେଖିବାକୁ ଅବିକଳ ଜାମୁନ ବା ଜାମୁ ଫଳ ଭଳି । କ୍ଷୀରରୁ ପ୍ରସ୍ତୁତ ଏ ମନ ଲୋଭା ମିଠା ତିଆରି ପାଇଁ ପ୍ରଥମେ ଖୀରରୁ ଖୁଆ କଢାଯାଏ । ଖୁଆ ଚକଟି ଜାମୁନ ଆକାରର ଗୁଳା କରି ଗାଢ ବାଦାମୀ ରଙ୍ଗ ହେବା ଯାଏଁ ଛଣା ଯାଏ । ଏହା ପରେ ଗରମ ଗରମ ଛଣା ଛେନା ଗୁଳା ଗୁଡିକୁ ଚିନି ଶିରାରେ ବୁଡାଇ ଦିଆଯାଏ । ଆଜି କାଲି ମାର୍କେଟରେ ଖୁଆ ଛେନା ଓ କ୍ଷୀର ପାଇଁ ଅନେକ ବିକଲ୍ପ ସାମଗ୍ରୀ ଆସିଲାଣି ହେଲେ ଅସଲି କ୍ଷୀର ତିଆରି ମିଠାର ସ୍ୱାଦ ନିଆରା  ।

publive-image

ଗୁଲାବ ଜାମୁନକୁ ନେଇ କିଛି ଇିତିହାସ
ଗୁଲାବ ଜାମୁନର ଉତ୍ପତ୍ତିକୁ ନେଇ ଅଛି ଅନେକ ତଥା କଥିତ ଇତିହାସ ଓ ଅନେକ ମଜାଦାର କାହାଣୀ । କିଛି କୁହନ୍ତି ଶାହାଜାହାନଙ୍କର ଖାସ ରୋଷେୟା ଏହା ତିଆରି କରିଥିଲେ । ଆଉ କିଛି କୁହନ୍ତି ମିଠାର ତିଆରି ପ୍ରଣାଳୀ ଫରାସୀ ଓ ତୁର୍କୀର ମିଷ୍ଠାନ୍ନ ତିଆରି ପ୍ରଣାଳୀରୁ ଅଣାଯାଇଛି । କାରଣ ଫରାସୀ ମିଠା ବାମିହ ଓ ତୁଲୁମ୍ବା ନାମକ ତୁର୍କୀ ମିଠା ସହ ଗୁଲାବ ଜାମୁନା ଅନେକ ସାମଞ୍ଜସ୍ୟ ରହିଛି । ଗୁଲାବ ଜାମୁନ ଗରମା ଗରମ ଖିଆଯାଉଥିବା ବେଳେ ସେଗୁଡିକୁ ଥଣ୍ଡା ପରଷା ଯାଏ । ଏପରିକି “ଲୁକମତ୍ - ଅଲ୍ – କଦୀ” ନାମକ ଏକ ଆରବୀୟ ମିଠା ମଧ୍ୟ ପୁରା ଗୁଲାବ ଜାମୁନ ପରି । ପ୍ରଖ୍ୟାତ ଖାଦ୍ୟ ଗବେଷକ ଓ ଲେଖକ କ୍ରାଣ୍ଡଲ ତାଙ୍କ ପୁସ୍ତକ -ଦି ଡୋନଟ, ରେସିପିସ୍ ଓ ଲୋର ଫ୍ରମ ବୋଷ୍ଟନ୍ ଟୁ ବର୍ଲିନରେ ଫରାସୀ ମାନେ ନିଜ ସହ ଏକ ଗୋଲ ପକୋଡା ଆଣିଥିଲେ ଯାହାକି ପରେ ଗୁଲାବ ଜାମୁନ ନାମରେ ନାମିତ ହେଲା ବୋଲି ଉଲ୍ଲେଖ କରିଛନ୍ତି ।

publive-image

ରହିଛି ଅନେକ କିସମର ଗୁଲାବ ଜାମୁନ
ଭାରତର ବିଭିନ୍ନ ଭାଗରେ ଗୁଲାବ ଜାମୁନର ବିଭିନ୍ନ ଭେରାଇଟି ରହିଛି । ନା ଅଲଗା ହେଇପାରେ କିନ୍ତୁ ପ୍ରଣାଳୀ ସ୍ୱାଦରେ ପୁରା ସମାନ । ଲେଡିକେନି ନାମେରେ ଏକ ମିଠା ଦେଖିବାକୁ ମିଳେ ପଶ୍ଚିମବଙ୍ଗରେ, ଦେଖିବାକୁ ଆକାରରେ ଲମ୍ବାଳିଆ । ଆକାର ଛାଡ଼ିଦେଲେ ଗୁଲାବ ଜାମୁନ ଠାରୁ ଜମା ଭିନ୍ନ ନୁହେଁ । ନେପାଳ ଓ ପାକିସ୍ତାନରେ ଏହାକୁ ଗୁଲାବ ଜାମୁନ ନାମରେ ସବୁ ଜାଣନ୍ତି । ମାଳଦ୍ୱୀପ ଦେଶରେ ଏହାକୁ ଗୁଲାବବୁଜାନୁ ବୋଲି କୁହାଯାଉଥିଲା ବେଳେ ବାଂଗଲାଦେଶ ଓ ମିଅାଁମାରରେ ଗୁଲାବ ଜାମ ନାମରେ ଜାଣନ୍ତି ।