ପହଣ୍ଡିବିଜେ ସମ୍ପନ୍ନ, ରଥାରୁଢ ଚତୂର୍ଦ୍ଧାମୂର୍ତ୍ତି । ତିନିଠାକୁରଙ୍କ ପହଣ୍ଡି ପରେ କାହିଁକି କରାଯାଇଥାଏ ଛେରା ପହଁରା ସେବା ? ମହାବାହୁଙ୍କ ଘୋଷଯାତ୍ରାର ଏହି ଦୁର୍ଲଭ ନୀତି ସଂପର୍କରେ ଜାଣନ୍ତୁ…

1,276

କନକ ବ୍ୟୁରୋ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଭକ୍ତଶୂନ୍ୟ ରଥଯାତ୍ରା । ଫଳରେ ଭକ୍ତଙ୍କ ଭିଡରେ ଜନାରଣ୍ୟ ହୋଇପଡୁଥିବା ବଡଦାଣ୍ଡଟି ଆଜି ଜନଶୂନ୍ୟ ହୋଇପଡିଛି । ତଥାପି କିନ୍ତୁ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ସେହି ଭକ୍ତି, ଶ୍ରଦ୍ଧା ତଥା ଭଲପାଇବା ତିଳେମାତ୍ର ମଳିନ ପଡିନାହିଁ । ଶ୍ରୀକ୍ଷେତ୍ର ନ ଯାଇବି ଭକ୍ତମାନେ ନିଜ ନିଜ ଘରେ ବସି କାଳିଆର ଅଲୌକିକ ଯାତ୍ରାର ଅପରୂପ ଦର୍ଶନ କରୁଛନ୍ତି । ଇତିମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ସରିବା ପରେ ଏବେ ରଢାରୁଢ ହୋଇଛନ୍ତି ଚତୂର୍ଧାମୂର୍ତ୍ତି । ଏହାପରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ମଧ୍ୟରେ ମୁଖ୍ୟତଃ ଦର୍ଶନ, ରାଜନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା, ପୟମାଳା ଗ୍ରହଣ ଆଦି ରହିଥାଏ । ତିନି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ପହଣ୍ଡି ବିଜେ ହୋଇ ରଥାରୂଢ ହେବାପରେ ମୁଖ୍ୟ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥାଏ ।

ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନୈକ ପଦାଧିକାରୀ, ଶ୍ରୀମନ୍ଦିର କମାଣ୍ଡର, ଆବଶ୍ୟକ ସଂଖ୍ୟକ ମନ୍ଦିର ପୁଲିସ ଏବଂ ସରକାରୀ ପୁଲିସ ଶ୍ରୀନଅରକୁ ଯାଇ ବିଧିବଦ୍ଧ ଭାବେ ଗଜପତି ମହାରାଜାଙ୍କୁ ଛେରା ପହଁରା ସେବା କରିବା ପାଇଁ ଖବର ପଠାଇଥାନ୍ତି । ଶ୍ରୀନଅରରେ ଖବର ପଂହଚିବା ପରେ ଗଜପତି ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥାନ୍ତି ।

ଛେରା ପହଁରା ନୀତି ସରିବା ଯାଏଁ ଗଜପତି ମହାରାଜା ଉପବାସ ରହିବା ସଂଗେ ସଂଗେ ଶ୍ରୀନଅର ଅଗଣାରେ ରଖାଯାଇଥିବା କନକ ଦୁର୍ଗା ଠାକୁରାଣୀଙ୍କୁ ପ୍ରଣାମ କରି ଶ୍ରୀନଅର ଅଗଣାରେ ରଖାଯାଇଥିବା ହାତୀଦନ୍ତ ଓ ରୈାପ୍ୟ ନିର୍ମିତ ତାମଯାନରେ ବିଜେ କରିଥାନ୍ତି । ଶ୍ରୀନଅରରୁ ବିଜେ କରିବା ସମୟରେ ବେହେରା ଖୁଂଟିଆ ଆଗରେ ରହିଥାନ୍ତି , କାହାଳୀ ଓ ବଜନ୍ତରୀ ବାଦ୍ୟର ତାଳେତାଳେ ପଟୁଆର ଶୋଭାଯାତ୍ରାରେ ଗଜପତି ରଥ ଆଡକୁ ଆସୁଥିବା ବେଳେ ବଡଦାଣ୍ଡରେ  ହରିବୋଲ ଓ ହୁଳୁହୁଳି ଦେଇ ଠାକୁରମାନଙ୍କର ଜୟଜୟକାର କରିଥାନ୍ତି ।

ସର୍ବପ୍ରଥମେ ବଳଭଦ୍ରଙ୍କ ରଥ ସମ୍ମୁଖରେ ତାମଯାନ ରହେ , ଏବଂ ତାପରେ ଗଜପତି ମହାରାଜ ଉକ୍ତ ରଥ ଉପରକୁ ଉଠିଥାନ୍ତି । ତାଙ୍କ ସାଙ୍ଗରେ ରାଜପରିବାରର ସଦସ୍ୟ ରାଜଗୁରୁ, ଲେଙ୍କା, ବେହେରା ଖୁଂଟିଆ, ଗରାବଡୁ ଓ ଦେଉଳକରଣ ଆଦି ସେବକ ମଧ୍ୟ ରହିଥାନ୍ତି । ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି । ରାଜଗୁରି ମୁଦୁଲି ସେବକଙ୍କ ଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇଥାନ୍ତି । ଏହି କ୍ରମରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଓ ଦେବୀ ସୁଭଦ୍ରାଙ୍କ ରଥ ଉପରେ ଛେରା ପହଁରା ନୀତି ସଂପନ୍ନ ହୋଇଥାଏ । ଛେରା ପହଁରା ସରିବା ପରେ ଗଜପତି ମହାରାଜା ତାମଯାନରେ ପଟୁଆର ସହ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥାନ୍ତି ।