କନକ ବ୍ୟୁରୋ: ବାରବାଟୀ ପୁଣି ଥରେ ହସୁଛି। ଫନି ପାଇଁ ଶ୍ରୀହୀନ ହୋଇଥିବା ଏହି ଐତିହାସିକ ଷ୍ଟାଡିୟମ ତା’ର ପୁରୁଣା ଚମକ ଫେରିପାଇଛି। ପଡ଼ିଆରେ ସବୁଜ ଘାସ ଢେଉ ମାରୁଛି। ଗ୍ୟାଲେରି ଓ ପ୍ୟାଭିଲିୟନ ଚମକୁଛି। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ପାଇଁ ପିଚ୍ ବି ପୂରା ପ୍ରସ୍ତୁତ ରହିଛି। ଓଡ଼ିଶା କ୍ରିକେଟର ଅନନ୍ୟ ଦୁର୍ଗ ଏବେ ଏହି ମ୍ୟାଚ୍ ଲାଗି ଦୁଲୁକୁଛି। ସାରା ରାଜ୍ୟ ମଧ୍ୟ ଏଥିଲାଗି ଉତ୍ସବମୁଖର ହୋଇଛି। ରୋହିତଙ୍କ ଛକା, ଚୌକା ବର୍ଷା ସହ କୋହଲିଙ୍କ ବ୍ୟାଟରୁ ଶତକୀୟ ପାଳି ଅପେକ୍ଷାରେ ଅଛନ୍ତି ଓଡ଼ିଶା କ୍ରିକେଟ୍ ପ୍ରେମୀ। ଶୃଙ୍ଖଳା ନିର୍ଣ୍ଣାୟକ ପାଇଁ ଏହି ମ୍ୟାଚର ଉତ୍କଣ୍ଠା ବି ବେଶ୍ ବଢ଼ିଛି।

Advertisment

ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍ ଖେଳାଯିବା ପୂର୍ବରୁ ଏଠାରେ ଫୁଟବଲ୍ ଓ ଦୌଡ଼କୁଦ ପ୍ରତିଯୋଗିତା ଅଧିକ ହେଉଥିଲା। ତେଣୁ ବାରବାଟୀକୁ ଆନ୍ତର୍ଜାତିକ ଛାପ ଦେବା ପାଇଁ ଏଠାରେ ଏକ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ୧୯୬୪ ମସିହାରେ ଭୈରବ ମହାନ୍ତି ରୁଷିଆ ଗସ୍ତ ବେଳେ ମସ୍କୋସ୍ଥିତ ଡାଏନାମୋ ଷ୍ଟାଡିୟମରେ ଥିବା କ୍ରୀଡ଼ାବିତଙ୍କ ସୁଡ଼ଙ୍ଗ ପ୍ରତି ଆକୃଷ୍ଟ ହେବା ସହ ବାରବାଟୀରେ ଏଭଳି ସୁଡ଼ଙ୍ଗ ପାଇଁ ଚିନ୍ତା କରିଥିଲେ। ୧୯୬୯ ମସିହାରେ ୭୩ ହଜାର ୨୦୦ ଟଙ୍କା ବ୍ୟୟରେ ବର୍ତ୍ତମାନର ନ୍ୟୁ ପାଭିଲିଅନ୍ ତଳେ ଏହାକୁ ନିର୍ମାଣ କରାଯାଇଥିଲା। ଫୁଟବଲ୍ କିମ୍ବା ଦୌଡ଼କୁଦ ପ୍ରତିଯୋଗିତା ବେଳେ ଏହି ସୁଡ଼ଙ୍ଗ ଦେଇ ଖେଳାଳିମାନେ ପଡ଼ିଆ ଭିତରକୁ ପ୍ରବେଶ କରୁଥିଲେ। ଏହି ସୁଡ଼ଙ୍ଗର ଅନ୍ୟ ଏକ ମୁହଁ ବର୍ତ୍ତମାନର ଓସିଏ କ୍ଲବର ଗେଟ୍ ତଳେ ରହିଛି। ସେହି ସୁଡ଼ଙ୍ଗ ବାଟ ଦେଇ ଫୁଟବଲ୍ ଖେଳାଳିମାନେ ପଡ଼ିଆ ଭିତରକୁ ପ୍ରବେଶ କରୁଥିଲେ। ହେଲେ କ୍ରିକେଟ୍ ଆସିବା ପରେ ସୁଡ଼ଙ୍ଗର ବ୍ୟବହାର କମିଗଲା। ଖେଳାଳିଙ୍କ ସୁରକ୍ଷା ଓ ଅନଧିକାର ପ୍ରବେଶ ଦୃଷ୍ଟିରୁ ସୁଡ଼ଙ୍ଗକୁ ମ୍ୟାଚ୍ ବେଳେ ବନ୍ଦ କରାଯାଉଥିଲା। ପର୍ୟ୍ୟାୟକ୍ରମେ ଯେତେବେଳେ ୨୦୦୮ ମସିହାରେ ବାରବାଟୀ ଷ୍ଟାଡିୟମର ନବକଳେବର କରାଗଲା, ସେତେବେଳେ ସୁଡ଼ଙ୍ଗକୁ ବାଲି ପକାଯାଇ ପୋତି ଦିଆଯାଇଥିଲା। ଏବେ ସେହି ସୁଡ଼ଙ୍ଗ ଉପରେ ନ୍ୟୁ ପାଭିଲିଅନ ଛିଡ଼ା ହୋଇଛି ଏବ˚ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବେଳେ ସୁଡ଼ଙ୍ଗ ମୁହଁ ଉପରେ ଅସ୍ଥାୟୀ ଓସିଏ ବକ୍ସ ନିର୍ମାଣ କରାଯାଉଛି।

ଦୂବ ପଡ଼ିଆରେ ମ୍ୟାଚ୍

ଷ୍ଟାଡିୟମ୍ ଭିତରେ ଏବେ ଯେଉଁ ସବୁଜ ପଡ଼ିଆ ଦେଖାଯାଉଛି, ତାହା ଆଗରୁ ନଥିଲା। ସାଧାରଣ ପଡ଼ିଆରେ ପଟୁ ମାଟି ଉପରେ ଦୂବ ଘାସ ବିଛେଇ ହୋଇଥିଲା। ସେହି ଦୂବ ଘାସ ଉପରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଉଥିଲା। ପିଚ୍ରେ ଧୂଳି ନ ଉଡ଼ିବା ପାଇଁ ଧଳା ଚିକିଟା ମାଟି ବ୍ୟବହାର ହେଉଥିଲା। ୧୯୯୦-୯୧ ମସିହା ବେଳକୁ ପ୍ରଥମ ଥର ପାଇଁ ଷ୍ଟାଡିୟମର ମାଟି ବଦଳା ଯାଇଥିଲା। ପୂର୍ବରୁ ଥିବା ମାଟିକୁ ସ˚ପୂର୍ଣ୍ଣ ଭାବେ ବଦଳାଯାଇ ତାହା ଉପରେ ଘାସ ଲଗାଯାଇଥିଲା। ଯେତିକି ପରିମାଣର ମାଟି ବାହାର କରାଯାଇଥିଲା, ସେହି ପରିମାଣର ମାଟି ଭିତରେ ପକାଇବା ପାଇଁ ଅଭାବ ଦେଖାଦେଇଥିଲା। ଯାହାଫଳରେ ପଡ଼ିଆକୁ ସମତୁଲ କରିବାକୁ ଯେତେ ଚେଷ୍ଟା କରାଯାଇଥିଲେ ବି ତାହା ଟିକେ ଖାଲୁଆ ରହିଯାଇଥିଲା। ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମ ପଡ଼ିଆରେ ଦୁଇ ଥର ମାଟି ବଦଳା ଯାଇଛି। ହେଲେ ଖାଲୁଆ ସ୍ଥାନକୁ ସମତୁଲ କରାଯାଇପାରିଲା ନାହିଁ। ସେବେଠାରୁ ପଡ଼ିଆ ସାମାନ୍ୟ ଗଡ଼ାଣିଆ ହୋଇ ରହିଯାଇଛି। ଯାହାକି ପରବର୍ତ୍ତୀ ସମୟରେ ବର୍ଷା ହେଲେ ପାଣି ନିଷ୍କାସନରେ ସହାୟକ ହୋଇଆସୁଛି।

୧୯୬୧ରେ ପ୍ରଥମ ଅନୌପଚାରିକ ଆନ୍ତର୍ଜାତିକ କ୍ରିକେଟ୍

ବାରବାଟୀ ଷ୍ଟାଡିୟମରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ୧୯୮୨ରେ ଖେଳାଯାଇଥିଲା। କିନ୍ତୁ ଏହାର ଢେର ପୂର୍ବରୁ ଏଠାରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିବା ରେକର୍ଡ ରହିଛି। ୧୯୬୧ ମସିହାରେ ଇ˚ଲଣ୍ଡର ଏମ୍ସିସି ଓ ପୂର୍ବାଞ୍ଚଳ କ୍ରିକେଟ୍ ଦଳ ମଧ୍ୟରେ ବାରବାଟୀରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ ପାଇଁ ସେତେବେଳେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା। ମ୍ୟାଚ୍ ବେଳେ କେକ୍, ସେଓ ଏବ˚ ଅନ୍ୟାନ୍ୟ ରିଫ୍ରେସମେଣ୍ଟ ସାମଗ୍ରୀ କୋଲ୍କତାରୁ ମଗାଯାଇଥିଲା। ଯେତେ ପରିମାଣର ସାମଗ୍ରୀ ମଗାଯାଇଥିଲା ତାହା ଓଡ଼ିଶାର କୌଣସି କ୍ୟାଟରର୍ ପାଖରେ ମହଜୁଦ୍ ନଥିଲା।

୧୯୮୨ରେ ପ୍ରଥମ ଆନ୍ତର୍ଜାତିକ ଦିନିକିଆ, ଗାଭାସ୍କର ଜିତିଥିଲେ ହୃଦୟ

ବାରବାଟୀ ଷ୍ଟାଡିୟମରେ ପ୍ରଥମ ଔପଚାରିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା ୧୯୮୨ ମସିହାରେ। ଭାରତ ଓ ଇ˚ଲଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ୬ ଟେଷ୍ଟ୍ ଓ ୩ ଦିନିକିଆ ଖେଳିବାକୁ ଇ˚ଲଣ୍ଡ ଭାରତ ଆସିଥିଲା ବେଳେ ବାରବାଟୀରେ ଦିନିକିଆର ଫାଇନାଲ୍ ଖେଳାଯାଉଥିଲା। ଏଥିପୂର୍ବରୁ ଦୁଇଟି ଦିନିକିଆରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଥିଲେ। ତେଣୁ ବାରବାଟୀ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ଥିଲା। ସୁନୀଲ ଗାଭାସ୍କରଙ୍କ ନେତୃତ୍ବରେ ଭାରତ ଏହି ମ୍ୟାଚ୍କୁ ୫ ୱିକେଟ୍ରେ ଜିତିନେଇଥିଲା। ଏହି ମ୍ୟାଚରେ ଭାରତ ଟସ୍ ଜିତି ବୋଲି˚ କରିଥିଲା। ଅରୁଣ ଲାଲ ଓ ଅଶୋକ ମାଲହୋତ୍ରା ଭାରତ ପାଇଁ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିଲେ। ଇ˚ଲଣ୍ଡ ୪୬ ଓଭରରେ ୬ ଵିକେଟ ହରାଇ ୨୩୦ ରନ୍ କରିଥିଲା। କିଥ୍ ଫ୍ଲେଚର ୬୯, ଇଆନ ବୋଥାମ ୫୨, ଡେଭିଡ ଗାଵାର ୪୨, ଜିଓଫ କୁକ୍ ୩୦ ରନ୍ କରିଥିଲେ। ଭାରତର ମଦନ ଲାଲ୍ ୨, ସନ୍ଦୀପ ପାଟିଲ ୨, ସୁରୁ ନାୟକ ୧, ରବି ଶାସ୍ତ୍ରୀ ୧ ଵିକେଟ ନେଇଥିଲେ। ୨୩୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୨ ଓଭରରେ ମ୍ୟାଚ୍ ଜିତିଥିଲା। ସୁନିଲ ଗାଭାସ୍କର ସର୍ବାଧିକ ୭୧, ସନ୍ଦୀପ ପାଟିଲ ୬୪, ଯଶପାଲ ଶର୍ମା ୩୪, ଅଶୋକ ମାଲହୋତ୍ରା ୨୮ଞ୍ଚ ରନ୍ କରି ଘରୋଇ ଦଳ ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ। ଅର୍ଧଶତକୀୟ ପାଳି ପାଇଁ ଗାଭାସ୍କରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା।

ଶ୍ରୀକାନ୍ତଙ୍କୁ ପଡ଼ିଆ ଭିତରେ ଫୁଲମାଳ

ବାରବାଟୀ ଷ୍ଟାଡିୟମରେ ୧୯୮୨ରେ ପ୍ରଥମ ଥର ଭାରତ ଓ ଇ˚ଲଣ୍ଡ ମଧ୍ୟରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯିବା ପରେ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଦର୍ଶକଙ୍କ ସମର୍ଥନରେ ଭାରତ ମଧ୍ୟ ବିଜୟୀ ହୋଇଥିଲା। ଏହାର ଦୁଇ ବର୍ଷ ପରେ ଯେତେବେଳେ ପୁଣି ଥରେ ସେହି ଦୁଇ ଦଳଙ୍କ ଭିତରେ ମ୍ୟାଚ୍ ଖେଳାଯାଇଥିଲା ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଯାଇଥିଲା। ସେ ସମୟରେ ପଡ଼ିଆ ଚାରିପଟେ କୌଣସି ଜାଲି ନଥିବାରୁ ଦର୍ଶକମାନେ ବି ଖେଳାଳିଙ୍କ ସହ ପାଖାପାଖି ଗପସପ କରୁଥିଲେ। ୧୯୮୪ରେ ଭାରତ ଓ ଇ˚ଲଣ୍ତ ମ୍ୟାଚ୍ ବେଳେ ଘରୋଇ ଦଳ ପାଇଁ କୃଷ୍ଣମଚାରି ଶ୍ରୀକାନ୍ତ ଓ ରବି ଶାସ୍ତ୍ରୀ ବ୍ୟାଟି˚ ଆରମ୍ଭ କରିଥିଲେ। ଉଭୟ ଆରମ୍ଭରୁ ଇ˚ଲଣ୍ତ ବୋଲରଙ୍କୁ ସଫଳ ହେବା ପାଇଁ କୌଣସି ମୌକା ଦେଉନଥିଲେ। ଦୁଇ ଜଣ ନିଜ ନିଜର ଅର୍ଧଶତକ ଅର୍ଜନ କରିସାରିଥିଲେ। ତେବେ ଶ୍ରୀକାନ୍ତ ୯୯ ରନରେ ପହଞ୍ଚିବା ବେଳକୁ ଜଣେ ଦର୍ଶକ ଉତ୍ଫୁଲ୍ଲିତ ହୋଇଯାଇ ଏକ ଫୁଲହାର ସହ ପଡ଼ିଆ ଭିତରକୁ ଦୌଡ଼ିଥିଲେ। ଶ୍ରୀକାନ୍ତଙ୍କ ବେକରେ ଫୁଲମାଳ ପିନ୍ଧାଇବା ପରେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ। ହେଲେ ଏହାର ଠିକ୍ ପର ବଲରେ ଶ୍ରୀକାନ୍ତ ଏଲ୍ବିଡବ୍ଲୁ ଆଉଟ୍ ହୋଇଯାଇଥିଲେ। ଏହି ମ୍ୟାଚରେ ଇ˚ଲଣ୍ଡ ପରିବର୍ତ୍ତିତ ଲକ୍ଷ୍ୟ ଅନୁସାରେ ୧ ରନରେ ବିଜୟୀ ହୋଇଥିଲା।